ବଢୁଛି ଆଇଭିଏଫ୍‌ ଚାହିଦା

ବିଶ୍ୱରେ ବର୍ତ୍ତମାନ ସମୟରେ ୧.୨୦ କୋଟି ଲୋକ ଏଭଳି ଅଛନ୍ତି, ଯେଉଁମାନେ ମା’ ଗର୍ଭ ପରିବର୍ତ୍ତେ କୌଣସି ଲ୍ୟାବ୍‌ର ଜାର୍‌ ମଧ୍ୟରୁ ସେମାନଙ୍କ ଜୀବନର ଆରମ୍ଭ କରୁଛନ୍ତି । ସମଗ୍ର ବିଶ୍ୱରେ ପ୍ରତି ୩ ମିନିଟ୍‌ରେ ଏଭଳି ୪ ଜଣ ଶିଶୁ ଜନ୍ମ ନେଉଛନ୍ତି, ଯାହା ଆଇଭିଏଫ୍‌ ବା ଇନ୍‌ ଭିଟ୍ରୋ ଫର୍ଟିଲାଇଜେସନ୍‌ ଦ୍ୱାରା ସମ୍ଭବ ହୋଇପାରୁଛି । ଆଇଭିଏଫ୍‌ ହେଉଛି ଏକ ବୈଜ୍ଞାନିକ ପ୍ରକ୍ରିୟା, ଯେଉଁଥିରେ ମହିଳାଙ୍କର ଡିମ୍ବାଣୁକୁ ପୁରୁଷଙ୍କ ଶୁକ୍ରାଣୁ ସହ ଲ୍ୟାବ୍‌ରେ ଫର୍ଟିଲାଇଜ୍‌ […]

Samaya Live Picture
Published On

ବିଶ୍ୱରେ ବର୍ତ୍ତମାନ ସମୟରେ ୧.୨୦ କୋଟି ଲୋକ ଏଭଳି ଅଛନ୍ତି, ଯେଉଁମାନେ ମା’ ଗର୍ଭ ପରିବର୍ତ୍ତେ କୌଣସି ଲ୍ୟାବ୍‌ର ଜାର୍‌ ମଧ୍ୟରୁ ସେମାନଙ୍କ ଜୀବନର ଆରମ୍ଭ କରୁଛନ୍ତି । ସମଗ୍ର ବିଶ୍ୱରେ ପ୍ରତି ୩ ମିନିଟ୍‌ରେ ଏଭଳି ୪ ଜଣ ଶିଶୁ ଜନ୍ମ ନେଉଛନ୍ତି, ଯାହା ଆଇଭିଏଫ୍‌ ବା ଇନ୍‌ ଭିଟ୍ରୋ ଫର୍ଟିଲାଇଜେସନ୍‌ ଦ୍ୱାରା ସମ୍ଭବ ହୋଇପାରୁଛି । ଆଇଭିଏଫ୍‌ ହେଉଛି ଏକ ବୈଜ୍ଞାନିକ ପ୍ରକ୍ରିୟା, ଯେଉଁଥିରେ ମହିଳାଙ୍କର ଡିମ୍ବାଣୁକୁ ପୁରୁଷଙ୍କ ଶୁକ୍ରାଣୁ ସହ ଲ୍ୟାବ୍‌ରେ ଫର୍ଟିଲାଇଜ୍‌ କରାଯାଏ । ଏହାପରେ ଏହି ଫର୍ଟିଲାଇଜ ଡିମ୍ବାଣୁକୁ ମହିଳାଙ୍କ ଗର୍ଭାଶୟରେ ଛଡାଯାଏ । ଏହି ପ୍ରକ୍ରିୟା ପ୍ରଥମେ ୧୯୭୮ ମସିହାରେ ଆରମ୍ଭ ହୋଇଥିବାବେଳେ ଏହାର ଚାହିଦା କ୍ରମଶଃ ବୃଦ୍ଧି ପାଇଛି । ଅନେକ ଦେଶରେ ଏଲ୍‌ଜିବିଟି ସମୁଦାୟକୁ ମଧ୍ୟ ଏ କ୍ଷେତ୍ରରେ ଆଇନଗତ ମାନ୍ୟତା ମିଳିଛି । ତେଣୁ ଆଇଭିଏଫ୍‌ ଜରିଆରେ ସେମାନଙ୍କର ମା’-ବାପା ହେବାର ଇଚ୍ଛାଶକ୍ତି ମଧ୍ୟ ପୂରା ହୋଇପାରୁଛି । ଜେନେଟିକ୍‌ ରୋଗ ସମ୍ବନ୍ଧିତ ଚିନ୍ତାରେ ଥିବା ଲୋକଙ୍କୁ ମଧ୍ୟ ଆଇଭିଏଫ୍‌ ଟେକ୍ନିକ୍‌ ଅଧିକ ସୁରକ୍ଷିତ ଲାଗୁଛି । କଲମ୍ବିଆ ବିଶ୍ୱବିଦ୍ୟାଳୟର ଫର୍ଟିଲିଟି ସେଣ୍ଟରର ଜେବ୍‌ ୱିଲିୟମ୍ସ କହିଛନ୍ତି ଯେ, ୧୯୯୦ ମସିହା ପରେ ଯେତେବେଳେ ଭ୍ରୁଣରେ ସେଲ୍ସ ହଟାଇବାକୁ ଟେକ୍ନିକ୍‌ ବିକଶିତ କରାଗଲା, ଆଗାମୀ ପିଢିକୁ ଜେନେଟିକ୍‌ ରୋଗରୁ ବଞ୍ଚାଇବା ପାଇଁ ଆଇଭିଏଫ୍‌ ଜରିଆରେ ସନ୍ତାନ ଜନ୍ମ କରିବା ପାଇଁ ମଧ୍ୟ ଚେଷ୍ଟା କରାଗଲା । ମାତ୍ର ସବୁଠାରୁ ଅଧିକ ମହିଳାମାନଙ୍କର ବର୍ଦ୍ଧିତ ବୟସ କାରଣରୁ ଆଇଭିଏଫ୍‌ର ଚାହିଦା ବିଶ୍ୱବ୍ୟାପୀ ବଢିଛି । ଇଂଲଣ୍ଡ ଏବଂ େୱଲ୍ସରେ ପ୍ରଥମ ସନ୍ତାନ ଜନ୍ମ ଦେବାର ହାରାହାରି ବୟସସୀମା ୨୯ ବର୍ଷ ହୋଇଥିବାବେଳେ ଚୀନ୍‌ର ସଂଘାଇରେ ୩୦ ବର୍ଷ ଏବଂ ଆମେରିକାରେ ୩୫ ବର୍ଷ ରହିଛି ।

ଆର୍ଥିକବର୍ଷ ୨୦୨୨-୨୩ରେ ଭାରତରେ ପ୍ରାୟ ୨.୮୦ ଲକ୍ଷ ଆଇଭିଏଫ୍‌ ପ୍ରକ୍ରିୟା ହୋଇଛି । ଆସନ୍ତା ପାଞ୍ଚବର୍ଷ ମଧ୍ୟରେ ଏଥିରେ ୧୫ରୁ ୨୦% ବୃଦ୍ଧି ହେବାର ସମ୍ଭାବନା ରହିଛି । ଆସନ୍ତା ୫ ବର୍ଷ ମଧ୍ୟରେ ଏହି ପ୍ରକ୍ରିୟା ୫.୫ରୁ ୬ ଲକ୍ଷ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ମାତ୍ର ଚୀନ୍‌ରେ ବିଶ୍ୱର ସର୍ବାଧିକ ଆଇଭିଏଫ୍‌ ଟେକ୍ନିକ୍‌ ସାହାଯ୍ୟରେ ପିଲା ଜନ୍ମ ନେଉଛନ୍ତି । ଏଠାରେ ବହୁଳ ମାତ୍ରାରେ ଜନସଂଖ୍ୟା ହ୍ରାସ ପାଇବାରୁ ଆଇଭିଏଫ୍‌ ସାହାଯ୍ୟରେ ଜନସଂଖ୍ୟା ବୃଦ୍ଧି କରାଯାଉଛି । ପ୍ରତିବର୍ଷ ଏଠାରେ ୧୦ ଲକ୍ଷରୁ ଊଦ୍ଧ୍ୱର୍ ଆଇଭିଏଫ୍‌ ପ୍ରକ୍ରିୟା କରାଯାଉଛି । ସେହିପରି ଚୀନ୍‌ର ଅନେକ ରାଜ୍ୟରେ ସିଙ୍ଗଲ ମଦରମାନଙ୍କୁ ଆଇଭିଏଫ୍‌ ଜରିଆରେ ପିଲା ଜନ୍ମ କରିବାକୁ ଅନୁମତି ମଧ୍ୟ ଦିଆଯାଇଛି । ବର୍ତ୍ତମାନ ଆଇଭିଏଫ୍‌ କେବଳ ଏକମାତ୍ର ବିକଳ୍ପ ହୋଇ ରହିନାହିଁ । ବୈଜ୍ଞାନିକଙ୍କ ଦ୍ୱାରା ସଦ୍ୟତମ ଉଦ୍ଭାବନ ହୋଇଥିବା ଟେକ୍ନିକ୍‌ ଆଇଭିଜି ବା ଇନ୍‌-ଭିଟ୍ରୋ ଗେମେଟୋଜେନେସିସ୍‌ରେ ବିନା ଶୁକ୍ରାଣୁ ଏବଂ ଡିମ୍ବାଣୁରେ ଶିଶୁଙ୍କୁ ଜନ୍ମ ଦିଆଯାଇପାରିବ । ଏହି ପ୍ରକ୍ରିୟାରେ ଲାବ୍‌ରେ ହିଁ ମଣିଷମାନଙ୍କର ଶୁକ୍ରାଣୁ ଏବଂ ଡିମ୍ବାଣୁକୁ ପ୍ରସ୍ତୁତ କରାଯାଇପାରିବ । ବର୍ତ୍ତମାନ ସୁଦ୍ଧା ବୈଜ୍ଞାନିକମାନେ ମୂଷାମାନଙ୍କ ଉପରେ ଏହାର ପରୀକ୍ଷଣ କରି ସଫଳ ହୋଇଛନ୍ତି । ଏବେ ଏହି ପ୍ରକ୍ରିୟା ଜାରି ରହିଥିବାବେଳେ ଆଗକୁ ଏହା ମଣିଷମାନଙ୍କ ଉପରେ ମଧ୍ୟ ପରୀକ୍ଷଣ କରାଯିବ ।

Tags: