ଭିନ୍ନ ମଣିଷ ଭିନ୍ନ ସ୍ବର

ଭିନ୍ନ ମଣିଷ ଭିନ୍ନ ସ୍ବର
Ipsita Picture
By: Ipsita
Published On

 

ମାନବ ସ୍ୱର ହେଉଛି ଆମ ବ୍ୟକ୍ତିତ୍ୱର ସବୁଠାରୁ ସ୍ୱତନ୍ତ୍ର ବୈଶିଷ୍ଟ୍ୟ, ଯାହାଦ୍ୱାରା ଜନଗହଳିପୂର୍ଣ୍ଣ ସ୍ଥାନରେ ମଧ୍ୟ ପରିଚିତ ଲୋକେ ଆମକୁ ତୁରନ୍ତ ଚିହ୍ନିପାରନ୍ତି । ତେବେ 'ନ୍ୟାସନାଲ ଲାଇବ୍ରେରୀ ଅଫ୍ ମେଡିସିନ୍'ରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ, ବିବର୍ତ୍ତନ ପ୍ରକ୍ରିୟାରେ ଅନ୍ୟ ମାଙ୍କଡ଼ ଓ ବାନରମାନଙ୍କଠାରେ ଦେଖାଯାଉଥିବା 'ଭୋକାଲ୍ ମେମ୍ବ୍ରେନ୍'  ଏବଂ ବାୟୁ ଥଳୀ ଗୁଡ଼ିକ ଶରୀରରୁ ବିଲୁପ୍ତ ହେବା ଫଳରେ ମଣିଷଠାରେ ଏକ ସ୍ଥିର ସ୍ୱର ପେଟିକା ବିକଶିତ ହୋଇଛି । ଯାହା କୋଳାହଳପୂର୍ଣ୍ଣ ଧ୍ୱନି ବଦଳରେ ସ୍ପଷ୍ଟ ଏବଂ ନିୟନ୍ତ୍ରିତ ସ୍ୱର ସୃଷ୍ଟି କରିବାରେ ସାହାଯ୍ୟ କରେ । ସ୍ୱରତନ୍ତ୍ରୀରୁ ବାହାରୁଥିବା ଏହି ଧ୍ୱନି ଗଳା, ପାଟି ଏବଂ ନାକ ରୂପକ ଇକୋ ଚାମ୍ବର ଦେଇ ଗତି କରିବା ସମୟରେ ଏକ ସ୍ୱତନ୍ତ୍ର ରୂପ ନେଇଥାଏ । ଏହି ପ୍ରକ୍ରିୟାରୁ ବଞ୍ଚିଯାଉଥିବା ସବୁଠାରୁ ସ୍ଥାୟୀ ଧ୍ୱନି ଆବୃତ୍ତିକୁ ବୈଜ୍ଞାନିକମାନେ "ଫର୍ମାଣ୍ଟସ୍" କହିଥାନ୍ତି, ଯାହା ପ୍ରତ୍ୟେକ ବ୍ୟକ୍ତିର ସ୍ୱରକୁ ଭିନ୍ନ କରିଥାଏ । ଏହି ଫର୍ମାଣ୍ଟସ୍ ସମ୍ପୂର୍ଣ୍ଣ ରୂପେ ବ୍ୟକ୍ତିର ସ୍ୱର ନଳୀର ଲମ୍ବ, ପାଟିର ଆକୃତି, ତାଳୁର ବକ୍ରତା, ଗଳାର ଗଭୀରତା, ମୁଣ୍ଡଖପୁରି  ଓ ସାଇନସ୍ର ଗଠନ ଉପରେ ନିର୍ଭର କରିଥାଏ । ସମାନ ଉଚ୍ଚତାର ଦୁଇଜଣ ପୁରୁଷ କିମ୍ବା ଶାରୀରିକ ଗଠନର ଭିନ୍ନତା ଯୋଗୁଁ ମହିଳା ଓ ପୁରୁଷଙ୍କ ସ୍ୱର ସମ୍ପୂର୍ଣ୍ଣ ଅଲଗା ଶୁଣାଯାଏ । ଏପରିକି ଏହି ଆନୁବଂଶିକ ଜିନ୍ଗୁଡ଼ିକର ପ୍ରଭାବ କାରଣରୁ ଗର୍ଭସ୍ଥ ଶିଶୁ ମଧ୍ୟ ନିଜ ମା'ର ସ୍ୱରକୁ ସହଜରେ ଚିହ୍ନି ପ୍ରତିକ୍ରିୟା ପ୍ରକାଶ କରିଥାଏ ।

Tags: