ଜେନ ଜି କାର୍ଯ୍ୟଶୈଳୀକୁ ନେଇ ଚିନ୍ତା
ପ୍ରଫେସନାଲ୍ କ୍ୟାରିୟର ଆରମ୍ଭ କରୁଥିବା ନୂଆ ପିଢ଼ି ବା ଜେନ୍-ଜିଙ୍କ ପ୍ରଫେସନାଲ ବ୍ୟବହାର ଓ କାର୍ଯ୍ୟସ୍ଥଳ କୌଶଳକୁ ନେଇ ବିଶ୍ୱବ୍ୟାପୀ କମ୍ପାନୀ ଏବଂ ଉଚ୍ଚାଧିକାରୀଙ୍କ ମଧ୍ୟରେ ଚିନ୍ତା ବୃଦ୍ଧି ପାଇବାରେ ଲାଗିଛି । ନୂଆ ଗ୍ରାଜୁଏଟ୍ମାନଙ୍କଠାରେ ଯୋଗାଯୋଗ କୌଶଳ , କାର୍ଯ୍ୟାଳୟ ଶିଷ୍ଟାଚାର ଆଦି ଚିନ୍ତାଧାରାର ଗମ୍ଭୀର ଅଭାବ ରହିଥିବା ନେଇ ଅନେକ ଆମେରିକୀୟ କମ୍ପାନୀ ସୂଚନା ଦେଇଛନ୍ତି । ସମ୍ପ୍ରତି ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ଅଫିସ୍ରେ ଇମେଲ୍ ସଠିକ୍ ଭାବେ ପଠାଇବା, ବୈଠକରେ ଶାଳୀନତାର ସହ ଅସହମତି ପ୍ରକାଶ କରିବା, ଉଚ୍ଚପଦସ୍ଥ ଅଧିକାରୀଙ୍କୁ ପ୍ରଶ୍ନ ପଚାରିବା ଏବଂ ଏଆଇ ଦ୍ୱାରା ପ୍ରାପ୍ତ ଉତ୍ତରର ସତ୍ୟତା ଯାଞ୍ଚ କରିବା ଭଳି କ୍ଷେତ୍ରରେ ନୂଆ କର୍ମଚାରୀମାନେ ଅନେକ ଚାଲେଞ୍ଜର ସମ୍ମୁଖୀନ ହେଉଛନ୍ତି । 'ନ୍ୟାସନାଲ ଆସୋସିଏସନ୍ ଅଫ୍ କଲେଜ୍ ଆଣ୍ଡ ଏମ୍ପ୍ଲୋୟର୍ସ' ର ସର୍ଭେ ଅନୁଯାୟୀ, ୭୧.୨% କମ୍ପାନୀ ନୂଆ ଗ୍ରାଜୁଏଟ୍ମାନଙ୍କୁ ଚାକିରି ପାଇଁ 'କେବଳ କିଛି ପରିମାଣରେ ପ୍ରସ୍ତୁତ' ବୋଲି ଦର୍ଶାଇଥିବା ବେଳେ ମାତ୍ର ୨୧.୬% ସେମାନଙ୍କୁ ପୂର୍ଣ୍ଣ ପ୍ରସ୍ତୁତ ଏବଂ ୭.୨% ସମ୍ପୂର୍ଣ୍ଣ ଅପ୍ରସ୍ତୁତ ବୋଲି କହିଛନ୍ତି । ଏତଦ୍ବ୍ୟତୀତ, ୭୫% କମ୍ପାନୀ ନୂଆ କର୍ମଚାରୀଙ୍କ ଦକ୍ଷତାକୁ ଅସନ୍ତୋଷଜନକ ବୋଲି ଅଭିହିତ କରିଛନ୍ତି । ସେହିଭଳି ୮୦୦ ରୁ ଊର୍ଦ୍ଧ୍ୱ ଏଚ୍ଆର୍ ଲିଡରଙ୍କ ଅନ୍ୟ ଏକ ସର୍ଭେରେ ୩୭% ଅଧିକାରୀ ନୂଆ ଗ୍ରାଜୁଏଟ୍ଙ୍କ ବଦଳରେ ରୋବୋଟ୍ କିମ୍ବା ଏଆଇ ବ୍ୟବହାର କରିବାକୁ ଶ୍ରେୟସ୍କର ମଣିଛନ୍ତି । ବିଶେଷଜ୍ଞଙ୍କ ମତରେ କୋରୋନା ମହାମାରୀ ସମୟରେ ଦୀର୍ଘଦିନ ଧରି ଶିକ୍ଷାନୁଷ୍ଠାନ ବନ୍ଦ ରହିବା, ଅତ୍ୟଧିକ ସ୍କ୍ରିନ୍ ଟାଇମ୍, ସାମାଜିକ ଦୂରତା ଏବଂ 'ୱାର୍କ-ଫ୍ରମ୍-ହୋମ୍' ପରିବେଶ ଯୋଗୁଁ ଯୁବପିଢ଼ିଙ୍କ ମଧ୍ୟରେ ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି । ବିଶେଷଜ୍ଞମାନେ ସୁପାରିଶ କରିଛନ୍ତି ଯେ, କଲେଜ ଏବଂ କମ୍ପାନୀଗୁଡ଼ିକ ମିଳିତ ଭାବେ ଯୁବପିଢ଼ିଙ୍କୁ ଅଫିସ୍ ଟ୍ରାଡିସନ, ସାମାଜିକ ବ୍ୟବହାର ଏବଂ ଏଆଇର ଦାୟିତ୍ୱପୂର୍ଣ୍ଣ ବ୍ୟବହାର ସମ୍ପର୍କରେ ସ୍ୱତନ୍ତ୍ର ତାଲିମ ପ୍ରଦାନ କରିବା ନିହାତି ଆବଶ୍ୟକ ।




