ଦେବସ୍ନାନ ପୂର୍ଣ୍ଣିମାର କିମ୍ବଦନ୍ତୀ

ଶ୍ରୀଜଗନ୍ନାଥ କେବଳ ଓଡ଼ିଶାରେ ଧର୍ମ ଦେବତା ନୁହନ୍ତି, ସେ ହେଉଛନ୍ତି ସମଗ୍ର ଭାରତରେ ଥିବା ପ୍ରତିଟି ସ୍ଥାନରେ ଏବଂ ବିଶ୍ୱରେ ସର୍ବତ୍ର ପୂଜିତ ସବୁଠାରୁ ପରିଚିତ ଓ ଶ୍ରଦ୍ଧାଭାଜନ ଦେବତା । ଯାହାଙ୍କ ଦ୍ୱାରା ବିଭିନ୍ନ ସମୟରେ ତାଙ୍କର ନାମାନୁସାରେ ଜଗନ୍ନାଥ ପୁରୀ, ଶ୍ରୀକ୍ଷେତ୍ର ଏବଂ ଶଙ୍ଖକ୍ଷେତ୍ର ରୂପେ ପରିଚିତ । ଲୀଳାମୟ ସଂସାରରେ ବିଚିତ୍ର ଠାକୁର ହେଉଛନ୍ତି କାଳିଆ ଗୋସେଇଁ, ତାଙ୍କର ଅଜବ ନୀତିକାନ୍ତି ଭିତରେ ପୂଜାବିଧି ସମାପନ ହୁଏ । ତାଙ୍କରି ସଂସ୍କୃତିରେ ଓଡ଼ିଶାରେ […]

ଦେବସ୍ନାନ ପୂର୍ଣ୍ଣିମାର କିମ୍ବଦନ୍ତୀ
Samaya Live Picture
Published On

ଶ୍ରୀଜଗନ୍ନାଥ କେବଳ ଓଡ଼ିଶାରେ ଧର୍ମ ଦେବତା ନୁହନ୍ତି, ସେ ହେଉଛନ୍ତି ସମଗ୍ର ଭାରତରେ ଥିବା ପ୍ରତିଟି ସ୍ଥାନରେ ଏବଂ ବିଶ୍ୱରେ ସର୍ବତ୍ର ପୂଜିତ ସବୁଠାରୁ ପରିଚିତ ଓ ଶ୍ରଦ୍ଧାଭାଜନ ଦେବତା । ଯାହାଙ୍କ ଦ୍ୱାରା ବିଭିନ୍ନ ସମୟରେ ତାଙ୍କର ନାମାନୁସାରେ ଜଗନ୍ନାଥ ପୁରୀ, ଶ୍ରୀକ୍ଷେତ୍ର ଏବଂ ଶଙ୍ଖକ୍ଷେତ୍ର ରୂପେ ପରିଚିତ ।
ଲୀଳାମୟ ସଂସାରରେ ବିଚିତ୍ର ଠାକୁର ହେଉଛନ୍ତି କାଳିଆ ଗୋସେଇଁ, ତାଙ୍କର ଅଜବ ନୀତିକାନ୍ତି ଭିତରେ ପୂଜାବିଧି ସମାପନ ହୁଏ । ତାଙ୍କରି ସଂସ୍କୃତିରେ ଓଡ଼ିଶାରେ ବାର ମାସରେ ତେର ପର୍ବ ପାଳନ କରିବାର ବିଧି ରହିଛି । ତନ୍ମଧ୍ୟରୁ ସ୍ନାନ ପୂର୍ଣ୍ଣିମା ଅନ୍ୟତମ । ଜ୍ୟେଷ୍ଠମାସର ପବିତ୍ର ପୂର୍ଣ୍ଣିମାକୁ ସ୍ନାନ ପୂର୍ଣ୍ଣିମା ବା ଦେବସ୍ନାନ ପୂର୍ଣ୍ଣିମା ବୋଲି କୁହାଯାଏ । ଏନେଇ କେତେକଙ୍କ ମତରେ ଏହା ମୌସୁମୀ ବର୍ଷା ଆଗମନର ସୂଚନା ଦେଇଥାଏ । ତେଣୁ ଜ୍ୟେଷ୍ଠମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥିରେ ଦେବତାମାନଙ୍କୁ ସ୍ନାନ କାର୍ଯ୍ୟ ବିଧି ପୂର୍ବକ ସମ୍ପନ୍ନ କରାଯାଏ । ଏହି ସ୍ନାନ କାର୍ଯ୍ୟ କରିବା ଦ୍ୱାରା ସକଳ ପ୍ରକାର ପ୍ରାଣୀର ମଙ୍ଗଳ ସିଦ୍ଧି ପ୍ରାପ୍ତ ନିମନ୍ତେ ଜଗତର ଈଶ୍ୱରଙ୍କୁ ତୀର୍ଥଜଳରେ ସ୍ନାନ କରାଯିବାର ପରମ୍ପରା ବିଭିନ୍ନ ପୁରାଣରେ ବର୍ଣ୍ଣିତ ଅଛି । ସ୍ନାନ ଯାତ୍ରା ସମୟରେ ରନିସିଂହାସନ ତ୍ୟାଗ କରି ଚତୁର୍ଦ୍ଧାମୂର୍ତ୍ତି ସ୍ନାନବେଦୀରେ ମଞ୍ଚାସୀନ ହୁଅନ୍ତି । ଏହି ଅବସରରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମରେ ସ୍ନାନବେଦୀ ଓ ବଡ଼ଦାଣ୍ଡ ଉତ୍ସବମୁଖର ହୋଇଉଠେ ।
ଶାସ୍ତ୍ରକୁହେ, ମହାପ୍ରଭୁଙ୍କ ସ୍ନାନ ଉତ୍ସବ ଏକ ଶାସ୍ତ୍ରୀୟ ଭିତ୍ତିଭୂମିର ଲୀଳା । ତାଙ୍କର ଆବିର୍ଭାବ ବେଳେ ପ୍ରଥମେ ଏହି ସ୍ନାନ ହୋଇଥିବାରୁ ଶ୍ରୀଦାରୁବ୍ରହ୍ମଙ୍କ ଆଦ୍ୟଲୀଳା ବୋଲି କୁହାଯାଏ । ଯେତେବେଳେ ମହାପ୍ରଭୁ ଦାରୁବ୍ରହ୍ମ ରୂପ ଧାରଣ କରିଥିଲେ, ମଙ୍ଗଳମୟ ମୁହୂର୍ତ୍ତରେ ସେତେବେଳେ ମହାରାଜା ଇନ୍ଦ୍ରଦ୍ୟୁମ୍ନ ଏହି ସ୍ନାନଲୀଳା କରାଇଥିଲେ । ମାତ୍ର ସେତେବେଳେ ସ୍ନାନମଣ୍ଡପ ନଥିବାରୁ ଏକ କାଠର ମଞ୍ଚ ନିର୍ମାଣ କରାଯାଇ ତାହା ଉପରେ ରୀତିନୀତି ଅନୁସାରେ ସ୍ନାନବିଧି ସମ୍ପନ୍ନ ହୋଇଥିଲା, ଯାହାକୁ ଶାସ୍ତ୍ରାନୁସାରେ ମଞ୍ଚସ୍ନାନ ବୋଲି କୁହାଯାଏ । ଶାସ୍ତ୍ରମତରେ ଦେବସ୍ଥାନ ପୂର୍ଣ୍ଣିମାର ପୂର୍ବଦିନ ମହାପ୍ରଭୁଙ୍କ ପାଇଁ ସୁନାକୂଅରୁ ୧୦୮ ସୁନାକଳସ ଜଳ ସଂଗ୍ରହ କରାଯାଏ । ଏହା ଶୀତଳାଠାକୁରାଣୀ ଓ ତାଙ୍କ ବାହାନ ସିଂହଙ୍କ ମଧ୍ୟରେ ଅବସ୍ଥିତ, ଯେପରି ଏହି କୂଅକୁ ବର୍ଷସାରା ସିଂହହିଁ ସୁରକ୍ଷିତ ରଖିଥାଏ । ବର୍ଷସାରା କୂଅର ବ୍ୟବହାର ନଥବାରୁ ଜନପଦୀୟତାନ୍ତ୍ରିକ ପରମ୍ପରାରେ ଏହି ଜଳକୁ ଅଣତୁଠ ପାଣି ବୋଲି ଗ୍ରହଣ କରାଯାଏ । କିନ୍ତୁ ସ୍ନାନଲୀଳା ସମୟରେ ବୈଦିକ ବିଧିରେ ସ୍ନାନଜଳ ଅଭିମନ୍ତ୍ରିତ ହେଉଥବା ତାନ୍ତ୍ରିକ ବିଧିରେ ତେରଟି ପଦାର୍ଥ ମିଶ୍ରଣ କରାଯାଏ । ତେବେ ଯଜ୍ଞ ପରମ୍ପରା ଅନୁସାରେ ଏହି କୂଅକୁ ପ୍ରଣିତାକୂପ ବୋଲି ବିବେଚନା କରାଯାଏ । ଜ୍ୟେଷ୍ଠମାସ ପୂର୍ଣ୍ଣମୀରେ ମହାପ୍ରଭୁଙ୍କ ପ୍ରଥମ ସ୍ଥାନଲୀଳା ଜାତି, ବର୍ଣ୍ଣ, ନିର୍ବଶେଷରେ ସମସ୍ତେ ଦର୍ଶନ କରିଥିବାରୁ ଏହି ଲୀଳାକୁ ପତିତପାବନ ଲୀଳା କୁହାଯାଏ ।
ଦେବସ୍ନାନ ପୂର୍ଣ୍ଣିମା ଦିନ ଚତୁର୍ଦ୍ଧାମୂର୍ତ୍ତି, ସ୍ନାନ ପରେ ଗଜ ବେଶରେ ସଜ୍ଜିତ ହୁଅନ୍ତି । ଏହା ପଛରେ ଏକ କିମ୍ବଦନ୍ତୀ ନିହିତ । ସେଥିରୁ ଜଣାଯାଏ ଯେ, ପଞ୍ଚଦଶ ଶତାବ୍ଦୀରେ ମହାରାଷ୍ଟ୍ରରୁ ମହାଗାଣପତ୍ୟ ସମ୍ପ୍ରଦାୟର ଶ୍ରୀଗଣପତି ଭଟ୍ଟ ନାମକ ଜୈନିକ ବିଶିଷ୍ଟ ବ୍ୟକ୍ତି ଶ୍ରୀକ୍ଷେତ୍ରର ମହିମା ବିଷୟରେ ଶୁଣି, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଶ୍ରୀକ୍ଷେତ୍ରକୁ ଆସିବାକୁ ମନ ବଳାଇଲେ । କିନ୍ତୁ ସେ ଥିଲେ ପ୍ରଭୁ ଗଣେଶଙ୍କ ବଡ଼ ଭକ୍ତ । ଶ୍ରୀଗଣପତି ଭଟ୍ଟ ପୁରୀ ଶ୍ରୀକ୍ଷେତ୍ର ଆଗମନ କରିଲେ ଏବଂ ଦାରୁବିଗ୍ରହଙ୍କ ଦର୍ଶନ କରିଲେ, କିନ୍ତୁ ମହାପ୍ରଭୁଙ୍କୁ ଗଜ ରୂପରେ ନ ଦେଖି ସେ ତାଙ୍କୁ ପରମବ୍ରହ୍ମ ବୋଲି ମାନିବାକୁ ଅସ୍ୱୀକାର କଲେ ଏବଂ କ୍ଷୁବ୍ଧ ହୋଇ ମନ୍ଦିର ତ୍ୟାଗ କଲେ । ଘରକୁ ପ୍ରତ୍ୟାବର୍ତ୍ତନ କଲେ । କିଛିବାଟ ଯିବା ପରେ ମୁକ୍ତେଶ୍ୱରଠାରେ ଶୂନ୍ୟବାଣୀ ଶୁଣି ପୁନଶ୍ଚ ଶ୍ରୀମନ୍ଦିରକୁ ଫେରିଆସିଲେ, କିନ୍ତୁ ସେଦିନ ଥିଲା ଜ୍ୟେଷ୍ଠମାସ ଦେବସ୍ନାନ ପୂର୍ଣ୍ଣିମା । ମହାପ୍ରଭୁଙ୍କ ଆଦେଶରେ ବଡ଼ପଣ୍ଡା ଗଣପତି ଭଟ୍ଟଙ୍କୁ ସ୍ନାନଯାତ୍ରା ଦେଖିବା ପାଇଁ ପୁନଶ୍ଚ ଆମନ୍ତ୍ରଣ କଲେ, ତାଙ୍କ ଦୃଷ୍ଟି ସମ୍ମୁଖରେ ଦାରୁବିଗ୍ରହ ଶ୍ରୀଜଗନ୍ନାଥଙ୍କ ରୂପ ପରିବର୍ତ୍ତନ କରି କଳା ରୂପରେ ଗଣପତିବେଶ ଧାରଣ କଲେ ଓ ଧବଳ ରୂପରେ ବଳଭଦ୍ର ଶୋଭା ପାଇଲେ । ଏ ଅଲୌକିକ ଘଟଣା ଦେଖି ଶ୍ରୀଗଣପତି ଭଟ୍ଟଙ୍କ ଜ୍ଞାନୋଦୟ ହେଲା ଏବଂ ସେ ନିଜର ଭୁଲ ବୁଝିପାରି ମହାପ୍ରଭୁଙ୍କ ନିକଟରେ କ୍ଷମା ପ୍ରାଥନା କରିଲେ । ତାଙ୍କ ପ୍ରାର୍ଥନାରେ ମହାପ୍ରଭୁ ସନ୍ତୁଷ୍ଟ ହୋଇ ଶ୍ରୀଗଣପତି ଭଟ୍ଟଙ୍କୁ ବର ପ୍ରଦାନ କଲେ ଯେ, ପ୍ରତିବର୍ଷ ଏହି ଦିନରେ ମହାପ୍ରଭୁ ଜଗନ୍ନାଥ ଗଜବେଶ ଧାରଣ କରିବେ । ତେଣୁ ଏହି ଘଟଣା ପରଠାରୁ ପ୍ରତିବର୍ଷ ଚତୁର୍ଦ୍ଧାମୂର୍ତ୍ତି ଦେବସ୍ନାନ ପୂର୍ଣ୍ଣିମାରେ ଗଜବେଶ ଧାରଣକରନ୍ତି । ସେଦିନଠୁ ଗଣପତି ଭଟ୍ଟଙ୍କ ଗଜବେଶ ଦର୍ଶନର ସ୍ମାରକୀ ସ୍ୱରୂପ ଏହି ବେଶ ପରମ୍ପରା ଓ ସଂସ୍କୃତି ପ୍ରଚଳିତ ହୋଇ ଆସୁଛି ।
ଦଶରଥ ହେମ୍ବ୍ରମ୍‌
ମୋ -୯୩୩୭୪୦୪୨୫୪

Tags: