ବ୍ୟଞ୍ଜନ ଦ୍ୱାଦଶୀ
ଶ୍ରୀମନ୍ଦିରର ଭୋଗ ଓ ପର୍ବ ତାଲିକା ଖୁବ ଲମ୍ବା । ପ୍ରତିଦିନ ଏଠାରେ ଅନେକ ପର୍ବ ପାଳନ ହୋଇଥାଏ ଯେଉଁଥିରେ ପ୍ରଭୁଙ୍କ ପାଖରେ ବିଭିନ୍ନ ପ୍ରକାର ଭୋଗ ଲାଗି କରାଯାଇଥାଏ । ସେହିଭଳି ଏକ ପର୍ବ ହେଲା ବ୍ୟଞ୍ଜନ ଦ୍ବାଦଶୀ ।
ଶ୍ରୀଜଗନ୍ନାଥ ମନ୍ଦିରରେ ବାରମାସରେ ତେର ପର୍ବ ପାଳନର ବିଧି ରହିଛି । ସେହିକ୍ରମରେ କିଛି ଦିନ ତଳେ ଶ୍ରୀମନ୍ଦିରରେ ପାଳନ ହୋଇଥିଲା ବ୍ୟଞ୍ଜନ ଦ୍ବାଦଶୀ । ଶ୍ରୀଜୀୟୁଙ୍କର ଏହି ପର୍ବ ସମ୍ପର୍କରେ ଖୁବ କମ ଲୋକ ଜାଣନ୍ତି, ହେଲେ ଏହା ବେଶ୍ ନିଆରା ପର୍ବ ହୋଇଥାଏ । ଏହାର କୀମ୍ବଦନ୍ତୀ ଖୁବ ପୁରୁଣା ଓ ସ୍ବତନ୍ତ୍ର । ଓଡ଼ିଆ ପଞ୍ଜିକାରେ ମାର୍ଗଶୀର ଶୁକ୍ଳ ପକ୍ଷ ଦ୍ୱାଦଶୀ ବ୍ୟଞ୍ଜନ ଦ୍ୱାଦଶୀ ବା ଅଖଣ୍ଡ ଦ୍ୱାଦଶୀ ନାମରେ ଜଣା । ଏହି ଦ୍ୱାଦଶୀରେ ଅନୁଷ୍ଠିତ ଧର୍ମକର୍ମର ନିଶ୍ଚିତ ଫଳ ମିଳେ ବୋଲି ଲୋକ ବିଶ୍ୱାସ ରହିଛି । ବ୍ୟଞ୍ଜନ ଦ୍ୱାଦଶୀ ଗୌଡ଼ୀୟ ବୈଷ୍ଣବ ସଂପ୍ରଦାୟର ଅନୁଗାମୀମାନଙ୍କର ଏକ ପ୍ରମୁଖ ପର୍ବ । ଦିନଟି କୃଷ୍ଣଙ୍କ ପାଇଁ ସମର୍ପିତ ।
କିମ୍ବଦନ୍ତୀ
ମନ୍ଦିରରେ ପାଳନ ହେଉଥିବା ଅନ୍ୟ ପର୍ବ ଭଳି ଏହାର କିମ୍ବଦନ୍ତୀ ମଧ୍ୟ ଖୁବ ପୁରୁଣା । କିମ୍ବଦନ୍ତୀ ଅନୁସାରେ ମା’ ଯଶୋଦା ହଠାତ ଦିନେ ଦେଖିଲେ ଯେ ତାଙ୍କ ଏକୋଇର ବଳା ବିଶିକେଶନ କାହ୍ନାର ଦେହ ଝଡ଼ି ଯାଇଛି। ମା’ଙ୍କ ଆଖିକୁ ସେ ଶୁଖି କଳାକାଠ ପଡ଼ି ଯାଇଥିବା ଦେଖାଗଲେ । ଏତିକିରେ ମା’ ଉଚ୍ଛନ୍ନ ହୋଇଗଲେ । ଭାବିଲେ ନଖାଇ ନପିଇ ସେ ଏମିତି ହୋଇଗଲାଣି । ସେଠୁ ଯଶୋଦା ନିଜେ ରୋଷେଇ ଘରକୁ ଯାଇଁ ନାନାଦି ପ୍ରକାରର ପୁଷ୍ଟିକର ତଥା ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରି କୃଷ୍ଣଙ୍କୁ ଖୁଆଇଲେ । ଶ୍ରୀଚୈତନ୍ୟ ମହାପ୍ରଭୁ ମଧ୍ୟ ବାଲ୍ୟକାଳରେ ନିଜ ମା’ଙ୍କ ପରଷା ବହୁବିଧ ଖାଦ୍ୟ ଖାଇଥିବାର ଶୁଣାକଥା ଅଛି । ଏହି ଦୁଇଟି ଶୁଣାକଥାକୁ ମିଶାଇ ଗୌଡ଼ୀୟ ବୈଷ୍ଣବମାନେ ନିଷ୍ଠାର ସହିତ ବ୍ୟଞ୍ଜନ ଦ୍ୱାଦଶୀ ପାଳନ କରିଥାନ୍ତି ।
ଶ୍ରୀକ୍ଷେତ୍ରରେ ପାଳନ
ଦ୍ୱାପର ଯୁଗର କଥା ଯଶୋଦା ଓ କୃଷ୍ଣଙ୍କ କାହାଣୀ କୃଷ୍ଣ ଲୀଳା, ପୁରୀର ବିଭିନ୍ନ ମଠବାଡ଼ିରେ ଅଭିନୀତ ହୁଏ, ବିଶେଷକରି ମାତାମଠରେ । କୃଷ୍ଣ ଓ ଯଶୋଦାଙ୍କର ସେହି କଥା ମନେ ପକାଇବାକୁ ପୁରୀର ମାତା ମଠ ବା ଗୌର ବିହାର ଆଶ୍ରମରେ ଭିନ୍ନ ଭିନ୍ନ ବର୍ଷରେ କେବେ ୫୦୫, କେବେ ୬୦୬ ଆଉ କେବେ ୫୫୫ ପ୍ରକାର ବ୍ୟଞ୍ଜନାଦି ଖାଦ୍ୟ ଭୋଗ କରିଥାନ୍ତି । ପ୍ରତି ବର୍ଷ ଏ ଭୋଗ ସଂଖ୍ୟା ବଦଳିଥାଏ । କୃଷ୍ଣଙ୍କୁ ଏସବୁ ଖାଦ୍ୟ ଅର୍ପଣ କରାଯାଏ । ଗତ କିଛିବର୍ଷ ଧରି ଆଶ୍ରମରେ ଏହି ଅବସରରେ ଶହ ଶହ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରାଯାଉଛି । ଏହି ଆଶ୍ରମରେ ପ୍ରତିବର୍ଷ ୩୦ରୁ ଅଧିକ ଅନ୍ତେବାସୀ ଅନ୍ନବ୍ୟଞ୍ଜନ ପ୍ରସ୍ତୁତ କରି ଶ୍ରୀକୃଷ୍ଣଙ୍କୁ ଭୋଗ ଲଗାଇଥାନ୍ତି । ଏହା ମଧ୍ୟରେ ଥାଏ ୫୦ରୁ ଅଧିକ ପ୍ରକାରର ଅନ୍ନ, ୫୦ରୁ ଅଧିକ ପ୍ରକାରର ଡାଲି, ୧୦୦ରୁ ଅଧିକ ପ୍ରକାର ତରକାରୀ, ୫୦ରୁ ଅଧିକ ପ୍ରକାର ଭଜା ଓ ୧୦୦ରୁ ଅଧିକ ପ୍ରକାର ପିଠା ଓ ମିଠା ଇତ୍ୟାଦି । ଆଶ୍ରମବାସୀ ପରିବାପତ୍ର କଟାକଟି କରିବା ସହିତ ଆନୁଷଙ୍ଗିକ ପ୍ରସ୍ତୁତି ପରେ ଅପରାହ୍ଣ ୨ଟାରୁ ଭୋଗ ପ୍ରସ୍ତୁତି ଆରମ୍ଭ କରାଯାଇଥାଏ । ପରେ ପ୍ରସାଦକୁ ଭକ୍ତମାନଙ୍କ ମଧ୍ୟରେ ବଣ୍ଟନ କରଯାଏ । ଏତେ ପ୍ରକାର ବ୍ୟଞ୍ଜନ ପରଷିବା ପାଇଁ ସ୍ୱତନ୍ତ୍ର ଭାବେ ନିର୍ମିତ ଖଲିପତ୍ର ବ୍ୟବହାର କରାଯାଇଥାଏ । ଗୌର ବିହାର ବ୍ୟତୀତ ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିର ଓ ଅନ୍ୟାନ୍ୟ ମଠ ମନ୍ଦିରରେ ମଧ୍ୟ ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତ କରି ଭୋଗ କରାଯାଏ । ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ୪୦୦ରୁ ଅଧିକ ବ୍ୟଞ୍ଜନରେ ଆପ୍ୟାୟିତ କରାଯାଏ ।


