ମହାକାଶରେ ରୋଷେଇ
ନାସାର ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ଅନିଲ ମେନନ୍ ଆନ୍ତର୍ଜାତୀୟ ମହାକାଶ ଷ୍ଟେସନରେ ତାଜା ପନିପରିବା ଚାଷ କରିବା ସହ ତାହାକୁ ରୋଷେଇ କରି ଏକ ନୂଆ ଇତିହାସ ରଚିଛନ୍ତି । ନାସାର 'ଭେଜି' ପ୍ଲାଣ୍ଟ-ଗ୍ରୋଥ୍ ଚାମ୍ବରରେ ପ୍ରାୟ ଗୋଟିଏ ମାସ ଧରି କେଲ୍ ଏବଂ ୱାସାବି ମାଷ୍ଟାର୍ଡ ଗ୍ରୀନ୍ସ ସଫଳତାର ସହ ଚାଷ କରାଯାଇଥିଲା । ଅନିଲ ମେନନ୍ ଏବଂ ତାଙ୍କର ସହଯୋଗୀ ମହାକାଶଚାରୀ ଜେସିକା ମେୟର ଏହି ସବୁଜ ପତ୍ରଗୁଡ଼ିକୁ ଅମଳ କରି ମହାକାଶରେ ହିଁ ତାଜା ଭୋଜନ ପ୍ରସ୍ତୁତ କରିଥିଲେ । ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଏହା ମହାକାଶର ସବୁଠାରୁ ସୁସ୍ବାଦୁ ଭୋଜନ ଥିଲା ବୋଲି ସେମାନେ ଏହି ପୋଷ୍ଟରେ ଉଲ୍ଲେଖ କରିଛନ୍ତି । ଶୂନ୍ୟ ମାଧ୍ୟାକର୍ଷଣରେ ଗଛଗୁଡ଼ିକ କିପରି ବଢ଼ୁଛନ୍ତି ତାହା ବୁଝିବା ପାଇଁ ଏହି ଗବେଷଣା ଆରମ୍ଭ କରାଯାଇଛି। ଚନ୍ଦ୍ର, ମଙ୍ଗଳ ଓ ଅନ୍ୟାନ୍ୟ ଦୂରଗାମୀ ମହାକାଶ ଅଭିଯାନ ପାଇଁ ଏହି ସଫଳତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ । କାରଣ ଏହା ମହାକାଶଚାରୀମାନଙ୍କୁ ପୋଷକ ତତ୍ତ୍ୱ ଯୋଗାଇବା ସହ ସେମାନଙ୍କର ମାନସିକ ଉତ୍ସାହ ବୃଦ୍ଧି କରିବ ଏବଂ ପୃଥିବୀରୁ ଖାଦ୍ୟ ପଠାଇବାର ଆବଶ୍ୟକତାକୁ ହ୍ରାସ କରିବ।




