ଜୈବ ଆଶ୍ଚର୍ଯ୍ୟ

ଜୈବ ଆଶ୍ଚର୍ଯ୍ୟ
Ipsita Picture
By: Ipsita
Published On

ଭାରତର ଜୈବବିବିଧତା ସବୁବେଳେ ସାରା ବିଶ୍ବକୁ ଆଶ୍ଚର୍ଯ୍ୟ କରିଥାଏ । ଏଠାରେ ପ୍ରତିଟି ସମୟରେ ଏଭଳି କିଛି ପ୍ରଜାତିଙ୍କର ଆବିଷ୍କାର ହୋଇଥାଏ ଯାହା ବିଶ୍ବରେ ଦୁର୍ଲଭ ହୋଇଥାଏ । ସେଥିପାଇଁ ସବୁବେଳେ ଭାରତୀୟ ଜୈବବିବିଧତାକୁ ନେଇ ସାରା ବିଶ୍ବରେ ଆଲୋଚନା ଜାରି ରହିଥାଏ ।

 

୨୦୨୫ ମସିହାରେ ଭାରତର ଜୈବବିବିଧତା ଏକ ନୂଆ ରେକର୍ଡ କରିଛି, ଯାହା ସାରା ଦେଶପାଇଁ ଗର୍ବ ଆଣିଛି । ସୂଚନା ଅନୁସାରେ ୨୦୨୫ରେ ଭାରତର ଜଙ୍ଗଲରେ ୭୦୯ଟି ନୂଆ ପ୍ରଜାତିର ଜୀବ ମିଳିଛନ୍ତି, ଯେଉଁଥିରୁ କିଛି ପ୍ରଜାତି ବିଜ୍ଞାନ ପାଇଁ ମଧ୍ୟ ନୂଆ । ହିମାଳୟରେ ମିଳିଥିବା ଏକ ବାଦୁଡ଼ିଠାରୁ ଆରମ୍ଭ କରି ଗ୍ରେଟ୍ ନିକୋବର ଦ୍ୱୀପର ଏକ ସାପ ଏବଂ ଅରୁଣାଚଳ ପ୍ରଦେଶର ଦୁଇଟି ରଙ୍ଗବେରଙ୍ଗର ଏଣ୍ଡୁଅ ପ୍ରଜାତି ପର୍ଯ୍ୟନ୍ତ, ଭାରତର ବିଜ୍ଞାନୀମାନେ ଦେଶର ସର୍ବାଧିକ ବାର୍ଷିକ ପ୍ରାଣୀ ଆବିଷ୍କାରର ରେକର୍ଡ ସୃଷ୍ଟି କରିଛନ୍ତି । ଜୁଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ ଅନୁଯାୟୀ, ୨୦୨୫ ମସିହାରେ ଭାରତର ତାଲିକାରେ ୭୦୯ଟି ନୂତନ ପ୍ରାଣୀ ପ୍ରଜାତି ଯୋଡ଼ି ହୋଇଛନ୍ତି । ଯାହା ୨୦୨୪ର ୬୮୩ଟି ପ୍ରଜାତିର ପୂର୍ବ ରେକର୍ଡକୁ ଅତିକ୍ରମ କରିଛି । ଏହି ୭୦୯ଟି ମଧ୍ୟରୁ ୪୮୩ଟି ପ୍ରଜାତି ବିଜ୍ଞାନ ପାଇଁ ସମ୍ପୂର୍ଣ୍ଣ ନୂଆ ହୋଇଥିବା ବେଳେ, ଅନ୍ୟ ୨୨୬ଟି ପ୍ରଜାତି ଭାରତରେ ପ୍ରଥମ ଥର ପାଇଁ ଲିପିବଦ୍ଧ ହୋଇଛନ୍ତି । ବିଶ୍ୱବ୍ୟାପୀ ଜୈବବିବିଧତା ଉପରେ ଚାପ ବୃଦ୍ଧି ପାଉଥିବା ସମୟରେ, ଏହି ଆବିଷ୍କାର  ଏକ ଚମତ୍କାର ବୋଲି ମତ ପ୍ରକାଶ ପାଇଛି । ସେହିଭଳି ଏହି ଆବିଷ୍କାର ଏହା ମଧ୍ୟ ସିଦ୍ଧ କରୁଛି କି ପ୍ରକୃତି କୋଳରେ ଆଜି ବି ଅନେକ ରହସ୍ୟ ଲୁଚି ରହିଛି, ଯାହା ଉନ୍ମୋଚିତ ହେବା ବାକି ଅଛି । ଏହି ଆବିଷ୍କାର ପରେ ଭାରତର ଲିପିବଦ୍ଧ ପ୍ରାଣୀ ବିବିଧତା ୧,୦୫,୯୫୩ଟି ପ୍ରଜାତି ଏବଂ ଉପ-ପ୍ରଜାତିରେ ପହଞ୍ଚିଛି, ଯାହା ବିଶ୍ୱର ମୋଟ ଲିପିବଦ୍ଧ ପ୍ରାଣୀ ବିବିଧତାର ପ୍ରାୟ ୫.୩ ପ୍ରତିଶତ । ଏହାସହ ଭାରତ ବିଶ୍ୱର ୧୭ଟି 'ମେଗା-ଡାଇଭର୍ସ' (ଅତ୍ୟାଧିକ ଜୈବବିବିଧତାପୂର୍ଣ୍ଣ) ଦେଶ ମଧ୍ୟରେ ନିଜର ସ୍ଥାନ ବଜାୟ ରଖିଛି ।

ନୂତନ ପ୍ରଜାତି

ଏହି ଗୁରୁତ୍ୱପୂର୍ଣ୍ଣ ଆବିଷ୍କାରଗୁଡ଼ିକ ମଧ୍ୟରେ ଉତ୍ତରାଖଣ୍ଡରେ ଚିହ୍ନଟ ହୋଇଥିବା ହିମାଳୟର ଲମ୍ବା ଲାଞ୍ଜ ଥିବା ବାଦୁଡ଼ି ଅନ୍ୟତମ । ଏହି ଜୀବର ଆଖି ଚାରିପାଖରେ ଚର୍ମର ଏକ ଖାଲି ଅଂଶ (ଲୋମହୀନ) ରହିଛି ଏବଂ ଏହାର ଲାଞ୍ଜର ଲମ୍ବ ପ୍ରାୟ ଏହାର ଶରୀରର ଲମ୍ବ ସହିତ ସମାନ। ଏହାବ୍ୟତୀତ, ବୈଜ୍ଞାନିକମାନେ ଗ୍ରେଟ୍ ନିକୋବର ଦ୍ୱୀପରେ ଇରୱିନ୍ସ ୱୁଲ୍ଫ ସ୍ନେକ୍ ନାମକ ଏକ ବିଷହୀନ ସାପ ପ୍ରଜାତି ଚିହ୍ନଟ କରିଛନ୍ତି, ଯାହାକୁ ଦ୍ୱଙ୍ଗତ ସଂରକ୍ଷଣବିତ୍ ଷ୍ଟିଭ୍ ଇରୱିନ୍ଙ୍କ ସମ୍ମାନାର୍ଥେ ନାମିତ କରାଯାଇଛି । ସେହିପରି ଅରୁଣାଚଳ ପ୍ରଦେଶରୁ ଦୁଇଟି ନୂଆ ସବୁଜ ରଙ୍ଗର ଫ୍ୟାନ୍-ଥ୍ରୋଟେଡ୍ ଏଣ୍ଡୁଅ ଏବଂ 'ଟାଇକ୍ଟୋଲାଇମସ୍ ସିଆନଜେନ୍ସିସ୍' ଆବିଷ୍କୃତ ହୋଇଛନ୍ତି , ଏହି ସମସ୍ତ ପ୍ରଜାତି ଖୁବ ବିରଳ ।

Tags: