ଚିନ୍ତାଶକ୍ତି ଦ୍ବାରା ଚାଲିବ କମ୍ପ୍ୟୁଟର
ଏଲନ୍ ମସ୍କଙ୍କ କମ୍ପାନୀ 'ନ୍ୟୁରାଲିଙ୍କ' ଏପରି ଏକ ଆଧୁନିକ ପ୍ରଯୁକ୍ତିବିଦ୍ୟା ବିକଶିତ କରୁଛି, ଯାହା ମାଧ୍ୟମରେ ବିନା କିବୋର୍ଡ କିମ୍ବା ମାଉସ୍ ବ୍ୟବହାର କରି କେବଳ ଭାବନା ବା ଚିନ୍ତାଶକ୍ତି ଦ୍ୱାରା କମ୍ପ୍ୟୁଟର କର୍ସର ଚଳାଇବା, କ୍ଲିକ୍ କରିବା ଏବଂ ଟାଇପିଂ ମଧ୍ୟ କରାଯାଇପାରିବ। ଏହି ପ୍ରଯୁକ୍ତି ପାଇଁ 'ଟେଲିପାଥି' ନାମକ ଏକ ସୂକ୍ଷ୍ମ ଚିପ୍ ଅସ୍ତ୍ରୋପଚାର ମାଧ୍ୟମରେ ମସ୍ତିଷ୍କରେ ରୋପଣ କରାଯାଏ । ଯେଉଁଥିରେ ଥିବା ସୂତା ପରି ପତଳା ଇଲେକ୍ଟ୍ରୋଡଗୁଡ଼ିକ ମସ୍ତିଷ୍କର ସଙ୍କେତକୁ ଗ୍ରହଣ କରି କମ୍ପ୍ୟୁଟରକୁ ପଠାନ୍ତି ଏବଂ ତାହା ବିଭିନ୍ନ କମାଣ୍ଡରେ ରୂପାନ୍ତରିତ ହୋଇଥାଏ । ପାରାଲିସିସ୍ ଆକ୍ରାନ୍ତ ବ୍ୟକ୍ତିମାନଙ୍କୁ ବିନା ହାତ ବ୍ୟବହାରରେ କମ୍ପ୍ୟୁଟର ଚଳାଇବାରେ ସାହାଯ୍ୟ କରିବା ଏହାର ମୁଖ୍ୟ ଲକ୍ଷ୍ୟ ଅଟେ । ଏହା ବ୍ୟତୀତ, କମ୍ପାନୀ 'ବ୍ଲାଇଣ୍ଡସାଇଟ୍' ନାମକ ଅନ୍ୟ ଏକ ବୈଷୟିକ କୌଶଳ ଉପରେ କାର୍ଯ୍ୟ କରୁଛି, ଯାହା କ୍ୟାମେରା ଦ୍ୱାରା ସଂଗୃହିତ ତଥ୍ୟକୁ ସିଧାସଳଖ ମସ୍ତିଷ୍କର ଭିଜୁଆଲ୍ କୋର୍ଟେକ୍ସକୁ ପଠାଇ ସମ୍ପୂର୍ଣ୍ଣ ଦୃଷ୍ଟିହୀନ ବ୍ୟକ୍ତିଙ୍କୁ ଦୃଷ୍ଟିଶକ୍ତି ଫେରାଇ ଆଣିବାରେ ସାହାଯ୍ୟ କରିବ ବୋଲି ଦାବି କରାଯାଇଛି । ତେବେ ମଣିଷ ଉପରେ ଏହାର ପରୀକ୍ଷଣ ବାକି ଅଛି ।




