ପିମ୍ପୁଡି ଚୋରା ଚାଲାଣ
କେନ୍ୟାର ନାଇରୋବି ବିମାନ ବନ୍ଦରରେ ଜଣେ ଚୀନ ନାଗରିକଙ୍କୁ ପ୍ରାୟ ୨୦୦୦ରୁ ଅଧିକ ଜୀବନ୍ତ 'ରାଣୀ ପିମ୍ପୁଡ଼ି' ଚୋରା ଚାଲାଣ ଅଭିଯୋଗରେ ଗିରଫ କରାଯାଇଥିବା ନେଇ ଏକ ଚାଞ୍ଚଲ୍ୟକର ଖବର ପ୍ରକାଶ ପାଇଛି । ଝାଙ୍ଗ କେକୁନ ନାମକ ଏହି ବ୍ୟକ୍ତିଜଣକ ଛୋଟ ଛୋଟ ଟେଷ୍ଟ ଟ୍ୟୁବ୍ ମଧ୍ୟରେ ଏହି ପିମ୍ପୁଡ଼ିମାନଙ୍କୁ ରଖି ବିଦେଶକୁ ଚଲାଣ କରୁଥିବା ବେଳେ ସୁରକ୍ଷା ଯାଞ୍ଚ ସମୟରେ ଧରାପଡ଼ିଥିଲେ । ବ୍ଲାକ୍ ମାର୍କେଟରେ ଏହି ପିମ୍ପୁଡ଼ିମାନଙ୍କର ପ୍ରବଳ ଚାହିଦା ରହିଛି । କାରଣ ଏହି ରାଣୀ ପିମ୍ପୁଡ଼ିମାନେ ନୂତନ କଲୋନୀ ଗଠନ କରିବାରେ ସକ୍ଷମ ଏବଂ ଅନେକ ଲୋକ ଏହାକୁ ପୋଷା ଜୀବ ଭାବେ ରଖିବାକୁ ପସନ୍ଦ କରନ୍ତି । ତଦନ୍ତରୁ ଜଣାପଡ଼ିଛି ଯେ, ଅଭିଯୁକ୍ତ ପ୍ରତି ୧୦୦ଟି ପିମ୍ପୁଡ଼ି ବଦଳରେ ପ୍ରାୟ ୬୫୦୦ ଟଙ୍କା ଦେଇଥିଲେ । କୋର୍ଟରେ ଅଭିଯୁକ୍ତଙ୍କ ଓକିଲ ଯୁକ୍ତି ବାଢ଼ିଛନ୍ତି ଯେ ପିମ୍ପୁଡ଼ି ନେବା ଏକ ଅପରାଧ ବୋଲି ଝାଙ୍ଗଙ୍କୁ ଜଣାନଥିଲା । ତଥାପି କେନ୍ୟା ୱାଇଲ୍ଡଲାଇଫ୍ ସର୍ଭିସ ଏହି ଆନ୍ତର୍ଜାତୀୟ ଚୋରା ଚାଲାଣ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।



