ପକ୍ଷୀ ଅତିଥି

ପକ୍ଷୀ ଅତିଥି
Ipsita Picture
By: Ipsita
Published On

 

ନୋଏଡାର ବାସିନ୍ଦା ତଥା ଚିତ୍ରଶିଳ୍ପୀ ଏକତା ନାହରଙ୍କ ଘରକୁ ପ୍ରତିଦିନ ପ୍ରାୟ ୨୦୦ରୁ ଅଧିକ ପକ୍ଷୀ ଅତିଥିଭାବେ ଆସିଥାଆନ୍ତି । ତାଙ୍କ ଆପାର୍ଟମେଣ୍ଟର ବାଲକୋନିରେ ଥିବା ୩୦୦ରୁ ଅଧିକ ଗଛକୁଣ୍ଡ ମଧ୍ୟରେ ଘରଚଟିଆ, ହମିଙ୍ଗବାର୍ଡ, ସିଲଭରବିଲ୍, କୋଇଲି, ଶୁଆ ଓ କପୋତ ଭଳି ବିଭିନ୍ନ ପ୍ରଜାତିର ପକ୍ଷୀମାନେ ଆସି ଦାନା ଖାଇବା ସହ ଏକତାଙ୍କ ହାତରୁ ମଧ୍ୟ ଖାଦ୍ୟ ଖାଇଥାନ୍ତି । ୨୦୨୨ ମସିହାରେ ଉତ୍ତରାଖଣ୍ଡର ମସୁରୀ ଗସ୍ତ ସମୟରେ ପକ୍ଷୀମାନଙ୍କ ମଧୁର ସ୍ୱର ଶୁଣିବା ପରେ ଏକତାଙ୍କ ମନରେ ଏହି ପକ୍ଷୀପ୍ରେମ ଜାଗ୍ରତ ହୋଇଥିଲା । ନୋଏଡା ଫେରିବା ପରେ ଚାରିଆଡ଼େ କଂକ୍ରିଟ୍ର ଜଙ୍ଗଲ ଦେଖି ପକ୍ଷୀମାନଙ୍କ ପାଇଁ ସ୍ଥାନର ଅଭାବ ଥିବା ସେ ଅନୁଭବ କଲେ ଏବଂ ୨୦୨୩ ମସିହାରୁ ସେ ନିଜ ବାଲକୋନିରେ ଗଛ ଲଗାଇବା ସହ ପାଣି ଓ ଦାନା ରଖିବା ଆରମ୍ଭ କଲେ । ପ୍ରାୟ ସାଢ଼େ ତିନି ମାସ ପର୍ଯ୍ୟନ୍ତ କୌଣସି ପକ୍ଷୀ ନ ଆସିବା ପରେ ଶେଷରେ ପ୍ରଥମେ ଏକ ଘରଚଟିଆ ସେଠାକୁ ଆସିଥିଲା । ଯାହାକୁ ସେ ପ୍ରାୟ ୧୦ ବର୍ଷ ପରେ ନିଜ ପଡ଼ୋଶୀ ଅଞ୍ଚଳରେ ଦେଖିଥିଲେ। ଏକତା ନିଜ ବାଲକୋନିକୁ କେବଳ ସଜାଇବା ପାଇଁ ନୁହେଁ, ବରଂ ପକ୍ଷୀମାନଙ୍କ ପାଇଁ ଏକ ସୁରକ୍ଷିତ ସ୍ଥାନ ଭାବେ ଗଢ଼ି ତୋଳିଛନ୍ତି । ଯେଉଁଥିପାଇଁ ସେ ପୁରୁଣା କାର୍ଡବୋର୍ଡ ଓ କାଠଗୁଣ୍ଡରେ ପକ୍ଷୀଘର ତିଆରି  କରିଛନ୍ତି । ବର୍ତ୍ତମାନ ତାଙ୍କ ବାଲକୋନିରେ ୫୦ରୁ ଅଧିକ ପ୍ରଜାତିର ଗଛ ରହିଛି ଏବଂ ଏହି ଛୋଟ ପ୍ରୟାସଟି ଆଜି ପକ୍ଷୀମାନଙ୍କ ପାଇଁ ଏକ ସୁନ୍ଦର ପରିବେଶ ସୃଷ୍ଟି କରିପାରିଛି ।

Tags: