ବାଦଲ ଦେଖିବାକୁ ନିଯୁକ୍ତି
ଚୀନ୍ର ହେନାନ୍ ସ୍ଥିତ ଲାଓଜୁନ୍ ପାହାଡ଼ରେ କେବଳ ମେଘ ଦେଖିବା ଏବଂ ନଜର ରଖିବା ପାଇଁ ‘କ୍ଲାଉଡ୍ ଅବଜରଭର’ ପଦବୀର ସୃଷ୍ଟି ହୋଇଛି । ଏହି ଚାକିରିରେ ମାସିକ ପ୍ରାୟ ୮.୪ ଲକ୍ଷ ଟଙ୍କାର ଦରମାରେ ଜଣଙ୍କୁ ନିଯୁକ୍ତି ଦିଆଯାଇଛି, ଯାହା ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଗୋଟିଏ ପଦବୀ ପାଇଁ ପ୍ରାୟ ୩,୬୦୦ ଜଣ ଆବେଦନ କରିଥିବା ବେଳେ ୨୨ ବର୍ଷୀୟ କଣ୍ଟେଣ୍ଟ କ୍ରିଏଟର ଲି ସିଚେନ୍ ଏହି ଚାକିରି ପାଇବାରେ ସଫଳ ହୋଇଛନ୍ତି । ଚୟନ ପ୍ରକ୍ରିୟା ପାଇଁ ଆଶାୟୀମାନଙ୍କୁ ଦୋୟିନ୍ ଆପ୍ରେ ଭିଡିଓ ପୋଷ୍ଟ କରିବାକୁ କୁହାଯାଇଥିଲା, ଯେଉଁଥିରେ ଲି ସିଚେନ୍ଙ୍କ ଭିଡିଓ ଅଳ୍ପ ଦିନ ମଧ୍ୟରେ ୧.୧୦ ଲକ୍ଷରୁ ଅଧିକ ଲାଇକ୍ସ ପାଇଥିଲା । ଏହି ଚାକିରିରେ ତାଙ୍କର ଦିନ ସକାଳ ୪:୫୦ ରୁ ଆରମ୍ଭ ହୋଇଥାଏ । ଏହି ସମୟରେ ତାଙ୍କୁ ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ କ୍ୟାମେରା ଧରି ପାହାଡ଼ ଉପରେ ଘୋଡ଼େଇ ହୋଇ ରହୁଥିବା ମେଘର ସୁଟିଂ କରିବାକୁ ହୋଇଥାଏ । ଏହାସହ ଦୈନିକ ଗୋଟିଏ ଓରିଜିନାଲ୍ ସର୍ଟ ଭିଡିଓ ପବ୍ଲିଶ୍ କରିବାକୁ ପଡ଼ିଥାଏ । ରିପୋର୍ଟ ଅନୁଯାୟୀ, ଏହି ନିଯୁକ୍ତି ଚୀନ୍ ସରକାରଙ୍କ ଏକ ମାର୍କେଟିଂ ରଣନୀତିର ଅଂଶବିଶେଷ, ଯାହାର ଲକ୍ଷ୍ୟ ହେଉଛି ଘରୋଇ ପର୍ଯ୍ୟଟନ ଓ ସର୍ଭିସ୍ ସେକ୍ଟରକୁ ପ୍ରୋତ୍ସାହିତ କରିବା । ଚୀନ୍ର ଷ୍ଟେଟ୍ କାଉନ୍ସିଲ୍ ୧୫ଶ ପଞ୍ଚବାର୍ଷିକ ଯୋଜନା ଅଧୀନରେ ଦେଶକୁ 'ଟୁରିଜମ୍ ସୁପର ପାୱାର' ବନାଇବାକୁ ଲକ୍ଷ୍ୟ ରଖିଥିବା ବେଳେ ସଂସ୍କୃତି ଓ ପର୍ଯ୍ୟଟନକୁ ଯୋଡ଼ି ଉଚ୍ଚମାନର ସେବା ଯୋଗାଇବା ଉପରେ ଗୁରୁତ୍ୱ ଦେଉଛି ।




