ସଂକ୍ଷେପରେ ଇତିହାସ

ସଂକ୍ଷେପରେ ଇତିହାସ
Ipsita Picture
By: Ipsita
Published On

 

ୟୁରୋପରେ ଜାରି ରହିଥିବା ପ୍ରଳୟଙ୍କରୀ ଗ୍ରୀଷ୍ମ ପ୍ରବାହକୁ ନେଇ କିଛି ଏଭଳି ତଥ୍ୟ ପୂର୍ବରୁ ରହିଛି, ଯାହାକୁ ଜାଣିବା ଓ ବୁଝିବାର ଆବଶ୍ୟକତା ରହିଛି । ସେହିଭଳି କିଛି ତଥ୍ୟକୁ ନେଇ ୨୦୨୨ରେ ଦେଖାଦେଇଥିବା ଗ୍ରୀଷ୍ମ ପ୍ରବାହ ସମ୍ପର୍କରେ ସଂକ୍ଷେପରେ ।

 

୧. ସବୁ ରେକର୍ଡ ଭାଙ୍ଗୁଛି ପ୍ରଚଣ୍ଡ ଉତ୍ତାପ : ସମଗ୍ର ୟୁରୋପ ମହାଦେଶରେ ତାପମାତ୍ରା ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି. ସୋମବାର, ଜୁଲାଇ ୧୮ ୨୦୨୨ରେ ଫ୍ରାନ୍ସର ଅନେକ ସହରରେ ରେକର୍ଡ ଭାଙ୍ଗି ତାପମାତ୍ରା ୪୨ ଡିଗ୍ରୀ ସେଲସିଅସ କୁ ଛୁଇଁଥିବା ବେଳେ ସେହି ସପ୍ତାହରେ ବ୍ରିଟେନରେ ମଧ୍ୟ ଇତିହାସର ସବୁଠାରୁ ଗରମ ଦିନ ଭାବେ ୪୦.୩ଡିଗ୍ରୀ ସେଲସିଅସ ତାପମାତ୍ରା ରେକର୍ଡ କରାଯାଇଛି । ଯାହା ୨୦୧୯ ର ପୂର୍ବ ରେକର୍ଡ (୩୮.୭ଡିଗ୍ରୀ ସେଲସିଅସ ) କୁ ପଛରେ ପକାଇ ଦେଇଥିଲା । ଲଣ୍ଡନରେ ଏହି ଗରମ ଯୋଗୁଁ ସେଠାକାର ଜାତୀୟ ରେଳ ସେବା ଜନସାଧାରଣଙ୍କୁ ଜରୁରୀ ନହେଲେ ଯାତ୍ରା ନକରିବାକୁ ଏବଂ ଘରେ ରହିବାକୁ ଚେତାବନୀ ଦେଇଥିଲା । ଏପରିକି ମଙ୍ଗଳବାର, ଜୁଲାଇ ୧୯ ରେ କିଛି ପ୍ରମୁଖ ରେଳ ଲାଇନକୁ ଦିନର କିଛି ସମୟ ପାଇଁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଥିଲା ।

 

୨. ନିଆଁର ପ୍ରକୋପରେ ଜଳୁଥିଲା ୟୁରୋପ : ଏହି ପ୍ରଚଣ୍ଡ ଖରା ଓ ଗରମ ଯୋଗୁଁ ସମଗ୍ର ମହାଦେଶରେ ଭୟାବହ ଜଙ୍ଗଲ ନିଆଁ  ବ୍ୟାପିବାରେ ଲାଗିଥିଲା ।  'ୟୁରୋପିଆନ୍ ଫରେଷ୍ଟ ଫାୟାର ଇନଫରମେସନ ସିଷ୍ଟମ'ର ଅତୀତର ତଥ୍ୟ ଅନୁଯାୟୀ, ୨୦୨୨ ମସିହା ଜୁଲାଇ ୨୦ ସୁଦ୍ଧା ସେହି ଅଞ୍ଚଳରେ ପ୍ରାୟ ୧,୯୭୭ଟି ଜଙ୍ଗଲ ନିଆଁ ଲାଗିସାରିଥିଲା । ଯାହା ସାଧାରଣ ହାରାହାରି ସଂଖ୍ୟା ଠାରୁ ପ୍ରାୟ ୩ ଗୁଣ ଅଧିକ । ଏହା ଦ୍ୱାରା ଭୂମଧ୍ୟସାଗରୀୟ ଦେଶଗୁଡ଼ିକ ବିଶେଷ ଭାବେ ପ୍ରଭାବିତ ହୋଇଥିଲେ ଏବଂ ପର୍ତ୍ତୁଗାଲ, ସ୍ପେନ ଓ ଫ୍ରାନ୍ସର ହଜାର ହଜାର ଲୋକଙ୍କୁ ସେମାନଙ୍କ ଘରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା ।

 

୩. ଶୁଖିଯାଉଛି ଜଳଉତ୍ସ ଓ ନଦୀର ଜଳସ୍ତର : ଜଙ୍ଗଲ ନିଆଁ ବ୍ୟତୀତ ଏହି ଗ୍ରୀଷ୍ମ ପ୍ରବାହ ଯୋଗୁଁ ୟୁରୋପର ଅନେକ ଅଞ୍ଚଳରେ ଭୟଙ୍କର ମରୁଡ଼ି ସ୍ଥିତି ଉପୁଜିଥିଲା । ୟୁରୋପର ପ୍ରାୟ ସମସ୍ତ ସହର ମଧ୍ୟ ଦେଇ କୌଣସି ନା କୌଣସି ନଦୀ କିମ୍ବା ହ୍ରଦ ପ୍ରବାହିତ ହେଉଥିବା ବେଳେ ଏହି ଜଳାଶୟଗୁଡ଼ିକ ସମ୍ପୂର୍ଣ୍ଣ ଶୁଖିଯିବା ସ୍ଥିତିରେ ପହଞ୍ଚିଥିଲା । ଉଦାହରଣ ସ୍ୱରୂପ, ଜୁଲାଇ ମାସର ଆରମ୍ଭରେ ଇଟାଲୀର 'ପୋ ନଦୀ'ର ଜଳସ୍ତର ଏତେ ଗମ୍ଭୀର ଭାବେ ହ୍ରାସ ପାଇଥିଲା ଯେ ଦେଶର ସରକାର ୫ଟି ଭିନ୍ନ ଅଞ୍ଚଳରେ ଜରୁରୀକାଳୀନ ପରିସ୍ଥିତି  ଘୋଷଣା କରିବାକୁ ବାଧ୍ୟ ହୋଇଥିଲେ ।

୪. ଜଳବାୟୁ ପରିବର୍ତ୍ତନ ସହ ଅନ୍ୟାନ୍ୟ ଜଟିଳ କାରଣ : ବିଶେଷଜ୍ଞଙ୍କ ଅନୁଯାୟୀ ଏହି ରେକର୍ଡ ଭାଙ୍ଗୁଥିବା ଗ୍ରୀଷ୍ମ ପ୍ରବାହ ପଛରେ ଜଳବାୟୁ ପରିବର୍ତ୍ତନ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଛି । ୧୮୫୦ ଦଶକ ପରଠାରୁ ବିଶ୍ୱର ହାରାହାରି ପୃଷ୍ଠଭାଗର ତାପମାତ୍ରା ପ୍ରାୟ ୧.୦ ଡିଗ୍ରୀ ସେଲସିଅସ ବୃଦ୍ଧି ପାଇଛି ଏବଂ ବୈଜ୍ଞାନିକମାନଙ୍କ ମତରେ ଏହି ବୃଦ୍ଧି ନିଶ୍ଚିତ ଭାବେ ମାନବୀୟ କାର୍ଯ୍ୟକଳାପ ଦ୍ୱାରା ପ୍ରଭାବିତ । ତେବେ ଚରମ ଗ୍ରୀଷ୍ମ ପ୍ରବାହ ପାଇଁ ଅନ୍ୟ କେତେକ ଜଟିଳ କାରଣ ମଧ୍ୟ ଦାୟୀ ହୋଇପାରେ। ପାଣିପାଗର ପରିବର୍ତ୍ତନଶୀଳ ପ୍ରକୃତି ଯୋଗୁଁ ଏହାର ସଠିକ୍ କାରଣ ନିରୂପଣ କରିବା କଷ୍ଟକର ହୋଇଥିଲେ ସୁଦ୍ଧା, 'ନେଚର କମ୍ୟୁନିକେସନ୍ସ'ରେ ପ୍ରକାଶିତ ଏକ ସମ୍ପ୍ରତି ସର୍ଭେରୁ ଜଣାପଡ଼ିଛି ଯେ ୟୁରୋପର ଏହି ବଢୁଥିବା ହିଟ୍ୱେଭ୍ ପାଇଁ ବାୟୁ ପ୍ରବାହର ପରିବର୍ତ୍ତନ ମଧ୍ୟ ଆଂଶିକ ଭାବେ ଦାୟୀ । ଯାହା ଉତ୍ତର ଆଫ୍ରିକାରୁ ୟୁରୋପ ଆଡ଼କୁ ପ୍ରବଳ ଗରମ ପବନ ବୋହିବାରେ ସାହାଯ୍ୟ କରୁଛି ।

Tags: