ଆର୍ଟେମିସ୍-୨
ମହାକାଶ ଏକ ଏଭଳି ସ୍ଥାନ ଯେଉଁଠାରେ ଯେତେ ଗବେଷଣା କରିଲେ ମଧ୍ୟ ଏହା ପର୍ଯ୍ୟାପ୍ତ ହେବ ନାହିଁ । ତେଣୁ ମହାକାଶ ବିଜ୍ଞାନୀ ଓ ବିଭିନ୍ନ ଦେଶ ସବୁବେଳେ କିଛି ନା କିଛି ନୂଆ କରିବାକୁ ଚେଷ୍ଟା ଜାରି ରଖିଥାଆନ୍ତି । ସେହି କ୍ରମରେ ସାମିଲ ହୋଇଛି ନାସା, ଆର୍ଟେମେସ ୨ କ୍ଷେପଣ କରି ଚନ୍ଦ୍ର ସମ୍ପର୍କରେ ପୁଣି କିଛି ନୂଆ ତଥ୍ୟ ହାସଲ କରିବାକୁ ଲକ୍ଷ ରଖିଛି ସଂସ୍ଥା ।
ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ ଏପ୍ରିଲ ୨ ତାରିଖରେ ମହାକାଶ ବିଜ୍ଞାନ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ଫ୍ଲୋରିଡାସ୍ଥିତ କେନେଡି ସ୍ପେସ୍ ସେଣ୍ଟରରୁ ‘ସ୍ପେସ୍ ଲଞ୍ଚ ସିଷ୍ଟମ୍’ ଏସ୍ ଏଲ ଏସ ରକେଟ୍ ସାହାଯ୍ୟରେ ୪ ଜଣ ମହାକାଶଚାରୀଙ୍କୁ ନେଇ ‘ଆର୍ଟେମିସ୍-୨’ ଚନ୍ଦ୍ର ଅଭିମୁଖେ ସଫଳତାର ସହ ଯାତ୍ରା ଆରମ୍ଭ କରିଛି। ଏହା ମହାକାଶ ବିଜ୍ଞାନରେ ଏକ ବିପ୍ଲବ ସୃଷ୍ଟି କରିବ ବୋଲି ଆଶା କରାଯାଉଛି ।
ସଂଘର୍ଷପୂର୍ଣ୍ଣ ଉତକ୍ଷେପଣ
ତେବେ ଏହି ଉଡାଣ ପ୍ରଥମରୁ ହିଁ ସଂଘର୍ଷପୂର୍ଣ୍ଣ ରହିଥିଲା । ରକେଟ୍ ଉଡ଼ାଣର ଠିକ୍ ଏକ ଘଣ୍ଟା ପୂର୍ବରୁ ଏହାର ‘ଲଞ୍ଚ ଅବର୍ଟ ସିଷ୍ଟମ’ରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଏହି ସିଷ୍ଟମଟି ମହାକାଶଚାରୀଙ୍କ ସୁରକ୍ଷା ପାଇଁ ଅତି ଜରୁରୀ, କାରଣ କୌଣସି ଦୁର୍ଘଟଣା ସମୟରେ ଏହା କ୍ରୁ-ମେମ୍ବରଙ୍କୁ ରକେଟରୁ ଅଲଗା କରି ସୁରକ୍ଷିତ ସ୍ଥାନକୁ ନେଇଯାଏ। ତେବେ ଇଞ୍ଜିନିୟରମାନେ ଅତି କମ୍ ସମୟ ମଧ୍ୟରେ ଏହି ସମସ୍ୟାର ସମାଧାନ କରିଥିଲେ ଏବଂ ୪ଟି RS-25 ଇଞ୍ଜିନ ସାହାଯ୍ୟରେ ରକେଟ୍ ମହାକାଶକୁ ଉଡ଼ାଣ ଭରିଥିଲା।

ଯୋଗାଯୋଗ ବିଚ୍ଛିନ୍ନ ଓ ଶୌଚାଳୟ ସମସ୍ୟା
ମହାକାଶକୁ ଯିବାର ୫୧ ମିନିଟ୍ ପରେ ଓରିଅନ୍ କ୍ୟାପସୁଲର ସିଗନାଲ୍ କିଛି ସମୟ ପାଇଁ କଟିଯାଇଥିଲା, ଯାହାଫଳରେ ମହାକାଶଚାରୀଙ୍କ ସ୍ୱର ପୃଥିବୀକୁ ଶୁଭିନଥିଲା। ଏହା ସହ ଯାନରେ ଥିବା ପ୍ରାୟ ୨୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଅତ୍ୟାଧୁନିକ ଶୌଚାଳୟଟି ଅକାମୀ ହୋଇଯାଇଥିଲା। ମହାକାଶଚାରୀ କ୍ରିଷ୍ଟିନା କୋଚ୍ ନିଜର ଦକ୍ଷତା ପ୍ରତିପାଦନ କରି ଏହି ସମସ୍ୟାକୁ ସମାଧାନ କରିଥିଲେ, ଯାହାଫଳରେ ୧୦ ଦିନର ଯାତ୍ରା ସହଜ ହୋଇପାରିବ ।
ମହାକାଶ-ପରୀକ୍ଷଣ
ମହାକାଶ ବିଜ୍ଞାନ ଇତିହାସରେ ପ୍ରଥମ ଥର ପାଇଁ ପାଇଲଟ୍ ବିକ୍ଟର ଗ୍ଲୋଭର ଓରିଅନ୍ କ୍ୟାପସୁଲର ପ୍ରାୟ ଏକ ଘଣ୍ଟା ପର୍ଯ୍ୟନ୍ତ ‘ଟେଷ୍ଟ ଡ୍ରାଇଭ୍’ କରି ଏହାକୁ ମାନୁଆଲ୍ ଭାବେ ନିୟନ୍ତ୍ରଣ କରିଛନ୍ତି, ଯାହା ଏହି ମିଶନର ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ଅଟେ । ଏହି ୧୦ ଦିନିଆ ଯାତ୍ରା ମଧ୍ୟରେ କ୍ରୁ-ସଦସ୍ୟମାନେ ପ୍ରାୟ ୧୧ ଲକ୍ଷ କିଲୋମିଟର ଦୂରତା ଅତିକ୍ରମ କରିବେ ଏବଂ ପ୍ରତିଦିନ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଗ୍ରାଉଣ୍ଡ କଣ୍ଟ୍ରୋଲର୍ସଙ୍କ ସହ ମେଡିକାଲ୍ କନଫରେନ୍ସ ଆୟୋଜିତ ହେବ । ନାସାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଓରିଅନ୍ ଯାନର ‘ଲାଇଫ୍ ସପୋର୍ଟ ସିଷ୍ଟମ୍’କୁ ପରୀକ୍ଷା କରିବା, ଯାହାଦ୍ୱାରା ଜଣାପଡ଼ିବ ଯେ ମହାକାଶରେ ମଣିଷ ରହିବା ପାଇଁ ଏହା କେତେ ସୁରକ୍ଷିତ। ଯଦିଓ ଏହି ଯାନ ବର୍ତ୍ତମାନ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବ ନାହିଁ, ତଥାପି ଚନ୍ଦ୍ରର ଅପର ପାର୍ଶ୍ୱରୁ ଏହା ଏଭଳି କିଛି ଦୁର୍ଲଭ ଚିତ୍ର ପଠାଇବ ଯାହା ପୂର୍ବରୁ କେବେ ଦେଖାଯାଇନାହିଁ। ଯାହା ଭବିଷ୍ୟତରେ ଚନ୍ଦ୍ରରେ ମଣିଷ ବସତି ସ୍ଥାପନ କରିବାର ପଥକୁ ଅଧିକ ସୁଗମ କରିବ ।

୧୦ ଦିନର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ
ପ୍ରଥମ ଦିନ: ରକେଟର ସଫଳ ଉତକ୍ଷେପଣ ଏବଂ ଓରିଅନ୍ କ୍ୟାପସୁଲର ପୃଥିବୀର ଉଚ୍ଚ କକ୍ଷପଥରେ ପ୍ରବେଶ।
ଦ୍ୱିତୀୟ ଦିନ: କ୍ୟାପସୁଲର ‘ଲାଇଫ୍ ସପୋର୍ଟ ସିଷ୍ଟମ୍’ ଯାଞ୍ଚ ଏବଂ ମାନୁଆଲ୍ ଭାବେ ଯାନ ଚଳାଇବାର ଅଭ୍ୟାସ।
ତୃତୀୟ ଦିନ: 'ଟ୍ରାନ୍ସ-ଲୁନାର ଇଞ୍ଜେକ୍ସନ' ବର୍ଣ୍ଣ ଜରିଆରେ ପୃଥିବୀର କକ୍ଷପଥ ଛାଡ଼ି ଚନ୍ଦ୍ର ଅଭିମୁଖେ ଯାତ୍ରା।
ଚତୁର୍ଥ ଦିନ: ମହାକାଶଚାରୀମାନେ ନିଜର ଭାରୀ ସୁଟ୍ ବାହାର କରି ସାଧାରଣ ଆରାମଦାୟକ ପୋଷାକ ପରିଧାନ କରିବେ।
ପଞ୍ଚମ ଦିନ: ଓରିଅନ୍ କ୍ୟାପସୁଲର ଚନ୍ଦ୍ରର ମାଧ୍ୟାକର୍ଷଣ ଶକ୍ତି ବଳୟ ମଧ୍ୟରେ ପ୍ରବେଶ ।
ଷଷ୍ଠ ଦିନ: ଚନ୍ଦ୍ର ପୃଷ୍ଠରୁ ପ୍ରାୟ ୬,୪୦୦ କିଲୋମିଟର ଦୂରତାରେ ରହି ଏହାର ପଛ ଭାଗ ପରିକ୍ରମା କରିବା ଏବଂ ପୃଥିବୀ ଅଭିମୁଖେ ମୋଡ଼ି ହେବା ।
ସପ୍ତମ ଦିନ: ଚନ୍ଦ୍ରର ମାଧ୍ୟାକର୍ଷଣ ଶକ୍ତିକୁ ବ୍ୟବହାର କରି 'ସ୍ଲିଙ୍ଗସଟ୍' ଜରିଆରେ ପୃଥିବୀକୁ ପ୍ରତ୍ୟାବର୍ତ୍ତନ ଆରମ୍ଭ ।
ଅଷ୍ଟମ ଦିନ: ଫେରିବା ପଥକୁ ସଠିକ୍ ଏବଂ ନିର୍ଭୁଲ୍ ରଖିବା ପାଇଁ ଯାନର ଇଞ୍ଜିନ ଫାୟାର୍ କରାଯିବ ।
ନବମ ଦିନ: ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ ଏବଂ ଅବତରଣ ପ୍ରକ୍ରିୟା ।
ଦଶମ ଦିନ: ଅତ୍ୟନ୍ତ ଦ୍ରୁତ ଗତିରେ ବାୟୁମଣ୍ଡଳ ଅତିକ୍ରମ କରି ପ୍ରଶାନ୍ତ ମହାସାଗରରେ ସଫଳତାର ସହ ଅବତରଣ ।

ଏହି ଐତିହାସିକ ମିଶନରେ ନାସାର ତିନିଜଣ ଏବଂ କାନାଡିୟ ସ୍ପେସ୍ ଏଜେନ୍ସି (CSA) ର ଜଣେ ମହାକାଶଚାରୀ ସାମିଲ ଅଛନ୍ତି। ସେମାନଙ୍କ ସମ୍ପର୍କରେ କିଛି ବିଶେଷ ତଥ୍ୟ ।
ରିଡ୍ ୱାଇଜମ୍ୟାନ୍ _ ୟୁଏସ୍ ନୌସେନାର ପୂର୍ବତନ ଟେଷ୍ଟ ପାଇଲଟ୍ ରିଡ୍ ୱାଇଜମ୍ୟାନ୍ (୫୦) ଏହି ମିଶନର କମାଣ୍ଡର ଅଟନ୍ତି । ୨୦୧୪ ମସିହାରେ ମହାକାଶ ଷ୍ଟେସନରେ ୬ ମାସ ଅତିବାହିତ କରିଥିବା ୱାଇଜମ୍ୟାନ୍ ଆଶ୍ଚର୍ଯ୍ୟଜନକ ଭାବେ ଉଚ୍ଚତାକୁ ଭୟ କରନ୍ତି । ୨୦୨୦ ମସିହାରେ ନିଜ ପତ୍ନୀଙ୍କୁ ହରାଇବା ପରେ ସେ ଏକାକୀ ନିଜର ଦୁଇ ଝିଅଙ୍କୁ ଲାଳନପାଳନ କରୁଛନ୍ତି ।
କ୍ରିଷ୍ଟିନା କୋଚ୍ _ ଇଞ୍ଜିନିୟର ତଥା ପଦାର୍ଥ ବିଜ୍ଞାନୀ କ୍ରିଷ୍ଟିନା କୋଚ୍ (୪୭) ଏହି ମିଶନରେ ‘ମିଶନ ସ୍ପେସିଆଲିଷ୍ଟ’ ଭାବେ ଯାଉଛନ୍ତି । ସେ ମହାକାଶରେ ୩୨୮ ଦିନ ରହିବାର ମହିଳା ବିଶ୍ୱ ରେକର୍ଡ କରିସାରିଛନ୍ତି । ପିଲାଦିନେ ‘ଆପୋଲୋ-୮’ ଦ୍ୱାରା ଉଠାଯାଇଥିବା ‘ଅର୍ଥରାଇଜ୍’ ଫଟୋ ଦେଖି ସେ ମହାକାଶଚାରୀ ହେବାକୁ ସଂକଳ୍ପ କରିଥିଲେ ।
ଜେରେମି ହାନସେନ୍ _ କାନାଡ଼ାର ପୂର୍ବତନ ଫାଇଟର ପାଇଲଟ୍ ଜେରେମି ହାନସେନ୍ (୫୦) ମଧ୍ୟ ଜଣେ ‘ମିଶନ ସ୍ପେସିଆଲିଷ୍ଟ’। ଯଦି ସବୁକିଛି ଯୋଜନା ମୁତାବକ ଚାଲେ, ତେବେ ହାନସେନ୍ ଚନ୍ଦ୍ର ନିକଟରେ ପହଞ୍ଚିବାରେ ପ୍ରଥମ ଅଣ-ଆମେରିକୀୟ ବ୍ୟକ୍ତି ହେବେ। ସେ ନିଜ ସହ କାନାଡ଼ାର ପ୍ରସିଦ୍ଧ ‘ମ୍ୟାପଲ୍ ସିରପ୍’ ଏବଂ କୁକିଜ୍ ମଧ୍ୟ ନେଇଛନ୍ତି।
ବିକ୍ଟର ଗ୍ଲୋଭର _ ମିଶନର ପାଇଲଟ୍ ଭାବେ ମନୋନୀତ ଗ୍ଲୋଭର (୪୯) ଚନ୍ଦ୍ର ନିକଟରେ ପହଞ୍ଚିବାରେ ବିଶ୍ୱର ପ୍ରଥମ କୃଷ୍ଣକାୟ ବ୍ୟକ୍ତି ହେବେ । ଗ୍ଲୋଭର ନିଜ ସହ ପବିତ୍ର ବାଇବେଲ୍ ଏବଂ ନିଜ ବାହାଘର ମୁଦି ନେଇ ଯାଇଛନ୍ତି । ସେ କୁହନ୍ତି ଯେ, ବ୍ରହ୍ମାଣ୍ଡରେ ନିଜର ସ୍ଥାନ ଖୋଜିବା ଏବଂ କିଛି ନୂଆ ଶିଖିବା ହିଁ ପ୍ରକୃତ ମଣିଷପଣିଆ ।
ରକେଟ କ୍ଷମତା
ବିଶ୍ୱର ସବୁଠାରୁ ଶକ୍ତିଶାଳୀ କାର୍ଯ୍ୟକ୍ଷମ ରକେଟ୍ ଏସଏଲଏସ କ୍ଷମତା _ ୨୭ ହଜାର କିଲୋରୁ ଅଧିକ ଓଜନକୁ ଚନ୍ଦ୍ର ପର୍ଯ୍ୟନ୍ତ ନେଇଯାଇପାରିବ । ମୋଟ ଉଚ୍ଚତା ୩୨୨ ଫୁଟ, ମୋଟ ଓଜନ ୨୬ ଲକ୍ଷ କିଲୋ । ସେହିଭଳି ରକେଟର ସବୁଠାରୁ ଉପର ଅଂଶ ଯେଉଁଥିରେ ୪ ଜଣ ମହାକାଶଚାରୀ ଯାତ୍ରା କରିବେ। ସର୍ଭିସ୍ ମଡ୍ୟୁଲ୍ କ୍ୟାପସୁଲର ଠିକ୍ ତଳ ଅଂଶ ଯାହା ସର୍ଭିସ୍ ମଡ୍ୟୁଲ୍, ଏହା ବାୟୁ, ଜଳ ଏବଂ ବିଦ୍ୟୁତ ଯୋଗାଣ ପାଇଁ ଉଦ୍ଦିଷ୍ଟ । ପ୍ରଥମ ଷ୍ଟେଜ ହେଉଛି ରକେଟକୁ ମହାକାଶକୁ ପହଞ୍ଚାଇବା ପାଇଁ ବ୍ୟବହୃତ କଠିନ ଏବଂ ଲିକ୍ୱିଡ୍ ତରଳ ଷ୍ଟେଜ୍ । ସେହିଭଳି ଦ୍ବିତୀୟ ଷ୍ଟେଜ୍ ହେଉଛି ଯାନକୁ ପୃଥିବୀର କକ୍ଷପଥରୁ ବାହାର କରି ଚନ୍ଦ୍ର ଆଡ଼କୁ ପଠାଇବା ପାଇଁ ବ୍ୟବହୃତ ହୁଏ ।
ବିଳାସ ପୂର୍ଣ୍ଣ ଗାଡି ସଦୃଶ
ନାସାର ନୂତନ ଓରିଅନ୍ ସ୍ପେସକ୍ରାଫ୍ଟ ପୁରୁଣା ଆପୋଲୋ ମିଶନ ତୁଳନାରେ ଏକ ବିଳାସପୂର୍ଣ୍ଣ ଗାଡ଼ି ଭଳି । ଏଥିରେ ରହିବା ପାଇଁ ୫୦% ଅଧିକ ସ୍ଥାନ ଅଛି, ଯେଉଁଠାରେ ମହାକାଶଚାରୀମାନେ ସିଟ୍ ବଦଳରେ ଆରାମଦାୟକ ଝୁଲାରେ ଶୋଇପାରିବେ । ଆପୋଲୋ ସମୟର ପାଇପ୍ ଏବଂ ବ୍ୟାଗ୍ ବଦଳରେ ଏବେ ଏଥିରେ ୨୦୦ କୋଟି ଟଙ୍କାର ଆଧୁନିକ ସକ୍ସନ୍ ଟଏଲେଟ୍ ଲଗାଯାଇଛି । ଟେକ୍ନୋଲୋଜି ଦୃଷ୍ଟିରୁ ଓରିଅନ୍ ୨୦,୦୦୦ ଗୁଣ ଅଧିକ ଦ୍ରୁତ ଏବଂ ଏଥିରେ ବିଦ୍ୟୁତ୍ ପାଇଁ ଉନ୍ନତ ସୌର ପ୍ୟାନେଲ୍ ଲାଗିଛି । ଶରୀରକୁ ଫିଟ୍ ରଖିବା ପାଇଁ ଜିମ୍ ମେସିନ୍ ସହିତ ବାହାର ଦୃଶ୍ୟ ଦେଖିବା ପାଇଁ ଏଥିରେ ୬ଟି ଝରକା ମଧ୍ୟ ରହିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଓରିଅନ୍ କ୍ୟାପସୁଲ୍ ଗୁଡ଼ିକ ଆଂଶିକ ଭାବେ ପୁନଃବ୍ୟବହାରକ୍ଷମ , ଯାହା ଆଗାମୀ ମିଶନଗୁଡ଼ିକୁ ଅଧିକ ସହଜ କରିବ ।



