କୁନି ବୟସରେ ପକ୍ଷୀ ଅଭିଭାବକ
ଆଧୁନିକତା ସହିତ ପରିବର୍ତ୍ତନର ନକାରାତ୍ମକ ପ୍ରଭାବ ସବୁଠାରୁ ଅଧିକ ପ୍ରକୃତି ଉପରେ ପଡିଛି । ଏଥିପାଇଁ ଜଙ୍ଗଲରେ ରହୁଥିବା ପଶୁ ପକ୍ଷୀ ସବୁଠାରୁ ବେଶି ସମସ୍ୟାରେ ପଡୁଛନ୍ତି । ତେବେ ନିକଟରେ ଆସାମର କିଛି ଛାତ୍ର ବିଶ୍ୱ ପାଇଁ ଏକ ନୂଆ ଆଶାର କିରଣ ସାଜିଛନ୍ତି । ନିଜ ବାସସ୍ଥାନ ହରାଉଥିବା ପକ୍ଷୀମାନଙ୍କୁ ପୁଣି ଥରେ ବସା ଯୋଗାଇଦେବା ପାଇଁ ଆଗେଇ ଆସିଛନ୍ତି ।
ଆସାମର ଗୋଲାଘାଟରେ ପକ୍ଷୀଙ୍କ ପାଇଁ ଦେବଦୂତ ସାଜିଛନ୍ତି ସ୍କୁଲ ପିଲା । ସକାଳ ହେବାମାତ୍ରେ ଏଠାରେ ଥିବା ବୋଙ୍ଗାଓଁ ଚୋଲା ହାଇସ୍କୁଲର ପ୍ରାୟ ୫୦୦ରୁ ଅଧିକ ଛାତ୍ରଛାତ୍ରୀ ସକାଳୁ ସକାଳୁ ହାତରେ ଛୋଟଛୋଟ ଗଛ ଚାରା ଏବଂ ମାଟିରେ ତିଆରି କୃତ୍ରିମ ବସା ଧରି ବାହାରି ପଡ଼ନ୍ତି । ସହରୀକରଣର ଦ୍ରୁତ ଅଭିବୃଦ୍ଧି ଯୋଗୁଁ ଯେଉଁ ପକ୍ଷୀମାନଙ୍କ ଜୀବନ ବିପଦରେ ପଡ଼ିଛି, ସେମାନଙ୍କୁ ସୁରକ୍ଷା ଦେବା ହିଁ ଏହି ପିଲାମାନଙ୍କର ଏକମାତ୍ର ଲକ୍ଷ୍ୟ। ନିଜର ପରିଶ୍ରମବଳରେ ଏହି ଛାତ୍ରଛାତ୍ରୀମାନେ ପକ୍ଷୀମାନଙ୍କୁ ଘର ଯୋଗାଇଆସୁଛନ୍ତି ।ଏହି ପ୍ରଶଂସନୀୟ ପଦକ୍ଷେପ ୨୦୨୫ ମସିହାରେ ଆରମ୍ଭ ହୋଇଥିଲା। ସେହି ସମୟରେ କିଛି ଛାତ୍ରଛାତ୍ରୀ ଏବଂ ସେମାନଙ୍କର ଶିକ୍ଷକମାନେ ଲକ୍ଷ୍ୟ କଲେ ଯେ, ସହରରେ ଗଛ କଟାଯାଇ ବଡ଼ ବଡ଼ କୋଠା ନିର୍ମାଣ ହେବା ଫଳରେ ପକ୍ଷୀମାନେ ନିଜର ବସା ତିଆରି କରିବା ପାଇଁ ସୁରକ୍ଷିତ ସ୍ଥାନ ପାଉନାହାଁନ୍ତି। ସେମାନେ ଅନୁଭବ କଲେ ଯେ ଯଦି ଏହି ସମସ୍ୟାର ସମାଧାନ ନକରାଯାଏ, ତେବେ ପକ୍ଷୀ ଜଗତ ସବୁଦିନ ପାଇଁ ଲୋପ ପାଇଯିବ । ଏହି ଚିନ୍ତାରୁ ଜନ୍ମ ନେଲା ‘ବାର୍ଡ ନେଷ୍ଟ କନଜରଭେସନ ଡେ’। ପ୍ରଥମେ ପିଲାମାନେ ମାଟିର କ୍ଷୁଦ୍ର ବସା ତିଆରି କରି ଗଛର ଡାଳରେ ଏବଂ ଘରର ଛାତ ଉପରେ ଖଞ୍ଜିଥିଲେ, ଯେମିତି ପକ୍ଷୀମାନେ ସେଠାରେ ସୁରକ୍ଷିତ ଭାବେ ଅଣ୍ଡା ଦେଇପାରିବେ । କିନ୍ତୁ ଚଳିତ ବର୍ଷ ସେମାନଙ୍କର ଏହି କାର୍ଯ୍ୟକ୍ରମ ଆହୁରି ବ୍ୟାପକ ହୋଇଛି । ବର୍ତ୍ତମାନ ଏହି ପିଲାମାନେ ନିଜ ସ୍କୁଲ ପରିସର ଏବଂ ଆଖପାଖ ରାସ୍ତାକଡ଼ରେ ସ୍ଥାନୀୟ ପ୍ରଜାତିର ଗଛ ଚାରା ରୋପଣ କରୁଛନ୍ତି। ଏହି ଗଛଗୁଡ଼ିକ କେବଳ ପକ୍ଷୀଙ୍କୁ ଆଶ୍ରୟ ଦେବ ନାହିଁ, ବରଂ ସେମାନଙ୍କ ପାଇଁ ଖାଦ୍ୟ ମଧ୍ୟ ଯୋଗାଇବ। ପ୍ରକୃତି ଏବଂ ମଣିଷ ଭିତରେ ଏକ ସନ୍ତୁଳନ ରକ୍ଷା କରିବା ପାଇଁ ଏହା ଏକ ସଚେତନ ପ୍ରୟାସ । ଏହି ଛାତ୍ରଛାତ୍ରୀମାନଙ୍କର କାର୍ଯ୍ୟ କେବଳ ବୃକ୍ଷରୋପଣ କିମ୍ବା ବସା ତିଆରିରେ ସୀମିତ ହୋଇ ରହିନାହିଁ । ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ସେମାନେ ପ୍ରଦର୍ଶନୀ ଆୟୋଜନ କରୁଛନ୍ତି, ନୃତ୍ୟ ନାଟିକା ପରିବେଷଣ କରୁଛନ୍ତି ଏବଂ ବିଭିନ୍ନ ବିତର୍କ ସଭା ମଧ୍ୟ କରୁଛନ୍ତି। ଏଥିପାଇଁ ସେମାନଙ୍କୁ ଅନେକ ବାଧା ବିଘ୍ମକୁ ମଧ୍ୟ ଅତିକ୍ରମ କରିବାକୁ ପଡ଼ିଛି । ପକ୍ଷୀମାନଙ୍କ ପାଇଁ ଏହି ପ୍ରୟାସ ସେମାନଙ୍କ ପାଇଁ ଏକ ନୂଆ ଜୀବନ ହୋଇଥିବା ବେଳେ, ଛାତ୍ରଛାତ୍ରୀମାନଙ୍କ ପାଇଁ ଏହା ସେମାନଙ୍କ ଦାୟିତ୍ୱବୋଧର ଏକ ପରିଚୟ ପାଲଟିଛି ।



