ଖରାଦିନେ ଥଣ୍ଡା ଶୀତଦିନେ ଗରମ
ବର୍ତ୍ତମାନ ଦେଶର ବିଭିନ୍ନ ସହରରେ ପ୍ରବଳ ଶୀତ ଅନୁଭୂତ ହେଉଛି । ତେବେ ବର୍ତ୍ତମାନ ସମସ୍ତେ ଚେଷ୍ଟା କରୁଛନ୍ତି ଘରଗୁଡ଼ିକୁ ବିଭିନ୍ନ ଋତୁ ଅନୁଯାୟୀ ପ୍ରସ୍ତୁତ ରଖିବାକୁ । ତେବେ ବାଙ୍ଗାଲୁରର ଗୋଟିଏ ଘର ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାରେ ରହିଛି । ଏହି ଘରଟି ନିଜ ନିଆରାତ୍ବ ପାଇଁ ଖୁବ ଭାଇରାଲ ହେବାରେ ଲାଗିଛି ।
ବାଙ୍ଗାଲୁରର ସୁଧା ଶେଟ୍ଟୀ ନିଜର ୫୦ ବର୍ଷର ପୁରୁଣା ଘରକୁ ଏକ ନୂଆ ରୂପ ଦେଇଛନ୍ତି, ଯାହା ବର୍ତ୍ତମାନ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛି । ଏହି ଘରଟି ପ୍ରାକୃତିକ ଆଲୋକ, ୩୦୦ ଲିଟରର ସୌର ଜଳ ତାପକ ଏବଂ ଜଳବାୟୁ-ଅନୁକୂଳ ନିର୍ମାଣ ଶୈଳୀ ମାଧ୍ୟମରେ ଶୀତଦିନେ ଉଷ୍ମତା ବଜାୟ ରଖିବା ସହ ଖରା ଏବଂ ବର୍ଷା ଦିନେ ମଧ୍ୟ ଉପଯୁକ୍ତ ରହିପାରୁଛି, ଯାହା ସମସ୍ତଙ୍କ ପାଇଁ ଏକ ଆଦର୍ଶ ମଡେଲ୍ ସାଜିଛି । ପୁରୁଣା ଘରକୁ ସମ୍ପୂର୍ଣ୍ଣ ଭାଙ୍ଗି ନୂଆ କରି ଗଢ଼ିବା ପରିବର୍ତ୍ତେ, ସୁଧା ସେହି ପୁରୁଣା କାନ୍ଥ ଏବଂ ଛାତର ସ୍ଲାବଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ସ୍ଥିର କରିଥିଲେ। ପୂର୍ବରୁ ଥିବା ଦୁଇଟି ପୃଥକ ୟୁନିଟକୁ ସେ ଅତି ସାବଧାନତାର ସହ ମିଶାଇ ଏକ ନୂଆ ରୂପ ଦେଇଛନ୍ତି। ଏହି ପରିବର୍ତ୍ତନ ମାଧ୍ୟମରେ ସେ ପୁରୁଣା ଗ୍ୟାରେଜ୍କୁ ସୁରକ୍ଷିତ ରଖିବା ସହ ତିନୋଟି ବେଡ୍ରୁମ୍, କିଚେନ୍, ଷ୍ଟୋର୍ ରୁମ୍ ଏବଂ ଗୃହପାଳିତ ପ୍ରାଣୀଙ୍କ ପାଇଁ ଏକ ସ୍ୱତନ୍ତ୍ର ରୋଷେଇ ଘର ମଧ୍ୟ ପ୍ରସ୍ତୁତ କରିଛନ୍ତି । ଏହି ପରିବେଶ ଅନୁକୂଳ ଘରର ସବୁଠାରୁ ଆକର୍ଷଣୀୟ ବିଶେଷତ୍ୱ ହେଉଛି ଏହାର ୧୨ ଫୁଟର 'ସୋଲାର ଚିମିନି', ଯାହା ଘରର ଗରମ ପବନକୁ ବାହାର କରି ଥଣ୍ଡା ପବନ ଭିତରକୁ ଆଣିବାରେ ସାହାଯ୍ୟ କରିଥାଏ । ଏହାସହ ଧଳା ରଙ୍ଗର ଟାଇଲ୍ ପକାଯାଇଥିବା ଛାତ ପ୍ରମୁଖ, ଯାହା ସୂର୍ଯ୍ୟକିରଣକୁ ପ୍ରତିଫଳିତ କରି ଘରକୁ ଗରମ ହେବାରୁ ରକ୍ଷା କରିଥାଏ। ଏଥିସହିତ, ଉପଯୁକ୍ତ ମାପର ଝରକା ଏବଂ ଉଚ୍ଚମାନର 'ଇନସୁଲେଟେଡ୍ ଗ୍ଲାସ' ବ୍ୟବହାର କରାଯାଇଛି, ଯାହା ତାପମାତ୍ରା ନ ବଢ଼ାଇ ଘର ଭିତରକୁ ପ୍ରଚୁର ପ୍ରାକୃତିକ ଆଲୋକ ଆସିବାରେ ସାହାଯ୍ୟ କରେ । ଏହି ସମସ୍ତ ପଦକ୍ଷେପ ଯୋଗୁଁ ଘରର ବିଦ୍ୟୁତ୍ ଖର୍ଚ୍ଚ ପ୍ରାୟ ୩୦% ପର୍ଯ୍ୟନ୍ତ କମିଯାଇଛି। ଘର ମଝିରେ ଥିବା ଖୋଲା ଅଗଣା ଏବଂ ଉନ୍ନତ ବାୟୁ ଚଳାଚଳ ବ୍ୟବସ୍ଥା ଘରକୁ ସବୁବେଳେ ଥଣ୍ଡା ରଖୁଛି । ଏହି ଘରଟି ଏକ ସୌର ଶକ୍ତି ଗ୍ରୀଡ୍ ସହିତ ସଂଯୁକ୍ତ, ଯାହା ଘରର ପ୍ରାୟ ଏକ-ତୃତୀୟାଂଶ ବିଦ୍ୟୁତ୍ ଆବଶ୍ୟକତା ପୂରଣ କରିଥାଏ ଏବଂ ଗରମପାଣି ମଧ୍ୟ ପ୍ରଦାନ କରିଥାଏ। ଘର ପ୍ରାଙ୍ଗଣରେ ଥିବା ଏକ ପୁରୁଣା କୂଅକୁ ବର୍ଷା ଜଳ ସଂରକ୍ଷଣ ଟାଙ୍କିରେ ରୂପାନ୍ତରିତ କରାଯାଇଛି । ମହିଳାଙ୍କର ଏହି ପ୍ରୟାସ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ସାଉଁଟିବାରେ ଲାଗିଛି ।



