କାରରେ ଶୌଚାଳୟ
ଚୀନର ପ୍ରସିଦ୍ଧ କାର୍ କମ୍ପାନୀ ‘ସେରେସ୍’ ଏଭଳି ଏକ ଅଭିନବ ଟଏଲେଟ୍ ଡିଜାଇନ୍ କରିଛି, ଯାହାକୁ କାର୍ ଭିତରେ ହିଁ ବ୍ୟବହାର କରାଯାଇପାରିବ । ଏହି ଟଏଲେଟ୍ଟି କାର୍ ସିଟ୍ ତଳେ ଲୁଚି ରହିଥାଏ ଏବଂ କେବଳ ଭଏସ୍ କମାଣ୍ଡ ବା ଶବ୍ଦ ମାଧ୍ୟମରେ ଏହା ବାହାରକୁ ଆସିଥାଏ । କମ୍ପାନୀ ଏପ୍ରିଲ୍ ୨୦୨୫ରେ ଏହାର ପେଟେଣ୍ଟ ଆବେଦନ କରିଥିବା ବେଳେ ଏବେ ଏହାକୁ ମଞ୍ଜୁରୀ ମିଳିଥିବା ଜଣା ପଡିଛି । ବିଶେଷ କରି ଦୂରଯାତ୍ରା, କ୍ୟାମ୍ପିଂ କିମ୍ବା ଜରୁରୀ ପରିସ୍ଥିତିରେ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଉଦ୍ଭାବନ କରାଯାଇଛି । ଏଥିରେ ଏକ ସ୍ୱତନ୍ତ୍ର ଟାଙ୍କି ରହିଛି ଯେଉଁଠାରେ ବର୍ଜ୍ୟବସ୍ତୁ ଜମା ହୁଏ ଏବଂ ଏକ ଘୂର୍ଣ୍ଣାୟମାନ ହିଟିଂ ସିଷ୍ଟମ୍ ମାଧ୍ୟମରେ ତରଳ ପଦାର୍ଥକୁ ଶୁଖାଇବା ସହ କଠିନ ବର୍ଜ୍ୟବସ୍ତୁକୁ ଡ୍ରାଏ କରିଦିଏ । ଏହା ସହିତ ଦୁର୍ଗନ୍ଧ ଦୂର କରିବା ପାଇଁ ଏଥିରେ ଏକ ଏଗଜଷ୍ଟ ଫ୍ୟାନ୍ ମଧ୍ୟ ଲଗାଯାଇଛି । ଯଦିଓ ପୂର୍ବରୁ ‘ପୋଲଷ୍ଟୋନ୍’ ଭଳି କମ୍ପାନୀ ପୋର୍ଟେବଲ୍ ଟଏଲେଟ୍ ପ୍ରସ୍ତୁତ କରିଛନ୍ତି, କିନ୍ତୁ ସିଟ୍ ତଳେ ଇନବିଲ୍ଟ ଏବଂ ଭଏସ୍ କଣ୍ଟ୍ରୋଲ୍ ସୁବିଧା ଥିବା ଏହି ଟଏଲେଟ୍ ଏକ ନିଆରା ବୈଷୟିକ ଜ୍ଞାନକୌଶଳର ପରିଚୟ ଦେଉଛି । ଟଏଲେଟଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।



