ଡିଜିଟାଲ ଭ୍ରମ

ଡିଜିଟାଲ ଭ୍ରମ
Ipsita Picture
By: Ipsita
Published On

 

ଆଜିକାଲି ସୋସିଆଲ ମିଡିଆର ପ୍ରଭାବ ସବୁସ୍ଥାନରେ ଦେଖିବାକୁ ମିଳୁଛି । ସମସ୍ତେ ଖୁବ ଅଧିକ ଭାବେ ସୋସିଆଲ ମିଡିଆରେ ଘୁରିବୁଲୁଥିବା କଣ୍ଟେଣ୍ଟକୁ ଦେଖିବାସହିତ ଗ୍ରହଣ ମଧ୍ୟ କରୁଛନ୍ତି । ହେଲେ ଏଥିରେ ଏଭଳି କିଛି କଣ୍ଟେଣ୍ଟ ରହୁଛି ଯାହା ଆମକୁ ସାହାଯ୍ୟ କରିବା ପରିବର୍ତ୍ତେ ସମସ୍ୟାରେ ପକାଉଛି ।

 ସୋସିଆଲ ମିଡିଆକୁ ସମସ୍ତେ ବର୍ତ୍ତମାନ କେବଳ ମନୋରଞ୍ଜନ ପାଇଁ ବ୍ୟବହାର କରୁ ନାହାନ୍ତି, ଏଥିରୁ ଅନେକ କିଛି ଦେଖି ସେମାନେ ନିଜ ଦୈନନ୍ଦିନ ଜୀବନରେ ମଧ୍ୟ ଆପଣାଉଛନ୍ତି । ସୋସିଆଲ ମିଡିଆରେ ପ୍ରତିଦିନ ଏକାଧିକ ଏଭଳି ଭାଇରାଲ କଣ୍ଟେଣ୍ଟ ଦେଖିବାକୁ ମିଳୁଛି ଯେଉଁଥିରେ କିଛି ନା କିଛି ବିଷୟବସ୍ତୁ ସମ୍ପର୍କରେ ତଥ୍ୟ ପ୍ରଦାନ କରାଯାଉଛି । ତେବେ ଏଭଳି ଅନେକ ଲୋକ ସୋସିଆଲ ମିଡିଆରେ ଭିଡିଓ ଅପଲୋଡ କରୁଛନ୍ତି, ଯେଉଁମାନେ ସମ୍ପୃକ୍ତ ବିଷୟବସ୍ତୁ ଉପରେ କୌଣସି ତଥ୍ୟ ଜାଣିନଥାନ୍ତି । କେବଳ ସେମାନେ ନିଜ ମନରୁ କାଢି ଏହି ସବୁ ଭିଡିଓରେ କଥା ହୋଇଥାଆନ୍ତି । ଏଭଳି ଅନେକ ଇନ୍ଫ୍ଲୁଏନ୍ସର ଆଜିକାଲି ସୋସିଆଲ ମିଡିଆରେ ଘୁରି ବୁଲୁଛନ୍ତି । ଆସନ୍ତୁ ସେହିଭଳି କିଛି କାଟାଗୋରୀ ସମ୍ପର୍କରେ ଜାଣିବା ଯେଉଁଥିରେ ଅଧିକମାତ୍ରାରେ ମିଛ ଭାଇରାଲ ଭିଡିଓ ଦେଖିବାକୁ ମିଳୁଛି ।

ସ୍କିନକେୟାର

ଆଜିକାଲିର ଆଧୁନିକ ଯୁଗରେ ସ୍କିନ କେୟାର ବା ନିଜ ତ୍ବଚାର ଯତ୍ନ ସମସ୍ତେ ନେଉଛନ୍ତି । ଏଥିପାଇଁ ସମସ୍ତେ ବିଭିନ୍ନ ପ୍ରକାର ସାମଗ୍ରୀର ବ୍ୟବହାର ମଧ୍ୟ କରୁଛନ୍ତି, ଯାହାକୁ ଦୃଷ୍ଟିରେ ରଖି କମ୍ପାନୀମାନେ ପ୍ରତିଦିନ ବଜାରକୁ ନୂଆନୂଆ ସାମଗ୍ରୀ ଛାଡୁଛନ୍ତି । ତେବେ ସେମାନେ ନିଜନିଜ ବ୍ରାଣ୍ଡର ପ୍ରମୋସନ ପାଇଁ ବିଶେଷଭାବେ ସୋସିଆଲ ମିଡିଆର ସାହାଯ୍ୟ ନେଉଛନ୍ତି । ଏଥିରେ କାମ କରୁଥିବା ସୋସିଆଲ ମିଡିଆ ଇନ୍ଫ୍ଲୁଏନ୍ସର ସେମାନଙ୍କ ପ୍ରଡକ୍ଟ ପ୍ରମୋସନ କରୁଥିବାର ଦେଖିବାକୁ ମିଳୁଛି। ତେବେ ଏହି ସାମଗ୍ରୀ ଗୁଡିକ ଯେ ସମସ୍ତଙ୍କ ସ୍କିନ ପାଇଁ ଭଲ ଏହାର ଗ୍ୟାରେଣ୍ଟି କେହି ଦେଇ ନଥାଏ । ସେହିଭଳି ସୋସିଆଲ ମିଡିଆରେ ଏକାଧୀକ ସ୍କିନ କେୟାର ରୁଟିନ୍ ଯେପରି ମୁହଁରେ ଘରେ ପ୍ରସ୍ତୁତ କରି କଣ ଲଗାଇବା, ମୁହଁ କେତେବେଳେ ଧୋଇବ, କିଭଳି ଧୋଇବା ଆଦି ଭାଇରାଲ ହୋଇଥାଏ । ସେହିଭଳି ଏଭଳି ଅନେକ ଘରୋଇ ସ୍କିନକେୟାର ପ୍ରକ୍ରିୟା ସୋସିଆଲ ମିଡିଆରେ ଘୁରିବୁଲେ ଯେଉଁମାନଙ୍କର ପାର୍ଶ୍ବପ୍ରତିକ୍ରିୟା ଅନେକ ଥାଏ । ହେଲେ ସାମଗ୍ରୀର ବିଜ୍ଞାପନ ଯାହା ସୋସିଆଲ ମିଡିଆରେ ପ୍ରଚାର ପ୍ରସାର ହୋଇଥାଏ, ସେଥିରେ ଏ ସମ୍ପର୍କରେ କିଛି କୁହାଯାଇନଥାଏ । ଏଭଳି ଅନେକ ଲୋକ ଅଛନ୍ତି ଯେଉଁମାନେ ଏହି ସାମଗ୍ରୀ ଗୁଡିକର ପାର୍ଶ୍ବପ୍ରତିକ୍ରିୟା ସମ୍ପର୍କରେ ଅନଭିଜ୍ଞ । ତେଣୁ ସେମାନେ ଅନେକ ସମସ୍ୟାରେ ପଡିଥାଆନ୍ତି । ସେହିଭଳି ଘରେ ପ୍ରସ୍ତୁତ କରାଯାଉଥି ସ୍କିନ କେୟାର ରୁଟିନରେ ଏଭଳି କିଛି ସାମଗ୍ରୀ ଥାଏ ଯାହା ସମସ୍ତଙ୍କ ସ୍କିନ୍ ପାଇଁ ଉପଯୁକ୍ତ ବୋଲି ତାର ମାନେ ନଥାଏ । ତେଣୁ ଏଭଳି ସ୍ଥଳେ ପାର୍ଶ୍ବପ୍ରତିକ୍ରିୟା ଦେଖାଯିବାର ଆଶଙ୍କା ବଢିଯାଇଥାଏ । ତେଣୁ ସୋସିଆଲ ମିଡିଆରେ ତ୍ବଚାକୁ ନେଇ ଯେକୌଣସି ବି ରିଲ୍ ଦେଖୁଛନ୍ତି ତାକୁ ଘରେ ମୁହଁରେ ଲଗାଇବା ଆଗରୁ ଭଲକରି ବୁଝନ୍ତୁ । ଏଥିରେ ମିଶୁଥିବା ସମସ୍ତ ସାମଗ୍ରୀ ଆପଣଙ୍କ ତ୍ବଚା ପାଇଁ ଉପକାରୀ କି ନାହିଁ ବୁଝନ୍ତୁ । ଏଥିରେ ଏଭଳି କିଛି ସାମଗ୍ରୀ ମିଶାନ୍ତୁ ନାହିଁ ଯାହା ଆପଣଙ୍କ ତ୍ବଚାରେ କିଛି ସଂକ୍ରମଣର କାରଣ ସାଜିବ । କେବେହେଲେ ବି ରିଲ୍ସରେ ଯାହା ଦେଖୁଛନ୍ତି ସେ ସବୁକୁ ନିଜ ତ୍ବଚାରେ ହଠାତ୍ ଲଗାନ୍ତୁ ନାହିଁ । ବେଳେବେଳେ ସୋସିଆଲ ମିଡିଆରେ ଏଭଳି ସାମଗ୍ରୀର ମିଶ୍ରଣ ଦେଖାଇଥାଏ ଯାହା ଆମ   ତ୍ବଚା ପାଇଁ ଖରାପ ହୋଇଥାଏ । ଏଭଳି ଅନେକ ସାମଗ୍ରୀ ଯାହାର ପିଏଚ ବାଲାନ୍ସ ଆମ ତ୍ବଚା ପାଇଁ କ୍ଷତିକାରକ ହୋଇଥାଏ । ତେଣୁ ତ୍ବଚାରେ ମନଇଚ୍ଛା ସାମଗ୍ରୀ ଲଗାଇବା ଫଳରେ ମୁହଁରେ ବ୍ରଣ, ଏଗଜିମା, ଲାଲ ହୋଇ ଫଳିଯିବା ଭଳି ସମସ୍ୟା ହେବାର ଡର ରହିଥାଏ । ସୋସିଆଲ ମିଡିଆରେ ଏଭଳି ମଧ୍ୟ କିଛି ଭିଡିଓ ଦେଖିବାକୁ ମିଳିଥାଏ ଯେଉଥିରେ ଏଭଳି ସାମଗ୍ରୀର ବ୍ୟବହାର ହୋଇଥାଏ ଯାହା ସଙ୍ଗେସଙ୍ଗେ ତ୍ବଚାକୁ ସୁନ୍ଦର ଓ ଗ୍ଲୋ ଦେଇଥାଏ । ହେଲେ ଏହି ସମସ୍ତ ସାମଗ୍ରୀ ଗୁଡିକର ପାର୍ଶ୍ବପ୍ରତିକ୍ରିୟା ମଧ୍ୟ ରହିଥାଏ, ଯାହା ଅନେକ ସମସ୍ୟାକୁ ଡାକି ଆଣିଥାଏ । ତେଣୁ  ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ସ୍କିନ କେୟାର ରୁଟିନ ଫଲୋ କରିବା ଆଗରୁ ଏହା ସମ୍ପର୍କିତ ତଥ୍ୟକୁ ଜାଣନ୍ତୁ ।

Tags: