କୁକୁରକୁ କମାଣ୍ଡୋ ଟ୍ରେନିଂ
ସନ୍ଧାନ ଓ ଉଦ୍ଧାର ଅଭିଯାନ ପାଇଁ ମେକ୍ସିକୋର ନ୍ୟାସନାଲ ଗାର୍ଡ ଦ୍ୱାରା 'କମାଣ୍ଡୋ' ନାମକ ଏକ ୮ ଇଞ୍ଚ ବିଶିଷ୍ଟ ଚିହୁଆହୁଆ ପ୍ରଜାତିର କୁକୁରକୁ ସ୍ପେସାଲ କମାଣ୍ଡୋ ତାଲିମ ଦିଆଯାଉଛି । ପ୍ରାୟ ୩୫୦ଟି କୁକୁରକୁ ନେଇ ଗଠିତ ଏକ ସ୍ୱତନ୍ତ୍ର ୟୁନିଟ୍ରେ ଏହି ୭ କିଲୋଗ୍ରାମ ବିଶିଷ୍ଟ କୁକୁରଟି ସାମିଲ ରହିଛି । ଏହି ଦଳର ଅଧିକାଂଶ କୁକୁର ଜର୍ମାନ ଶେଫର୍ଡ ଓ ଲାବ୍ରାଡର ପ୍ରଜାତିର ଅଟନ୍ତି । ତାଲିମ ସମୟରେ କମାଣ୍ଡୋକୁ ସନ ଗଗଲ୍ସ , ଟ୍ୟାକ୍ଟିକାଲ ଜ୍ୟାକେଟ୍, ସୁରକ୍ଷା ହେଲମେଟ୍ ଏବଂ ମୁଣ୍ଡରେ କ୍ୟାମେରା ଲଗାଯାଇ ସୈନ୍ୟମାନଙ୍କ ସହ ସିଡ଼ି ଚଢ଼ିବା, ବାଧାବିଘ୍ନ ପାର କରିବା ଓ ବିଭିନ୍ନ ଉଦ୍ଧାର କୌଶଳ ଶିଖାଯାଉଛି । ପୂର୍ବରୁ ଜଣେ ବୃଦ୍ଧ ଦମ୍ପତିଙ୍କ ନିକଟରେ ରହୁଥିବା ଏହି କୁକୁରଟିକୁ ପରବର୍ତ୍ତୀ ସମୟରେ ଏକ ଉଦ୍ଧାର କେନ୍ଦ୍ରକୁ ନିଆଯାଇଥିଲା । ପ୍ରାୟ ୬ ମାସ ପରେ ମେକ୍ସିକୋର ନ୍ୟାସନାଲ ଗାର୍ଡ ତାକୁ ଆପଣେଇ ନେଇଥିଲେ । କଠିନ ତାଲିମ ବ୍ୟତୀତ କମାଣ୍ଡୋ ବିଦ୍ୟାଳୟ ପରିଦର୍ଶନ, ସାର୍ବଜନୀନ କାର୍ଯ୍ୟକ୍ରମ ଏବଂ ମେକ୍ସିକୋର ସ୍ୱାଧୀନତା ଦିବସ ପରେଡ୍ରେ ସୈନିକମାନଙ୍କ ସହ ମାର୍ଚ୍ଚ ପାଷ୍ଟରେ ଭାଗ ନେଇ ପ୍ରଶଂସିତ ହୋଇଛି ।




