କୃତ୍ରିମ ବର୍ଷା
ଭୀଷଣ ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବା ପାଇଁ ଚୀନ୍ର ୟୁନଚେଙ୍ଗ ସହରରେ ଏକ ଅଭିନବ ଉପାୟ ଆପଣାଯାଇଛି । ଏଠାରେ ଉଚ୍ଚ ଆବାସିକ ଅଟ୍ଟାଳିକାଗୁଡ଼ିକର ଛାତ ଉପରେ ଏକ ସ୍ୱତନ୍ତ୍ର 'ମିଷ୍ଟ ସିଷ୍ଟମ୍' ବା କୁହୁଡ଼ି ଭଳି ପାଣି ସ୍ପ୍ରେ କରୁଥିବା ବ୍ୟବସ୍ଥା ସ୍ଥାପନ କରାଯାଇ କୃତ୍ରିମ ବର୍ଷା କରାଯାଉଛି । ମିଳିଥିବା ସୂଚନା ଅନୁଯାୟୀ, ଏହି ଆଧୁନିକ ସିଷ୍ଟମ୍ ବାୟୁମଣ୍ଡଳକୁ ଅତି ସୂକ୍ଷ୍ମ ପାଣି ଟୋପା ଛାଡ଼ିଥାଏ, ଯାହାଫଳରେ ଆଖପାଖ ଅଞ୍ଚଳର ତାପମାତ୍ରା ପ୍ରାୟ ୫ ରୁ ୮ ଡିଗ୍ରୀ ସେଲସିଅସ ପର୍ଯ୍ୟନ୍ତ କମିଯାଇଥାଏ । ଏହି ପ୍ରଯୁକ୍ତିବିଦ୍ୟାର କାର୍ଯ୍ୟଶୈଳୀ ବିଷୟରେ କହିବାକୁ ଗଲେ, ଛାତରେ ଲାଗିଥିବା ନୋଜାଲ୍ ଗୁଡ଼ିକରୁ ବାହାରୁଥିବା ଅଲଟ୍ରା-ଫାଇନ୍ ପାଣି ଟୋପାଗୁଡ଼ିକ ପବନ ସଂସ୍ପର୍ଶରେ ଆସି ତୁରନ୍ତ ବାଷ୍ପରେ ପରିଣତ ହୋଇଯାଏ । ଯାହାଦ୍ୱାରା ସ୍ଥାନୀୟ ଅଞ୍ଚଳର ଗରମ ହ୍ରାସ ପାଇବା ସହ ରାସ୍ତାଘାଟ, ପାଦଚଲା ପଥ ଏବଂ ସୋସାଇଟିର ଖୋଲା ସ୍ଥାନଗୁଡ଼ିକରେ ଶୀତଳତା ବଜାୟ ରହିଥାଏ । ଏହି ବ୍ୟବସ୍ଥାର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ଯେ ଏହାଦ୍ୱାରା ତଳେ ଥିବା ଲୋକଙ୍କ ଉପରେ ପାଣି ପଡ଼େନାହିଁ କିମ୍ବା ସେମାନଙ୍କ ପୋଷାକ ଓଦା ହୁଏନାହିଁ । କମ୍ ବିଜୁଳି ଓ କମ୍ ଶକ୍ତି ବ୍ୟବହାର କରି ଏୟାର କଣ୍ଡିସନର ବିନା ଏକ ବଡ଼ ଅଞ୍ଚଳକୁ ଥଣ୍ଡା ରଖିବାରେ ସହାୟକ ହୋଇଥାଏ । ଏହି ମିଷ୍ଟ ସିଷ୍ଟମକୁ ପ୍ରଚଣ୍ଡ ଗରମର ମୁକାବିଲା ପାଇଁ ଏକ ଅତ୍ୟନ୍ତ ପ୍ରଭାବଶାଳୀ, ପରିବେଶ ଅନୁକୂଳ ଏବଂ ଶସ୍ତା ଉପାୟ ଭାବେ ବିବେଚନା କରାଯାଉଛି ।




