ରଙ୍ଗୀନ ଲବଷ୍ଟର
ଆମେରିକାର ମାସାଚୁସେଟ୍ସ ଉପକୂଳରେ ଜଣେ ମତ୍ସ୍ୟଜୀବୀ ଦଳ ଏକ ଅତ୍ୟନ୍ତ ଦୁର୍ଲଭ ଚିଙ୍ଗୁଡ଼ି ପ୍ରଜାତି ବା ଲବଷ୍ଟର ଧରିଛନ୍ତି, ଯାହାର ଶରୀର ମଝିରୁ ଦୁଇଟି ଭିନ୍ନ ରଙ୍ଗରେ ବିଭକ୍ତ ହୋଇଛି । କେପ୍ କୋଡ୍ ନିକଟରୁ ‘ଟିମୋଥି ମାଇକେଲ୍’ ନାମକ ଜାହାଜ ଦ୍ୱାରା ଧରାଯାଇଥିବା ଏହି ୩ ପାଉଣ୍ଡ ଓଜନର ମାଈ ଲବଷ୍ଟରର ଶରୀରର ଗୋଟିଏ ପାର୍ଶ୍ୱ ସାଧାରଣ ବାଦାମୀ ରଙ୍ଗର ହୋଇଥିବା ବେଳେ ଅନ୍ୟ ପାର୍ଶ୍ୱଟି ସମ୍ପୂର୍ଣ୍ଣ ଉଜ୍ଜ୍ୱଳ ନାରଙ୍ଗୀ ରଙ୍ଗର ରହିଛି। ବିଜ୍ଞାନ ଅନୁଯାୟୀ, ପ୍ରାୟ ୫ କୋଟି ଲବଷ୍ଟରଙ୍କ ମଧ୍ୟରେ ମାତ୍ର ଜଣକ ପାଖରେ ଏଭଳି ଅଦ୍ଭୁତ ଜେନେଟିକ୍ ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ଏହି ବିରଳ ରଙ୍ଗ ଯୋଗୁଁ ଏହି ଲବଷ୍ଟରକୁ ଖାଦ୍ୟ ଭାବେ ବ୍ୟବହାର ନକରି ‘ୱେଲ୍ଫ୍ଲିଟ୍ ସେଲ୍ଫିସ୍ କମ୍ପାନୀ’ ଏହାକୁ ମାସାଚୁସେଟ୍ସର ଉଡ୍ସ ହୋଲ୍ ସାଇନ୍ସ ଆକ୍ୱାରିୟମକୁ ଅଧ୍ୟୟନ ପାଇଁ ଦାନ କରିଛନ୍ତି । ସେଠାରେ ଏକ ବଡ଼ ଧରଣର ନବୀକରଣ କାର୍ଯ୍ୟ ପରେ ୨୦୨୭ ମସିହାରେ ଏହି ନିଆରା ଲବଷ୍ଟରକୁ ସର୍ବସାଧାରଣଙ୍କ ପ୍ରଦର୍ଶନ ପାଇଁ ରଖାଯିବ ବୋଲି ଜଣାପଡ଼ିଛି । ଅନ୍ୟାନ୍ୟ ଦୁର୍ଲଭ ଚିଙ୍ଗୁଡ଼ି ତୁଳନାରେ ଏହାର ମୂଲ୍ୟ ବହୁ ଅଧିକ । ସେହିଭଳି ଏହି ରଙ୍ଗୀନ ଲବଷ୍ଟର ମିଳିବା ମଧ୍ୟ ଖୁବ ବିରଳ । ନୀଳ ରଙ୍ଗର ଲବଷ୍ଟର ୨୦ ଲକ୍ଷରେ ଗୋଟିଏ ଏବଂ ଧଳା ବା ଆଲବିନୋ ଲବଷ୍ଟର ୧୦ କୋଟିରେ ଗୋଟିଏ ମିଳିଥାନ୍ତି ।



