ଡେଜର୍ଟ କ୍ରେଭିଂ
ଅନେକ ସମୟରେ ଭୋଜନ ଶେଷରେ ମିଠା, ଆଇସକ୍ରିମ୍, କିମ୍ବା କେକ୍ ଖାଇବାକୁ ଇଚ୍ଛା ହୋଇଥାଏ । ତେବେ ଏହାକୁ ଅନେକ ସାଧାରଣକଥା ବୋଲି ଭାବିଥାଆନ୍ତି । ହେଲେ ଏହାକୁ ବୈଜ୍ଞାନିକ ଭାଷାରେ 'ଡେଜର୍ଟ କ୍ରେଭିଂ' କୁହାଯାଏ । ବିଜ୍ଞାନ ଅନୁସାରେ, ଏହି ଇଚ୍ଛା କେବଳ ଭୋକ ଯୋଗୁଁ ନୁହେଁ, ବରଂ ନିୟମିତ ଅଭ୍ୟାସ, ମସ୍ତିଷ୍କର 'ରିୱାର୍ଡ ସିଷ୍ଟମ୍', ମାନସିକ ଚାପ ଏବଂ ଖାଦ୍ୟର ପ୍ରକାର ଭଳି ଅନେକ ଶାରୀରିକ ଓ ମାନସିକ କାରଣ ଯୋଗୁଁ ସୃଷ୍ଟି ହୋଇଥାଏ । 'ଆପିଟାଇଟ୍' ପତ୍ରିକାରେ ପ୍ରକାଶିତ ଏକ ଗବେଷଣା ଅନୁସାରେ, ଖାଇସାରିବା ପରେ ନମକିନ୍ ବା ତେଲିଆ ଖାଦ୍ୟ ପ୍ରତି ଇଚ୍ଛା କମିଯାଉଥିବା ବେଳେ ମିଠା ପ୍ରତି ଆକର୍ଷଣ ବଢିଥାଏ । ଏହାସହ ଏମଆରଆଇ ଅଧ୍ୟୟନରୁ ଜଣାପଡ଼ିଛି ଯେ ମିଠା ଜିନିଷ ମସ୍ତିଷ୍କର ସ୍ୱାଦ ଓ ସନ୍ତୋଷ ପ୍ରଦାନକାରୀ ଅଂଶକୁ ସକ୍ରିୟ କରିଥାଏ । ଯାହାଦ୍ୱାରା ଖାଇସାରିବା ପରେ ମିଠାକୁ ଲୋକମାନେ ଏକ ଆନନ୍ଦଦାୟକ 'ପୁରସ୍କାର' ଭାବେ ଗ୍ରହଣ କରିବାର ଅଭ୍ୟାସରେ ପଡନ୍ତି । ବିଶେଷ କରି ଅନିୟମିତ ଆହାର, ମାନସିକ ଚାପ ବା କ୍ଲାନ୍ତି ସମୟରେ ଏହି ପ୍ରବୃତ୍ତି ଆହୁରି ବୃଦ୍ଧି ପାଇଥାଏ । ତେବେ ମିଠାକୁ ସମ୍ପୂର୍ଣ୍ଣ ବନ୍ଦ ନକରି ଏହାର ପରିମାଣ ନିୟନ୍ତ୍ରଣ କରିବା ଉଚିତ ।




