କୁମ୍ଭୀର ସୁପ
ତାଇୱାନର ଏକ ରେଷ୍ଟୁରାଣ୍ଟ ଏଭଳି ଏକ ଅଦ୍ଭୁତ ଡିସ ପ୍ରସ୍ତୁତ କରିଛି, ଯାହାକୁ ଦେଖିଲେ ମନେହେବ ତାହା ଯେପରି କୌଣସି ହଲିଉଡର ସୁପପାୱାର ସିନେମାରେ ପରଷା ଯାଉଥିବା କାଳ୍ପନିକ ଡିସ । କିନ୍ତୁ ଏହା କାଳ୍ପନିକ ନୁହେଁ ବରଂ ବାସ୍ତବରେ ଗ୍ରାହକଙ୍କୁ ପରଷା ଯାଉଛି । 'ଗଡଜିଲା ରେମନ୍' ନାମକ ଏହି ଅନୋଖା ସୁପ୍କୁ ଦକ୍ଷିଣ ତାଇୱାନର ଦୁଲିୟୁ ସ୍ଥିତ ଏକ ରେଷ୍ଟୁରାଣ୍ଟରେ ପରଷା ଯାଉଛି, ଯେଉଁଥିରେ ସାଧାରଣ ନୁଡୁଲ୍ସ ବା ରେମନ୍ ଉପରେ ଏକ କୁମ୍ଭୀରର ଗୋଡ଼ ରଖାଯାଉଛି । ଏହି ସୁପରେ କୁମ୍ଭୀର ମାଂସ ସହିତ ଅଣ୍ଡା, ଘୁଷୁରୀ ମାଂସ,ବେବି କର୍ଣ୍ଣ, ବାଉଁଶ ଗଜା, ବ୍ଲାକ୍ ଫଙ୍ଗସ୍ ଏବଂ ଫିସ୍ ପେଷ୍ଟର ବ୍ୟବହାର କରାଯାଇଥାଏ । ଏହି ଡିସର ବିଶେଷତ୍ୱ ହେଉଛି ଯେ କୁମ୍ଭୀର ଗୋଡ଼କୁ ପ୍ରଥମେ ଭଲ ଭାବରେ ସଫା କରାଯିବା ପରେ ସେଥିରେ ଅଦା, ରସୁଣ ଏବଂ କଞ୍ଚା ପିଆଜର ମସଲା ଲଗାଯାଏ । ଯାହାପରେ ଏହାକୁ ପ୍ରାୟ ୨ ଘଣ୍ଟା ପର୍ଯ୍ୟନ୍ତ ସିଝାଯାଏ, ଯାହାଫଳରେ ସମ୍ପୂର୍ଣ୍ଣ ଡିସ ପ୍ରସ୍ତୁତ ହେବା ପାଇଁ ପାଖାପାଖି ୩ ଘଣ୍ଟା ସମୟ ଲାଗିଥାଏ । କୁମ୍ଭୀର ଗୋଡ଼ ସହଜରେ ମିଳୁ ନଥିବାରୁ ଏହି ଏକ ଗିନା ସୁପ୍ର ମୂଲ୍ୟ ୧୫୦୦ ନ୍ୟୁ ତାଇୱାନ ଡଲାର (ପ୍ରାୟ ୪୩୦୦ ଭାରତୀୟ ଟଙ୍କା) ରଖାଯାଇଛି । ରେଷ୍ଟୁରାଣ୍ଟ ପକ୍ଷରୁ ଦିନକୁ ମାତ୍ର ୨ ଗିନା ସୁପ୍ ବିକ୍ରି କରାଯାଉଛି । ଏହି ଅଦ୍ଭୁତ ସ୍ୱାଦର ମଜା ନେବା ପାଇଁ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ଯାହାଫଳରେ ଏହାକୁ ଖାଇବା ପାଇଁ ଅଗଷ୍ଟ ଶେଷ ପର୍ଯ୍ୟନ୍ତ ସମସ୍ତ ବୁକିଂ ସମ୍ପୂର୍ଣ୍ଣ ଫୁଲ୍ ହୋଇଯାଇଛି ଓ ଏବେ ଏକ ଲମ୍ବା ୱେଟିଂ ଲିଷ୍ଟ ଜାରି ରହିଥିବା ଜଣାପଡିଛି ।



