ଡ୍ୟାନ୍ସିଂ ଘର

ଡ୍ୟାନ୍ସିଂ ଘର
Ipsita Picture
By: Ipsita
Published On

 

ଖରାଦିନ ଆସିଲେ ସମସ୍ତେ ନିଜ ନିଜର ଘରକୁ ଥଣ୍ଡା କରିବା ପାଇଁ ବିଭିନ୍ନ ପ୍ରକାର ପନ୍ଥା ଆପଣାଇବା ଆରମ୍ଭ କରିଥାଆନ୍ତି । କିଏ ଘରେ ଧଳା ରଙ୍ଗ ଦିଏ ତ ଅନ୍ୟ କିଏ ଏସି ଲଗାଏ । ତେବେ ପ୍ରତିବର୍ଷ ଖରାଦିନ ଆସିଲେ ତିରୁବନନ୍ତପୁରମ୍ର ଏକ ଘର ଖୁବ ଚର୍ଚ୍ଚାକୁ ଆସିଥାଏ । ଏହାର ନିଆରା ନିର୍ମାଣ ଶୈଳୀପାଇଁ ଘରଟି ଚର୍ଚ୍ଚାରେ ରହିଥାଏ ।

ଆଧୁନିକ ନିର୍ମାଣ ଶୈଳୀରେ ସିମେଣ୍ଟ ଓ କଂକ୍ରିଟ୍ର ଜଙ୍ଗଲ ଭିତରେ କେରଳର ତିରୁବନନ୍ତପୁରମ୍ରେ ନିର୍ମିତ ପିରୁଏଟ୍ ହାଉସ୍’  ବା ଡ୍ୟାନ୍ସିଂ ସବୁବେଳେ ଚର୍ଚ୍ଚାରେ ରହିଥାଏ । ୧୯୬ ବର୍ଗ ମିଟର ପରିମିତ ଏହି ଘରଟି କାଦୁଅ, ପୋଡ଼ା ଇଟା ଏବଂ ପରିତ୍ୟକ୍ତ ବର୍ଜ୍ୟବସ୍ତୁରେ ତିଆରି ହୋଇଥିଲେ ମଧ୍ୟ ଏହାର କାନ୍ଥଗୁଡ଼ିକ ଏପରି ଭାବେ ବଙ୍କା ହୋଇ ରହିଛି ଯେ, ଦୂରରୁ ଦେଖିଲେ ମନେହୁଏ ସତେ ଯେମିତି କାନ୍ଥଗୁଡ଼ିକ ପରସ୍ପର ସହ ନୃତ୍ୟ କରୁଛନ୍ତି । ଆର୍କିଟେକ୍ଟ ବିନୁ ଡାନିଏଲ୍ ଏଥିରେ ରାଟ୍ ଟ୍ରାପ୍ ବଣ୍ଡ୍’  ନାମକ ଏକ ପାରମ୍ପରିକ ଇଟା ଖଞ୍ଜିବା ପଦ୍ଧତି ବ୍ୟବହାର କରିଛନ୍ତି, ଯେଉଁଥିରେ ଇଟାଗୁଡ଼ିକୁ ଭୂସମାନ୍ତର ବା ହରାଇଜେଣ୍ଟାଲ ପରିବର୍ତ୍ତେ ଭୂଲମ୍ବ ବା ଭର୍ଟିକାଲ ଭାବରେ ରଖାଯାଏ । ଏହି କୌଶଳ ଯୋଗୁଁ କାନ୍ଥ ମଧ୍ୟଭାଗରେ ଖାଲି ସ୍ଥାନ ରହିଥାଏ, ଯାହା ଘରର ତାପମାତ୍ରାକୁ ନିୟନ୍ତ୍ରଣ କରିବା ସହ ଭିତରକୁ ସବୁବେଳେ ଥଣ୍ଡା ରଖିବାରେ ସାହାଯ୍ୟ କରିଥାଏ। ଏହା କେବଳ ଦେଖିବାକୁ ସୁନ୍ଦର ନୁହେଁ, ବରଂ ଏହାଦ୍ୱାରା ନିର୍ମାଣ ଖର୍ଚ୍ଚ ମଧ୍ୟ ଯଥେଷ୍ଟ କମ୍ ହୋଇଥାଏ; ବିନୁଙ୍କ ଅନୁଯାୟୀ, ଏହି ଶୈଳୀରେ ସିମେଣ୍ଟ ବ୍ୟବହାର ପ୍ରାୟ ୪୦% ଏବଂ ଷ୍ଟିଲ ବ୍ୟବହାର ୩୦% ପର୍ଯ୍ୟନ୍ତ କମିଯାଇଛି । ଘରଟିର ଭିତର ଭାଗକୁ ଦେଖିଲେ ଜଣାପଡ଼େ ଯେ ଏହା ପ୍ରାକୃତିକ ଆଲୋକ ଓ ବାୟୁ ଚଳାଚଳ ପାଇଁ ଖୁବ୍ ଉତ୍କୃଷ୍ଟ। ଭାରତୀୟ ପାରମ୍ପରିକ ଘର ଭଳି ଏହାର ମଧ୍ୟଭାଗରେ ଏକ ସୁନ୍ଦର ଅଗଣା ରହିଛି । ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଏହାର ଚଟାଣ ଏବଂ ଆସବାବପତ୍ରଗୁଡ଼ିକ ପୁରୁଣା ପରିତ୍ୟକ୍ତ କାଠକୁ ପୁନଃଚକ୍ରଣ କରି ପ୍ରସ୍ତୁତ କରାଯାଇଛି । ବର୍ଜ୍ୟ କାଠ ପଟାକୁ ଯୋଡ଼ି ଲିଭିଂ ରୁମ୍ର ଚଟାଣ ତିଆରି ହୋଇଥିବା ବେଳେ, ପଡ଼ୋଶୀ ଅଞ୍ଚଳରୁ ସଂଗ୍ରହ କରାଯାଇଥିବା ବେତକୁ ଗ୍ରିଲ୍ ଚାରିପଟେ ସୁନ୍ଦର ଭାବେ ଗୁଡ଼ାଯାଇ ଏକ ସୂକ୍ଷ୍ମ ପରଦା ଭଳି ବ୍ୟବହାର କରାଯାଇଛି। ସହରର ବ୍ୟସ୍ତବହୁଳ ପରିବେଶ ମଧ୍ୟରେ ଥିଲେ ମଧ୍ୟ ଏହି ଘରଟି ଗଛଲତା ଏବଂ ପରିସର ମଧ୍ୟରେ ଥିବା ଏକ ନଡ଼ିଆ ଗଛ ଦ୍ୱାରା ଘେରି ହୋଇ ରହି ଏକ ଶାନ୍ତ ପରିବେଶ ପ୍ରଦାନ କରୁଛି । ସ୍ଥାୟୀ ନିର୍ମାଣ ବିଜ୍ଞାନ ଓ ସୌନ୍ଦର୍ଯ୍ୟର ଏହା ଏକ ଶ୍ରେଷ୍ଠ ସମନ୍ୱୟବୋଲି ସମସ୍ତେ ମତ ଦେଉଛନ୍ତି । ସୋସିଆଲ ମିଡିଆରେ ସମସ୍ତେ ଏହି ଉନ୍ନତ ଜ୍ଞାନକୌଶଳର ପ୍ରଶଂସା କରୁଥିବା ଦେଖିବାକୁ ମିଳୁଛି ।

Tags: