ପକ୍ଷୀ ସଦୃଶ ଡାଇନୋସର
ଉତ୍ତର-ପଶ୍ଚିମ ଚୀନ୍ର ଗାନ୍ସୁ ପ୍ରଦେଶସ୍ଥିତ ଚାଙ୍ଗମା ବେସିନରୁ ଏକ ଅତି ସୁରକ୍ଷିତ ଡାଇନୋସର ଜୀବାଶ୍ମ ଆବିଷ୍କୃତ ହୋଇଛି । ଏହା କ୍ଷୁଦ୍ର ପରଯୁକ୍ତ ଶିକାରୀ ପ୍ରଜାତି ‘ମାଇକ୍ରୋରାପ୍ଟର’ ବିଷୟରେ ଅନେକ ନୂଆ ତଥ୍ୟ ପ୍ରଦାନ କରୁଛି ବୋଲି ସିଏନ୍ଏନ୍ ରିପୋର୍ଟ କରିଛି । ‘ଆନାଲ୍ସ ଅଫ୍ କାର୍ନେଗି ମ୍ୟୁଜିୟମ’ ପତ୍ରିକାରେ ପ୍ରକାଶିତ ଏହି ୧୨୦ ମିଲିୟନ୍ (୧୨ କୋଟି) ବର୍ଷ ପୁରୁଣା ଜୀବାଶ୍ମର କାନ୍ଧ ଓ ଅଗ୍ରଭାଗର ଅସ୍ଥି ବିଶ୍ଳେଷଣରୁ ଏହା ଏକ ସମ୍ପୂର୍ଣ୍ଣ ଅଜ୍ଞାତ ନୂଆ ପ୍ରଜାତିର ବୋଲି ଜଣାପଡ଼ିଛି । ଯାହାର ନାମକରଣ ଚୀନ୍ ପୌରାଣିକ କାହାଣୀର ଏକ-ଡେଣା ବିଶିଷ୍ଟ ପକ୍ଷୀ ଅନୁସାରେ ‘ଜିଆନ୍ ଚାଙ୍ଗମାଏନସିସ୍’ ରଖାଯାଇଛି । ଏହି ଆବିଷ୍କାରଟି ମାଇକ୍ରୋରାପ୍ଟରମାନଙ୍କର ଭୌଗୋଳିକ ପରିସରକୁ ବିସ୍ତାର କରୁଛି । କାରଣ ଉତ୍ତର-ପୂର୍ବ ଚୀନ୍ ବାହାରେ ମିଳିଥିବା ଏହା ଏକମାତ୍ର ନିଶ୍ଚିତ ଜୀବାଶ୍ମ ହେବା ସହ ଏମାନଙ୍କର ଅସ୍ତିତ୍ୱର ସମୟସୀମାକୁ ମଧ୍ୟ ବୃଦ୍ଧି କରୁଛି। ପୂର୍ବରୁ ଏହି ଚାଙ୍ଗମା ଅଞ୍ଚଳରୁ ଶହେରୁ ଅଧିକ ପକ୍ଷୀ ଜୀବାଶ୍ମ ମିଳିଥିଲେ ହେଁ ଏହା ପ୍ରଥମ ଅଣ-ପକ୍ଷୀ ଡାଇନୋସର ଜୀବାଶ୍ମ ଅଟେ । ଯାହା ଆଧୁନିକ ପକ୍ଷୀଙ୍କ ପୂର୍ବପୁରୁଷ ଏବଂ ସେହି ସମୟର ପାରିପାର୍ଶ୍ୱିକ ସ୍ଥିତି ବିଷୟରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଉଛି । ଚାରୋଟି ଡେଣା ଭଳି ଦେଖାଯାଉଥିବା ଏହି ମାଇକ୍ରୋରାପ୍ଟର ଶରୀର ସମ୍ପୂର୍ଣ୍ଣ ପରରେ ଆବୃତ ଥିଲା ଏବଂ ସେମାନଙ୍କର ଅଗ୍ରଭାଗ ସହ ପଛ ଗୋଡ଼ରେ ମଧ୍ୟ ଲମ୍ବା ପର ରହିଥିଲା । ପ୍ରତ୍ନତତ୍ତ୍ୱବିତ୍ମାନଙ୍କ ଅନୁସାରେ, ଏହି ପକ୍ଷୀ ସଦୃଶ ଡାଇନୋସରମାନେ ସାଧାରଣତଃ ଭୂମିରେ ରହୁଥିଲେ ମଧ୍ୟ ଆଧୁନିକ ଉଡ଼ନ୍ତା ଗୁଣ୍ଡୁଚି ମୂଷା ଭଳି ଗଛ ଚଢ଼ିବାରେ ଏବଂ ଗୋଟିଏ ଗଛରୁ ଅନ୍ୟ ଗଛକୁ ଉଡ଼ି ବା ଭାସି ଯିବାରେ ସକ୍ଷମ ଥିଲେ । ଯାହା ପକ୍ଷୀମାନଙ୍କ ଉଡ଼ିବା ପ୍ରକ୍ରିୟାର ବିବର୍ତ୍ତନକୁ ବୁଝିବାରେ ବୈଜ୍ଞାନିକମାନଙ୍କୁ ସାହାଯ୍ୟ କରିବ ।



