ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଣସର
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଦ୍ୱାଦଶ ଯାତ୍ରା ଅନ୍ତର୍ଗତ ସ୍ନାନ ଯାତ୍ରା ପରେ ରନିସିଂହାସନରୁ ପୂଜିତ ଦାରୁବିଗ୍ରହ ଅଣସର ସେବାରେ ରହିଥାନ୍ତି । ସ୍ନାନ ପାଇଁ ୧୦୮ ଗରାରେ ସ୍ନାନ ବେଦୀରେ ସୁନାକୂଅର ଜଳରେ ସ୍ନାନ ରୀତି ପରେ ମହାପ୍ରଭୁ ଗଜାନନ ବେଶରେ ଭକ୍ତଜନଙ୍କୁ ଦର୍ଶନ ଦେଇଥାନ୍ତି । ତେବେ ଗୋଟିଏ ପକ୍ଷ ପାଇଁ ମହାପ୍ରଭୁ ଏହି ସ୍ନାନ ପରେ ଜରାକ୍ରାନ୍ତ ହୋଇ ଶଯ୍ୟାଶାୟୀ ହୋଇଥାନ୍ତି । ସ୍ନାନପୂର୍ଣ୍ଣିମାର ଶୀତଳ ଜଳ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ […]
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଦ୍ୱାଦଶ ଯାତ୍ରା ଅନ୍ତର୍ଗତ ସ୍ନାନ ଯାତ୍ରା ପରେ ରନିସିଂହାସନରୁ ପୂଜିତ ଦାରୁବିଗ୍ରହ ଅଣସର ସେବାରେ ରହିଥାନ୍ତି । ସ୍ନାନ ପାଇଁ ୧୦୮ ଗରାରେ ସ୍ନାନ ବେଦୀରେ ସୁନାକୂଅର ଜଳରେ ସ୍ନାନ ରୀତି ପରେ ମହାପ୍ରଭୁ ଗଜାନନ ବେଶରେ ଭକ୍ତଜନଙ୍କୁ ଦର୍ଶନ ଦେଇଥାନ୍ତି । ତେବେ ଗୋଟିଏ ପକ୍ଷ ପାଇଁ ମହାପ୍ରଭୁ ଏହି ସ୍ନାନ ପରେ ଜରାକ୍ରାନ୍ତ ହୋଇ ଶଯ୍ୟାଶାୟୀ ହୋଇଥାନ୍ତି । ସ୍ନାନପୂର୍ଣ୍ଣିମାର ଶୀତଳ ଜଳ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ସ୍ୱାସ୍ଥ୍ୟହାନୀର କାରଣ ହୋଇଥାଏ । ଗର୍ଭଗୃହକୁ ଲାଗି ବେହରଣ ଦ୍ୱାର ସାମ୍ନାରେ ରହିଥିବା ଅଣସର ଘରେ ମହାପ୍ରଭୁ କାହାରିଙ୍କୁ ଦର୍ଶନ ଦେଇନଥାନ୍ତି । ଷାଠିଏ ପଉଟି ମହାପ୍ରସାଦ ସେବନ ନକରି ଆୟୁର୍ବେଦୀୟ ଚିକିତ୍ସା ପ୍ରଣାଳୀରେ ପଥ୍ୟ ଓ ପାଚନ ଗ୍ରହଣ କରିଥାନ୍ତି । ଦଇତାପତି ସେବକମାନେ ଏହି ଅଣସର ରହଣିରେ ତାଙ୍କ ସେବା ସୁଶ୍ରୁଷା କରିଥାନ୍ତି । ଅଷାଢ଼ କୃଷ୍ଣ ପ୍ରଥମୀରୁ ପନ୍ଦର ଦିନ ପାଇଁ ଆରମ୍ଭ ହୋଇଥାଏ ଅନବସର ନୀତି । ରାଘବ ଦାସ ମଠ ଯୋଗାଇଥିବା କାଠର ପ୍ରଭା ଓ କନକମୁଣ୍ଡି ଅଣସର ଘରର ଏହି ବିଜେସ୍ଥଳୀକୁ ଶୋଭନୀୟ କରିଥାଏ ।
କୋଠ ସୁଆଁସିଆ ମାନେ ଘର ଚାରିପଟେ ବାଉଁଶ ତାଟି ବେଢ଼ି ଦେଇଥାନ୍ତି । ଗର୍ଭଗୃହ ସଂଲଗ୍ନ ଦକ୍ଷିଣଘରୁ ସେବାୟତମାନେ ସାତଗୋଟି ଚଳନ୍ତି ପ୍ରତୀମା ଆଣି ଅଣସର ଘର ବାହାର ପଟେ ଖଟ ଉପରେ ଉପବେଶନ କରିଥାନ୍ତି । ମହାପ୍ରଭୁ ବଳଭଦ୍ରଙ୍କ ଆସ୍ଥାନ ପାଖରେ ରାମ, ନୃସିଂହ ଓ ଦୋଳଗୋବିନ୍ଦଙ୍କ ବିଗ୍ରହ ରହିଥିବାବେଳେ ମା’ସୁଭଦ୍ରାଙ୍କ ସମୀପରେ ରହିଥାଏ ଲକ୍ଷ୍ମୀ ସରସ୍ୱତୀଙ୍କ ଦୁଇଟି ପିତୁଳା ଓ ଶ୍ରୀଜଗନ୍ନାଥଙ୍କ ସମ୍ମୁଖରେ ରହେ ମଦନମୋହନ ଓ ଶ୍ରୀକୃଷ୍ଣଙ୍କ ପ୍ରତିମୂର୍ତ୍ତି । ତାଟି ଦେହରେ ପାଖାପାଖି ଚାଳିଶ ଇଞ୍ଚ ଲମ୍ବା ଓ ତିରିଶ ଇଞ୍ଚ ପ୍ରସ୍ଥର ତିନୋଟି ବଡ଼ ବଡ଼ ଫଟୋଚିତ୍ର । ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ପ୍ରତିକୃତି ଚିତ୍ର ତିନୋଟିକୁ ଭକ୍ତମାନେ ଦର୍ଶନ କରିଥାନ୍ତି ।
ଓଡ଼ିଶାର ପଟ୍ଟଚିତ୍ର ପରମ୍ପରାର ଅନନ୍ୟ ନିଦର୍ଶନ ଏହିଥିରେ ଚିତ୍ରିତ ହୋଇଥାଏ । ଚିତ୍ରରେ ସମସ୍ତ ଦିଅଁ ଚର୍ତୁହସ୍ତ ଓ ଦୁଇପଦ ବିଶିଷ୍ଟ ହୋଇ ରୂପାନ୍ତରିତ ହୁଅନ୍ତି ସେମାନେ ପଦ୍ମାସନରେ ବସିଥାନ୍ତି ଯାହା ହେଉଛି ସାଧନା, ନିଷ୍ଠା ଓ ପବିତ୍ରତାର ପ୍ରତୀକ । ଦେବୀ ସୁଭଦ୍ରାଙ୍କର ହାର ଠାରୁ ଚୁଡ଼ି, ନୋଥ ଆଦିରେ ଓଡ଼ିଶାର ପାରମ୍ପରିକ ଗହଣା ଆକୃତିର ଶୋଭା ରହିଥାଏ । ଜଗନ୍ନାଥଙ୍କ କଳେବର ଘନ କଳାରଙ୍ଗର ଚିତ୍ରିତ ହୋଇଥାଏ । ସେ ଚାରିହାତରେ ଧରିଥାନ୍ତି ଶଙ୍ଖ, ଚକ୍ର, ଗଦା, ପଦ୍ମ । ବଳଭଦ୍ରଙ୍କ କଳେବର ଶେ୍ୱତବର୍ଣ୍ଣରେ ଚିତ୍ରିତ ହୋଇଥାଏ । ସେ ତାଙ୍କ ଚାରିହାତରେ ଶଙ୍ଖ, ଚକ୍ର, ଗଦା ଓ ହଳ ଧରିଥାନ୍ତି । ହରିତ୍ବର୍ଣ୍ଣା ସୁଭଦ୍ରା ଦୁଇ ଉଦ୍ଧ୍ୱର୍ହାତରେ ପାଶ ଓ ଅଙ୍କୁଶ ଧରିଥାନ୍ତି ଓ ନିମ୍ନ ହସ୍ତ ଦୁଇଟି ଥାଏ ବରଦାମୁଦ୍ରାରେ ।
କାଷ୍ଠ ନିର୍ମିତ ସଦୃଶ୍ୟ ଆସନରେ ଦିଅଁମାନେ ବସିଥିବା ପରି ଏହି ଚିତ୍ରଗୁଡ଼ିକ ମଧ୍ୟ ଚିତ୍ରିତ ହୋଇଥାଏ । ଆଷାଢ଼ ପ୍ରତିପଦାରୁ ଅମାବାସ୍ୟା ଯାଏ ଚିତ୍ର ତିନୋଟି ଅଣସର ତାଟିରେ ଝୁଲି ରହି ପୂଜା ପାଇଥାନ୍ତି । ତିନି ଚିତ୍ରପଟ୍ଟରେ ତିନି ଦେବତା ବାସୁଦେବ (ବଳଭଦ୍ର) ଭୁବନେଶ୍ୱରୀ (ସୁଭଦ୍ରା) ନାରାୟଣ (ଜଗନ୍ନାଥ) ରୂପେ ପରିଚିତ ହୁଅନ୍ତି । ଏମିତି ସୁନ୍ଦର ଚିତ୍ର ଦ୍ୱାରା ଅଣସରୀୟ ଉପାସନା ଚାଲିଥିବାବେଳେ ତାଟି ପରିବୃତ୍ତ ଅଣସର ପିଣ୍ଡିରେ ଦଇତାପତିମାନେ ଦର୍ଶକଙ୍କ ଦୃଷ୍ଟି ଉହାଡ଼ରେ ରୀତିନୀତି ସବୁ ପାଳନ କରିଥାନ୍ତି ।
ପ୍ରାଚୀନ ଲୋକକଥାର କାହାଣୀ ଅନୁଯାୟୀ ଶବର ବିଶ୍ୱାବସୁଙ୍କ ବଂଶଧରମାନେ ଏବେ ମଧ୍ୟ ପୁରୀ ମନ୍ଦିରର ସେବାୟତ ଓ ସେମାନେ ଆଦିବାସୀ ଶୈଳୀରେ ପୁରୀର ଦେବତାମାନଙ୍କୁ ପୂଜା କରୁଥିବାରୁ ମହାପ୍ରଭୁଙ୍କ ଅଣସରୀୟ ନୀତିକୁ କେତେକ ଶାବରୀ ନୀତି ବୋଲି କହିଥାନ୍ତି । ସ୍ନାନପୂର୍ଣ୍ଣିମାର ସ୍ନାନ ଦେବତାମାନଙ୍କ କେବଳ କାଳ୍ପନିକ ସ୍ୱାସ୍ଥ୍ୟହାନୀ ବା ଜ୍ୱର ବୋଲି କୁହାଯାଉଥିଲେ ବି ପ୍ରକୃତରେ ପାଣିରେ ଧୋଇ ହୋଇଯାଇଥିବା ରଙ୍ଗ ଓ ପ୍ରଲେପକୁ ପୁର୍ନବିନ୍ୟାସ ପାଇଁ ଦଇତାମାନେ ମହାପ୍ରଭୁଙ୍କ ପୂର୍ବ ରୂପକୁ ଫେରାଇବା ପାଇଁ ବାସ୍ତବରେ ସ୍ୱତନ୍ତ୍ର ସେବାରେ ନିୟୋଜିତ ଥାଆନ୍ତି ।
ଦତ୍ତ ମହାପାତ୍ର ନାମକ ସେବାୟତ ଦିଅଁମାନଙ୍କ ବିଗ୍ରହକୁ ରଙ୍ଗ ଦେଇଥାନ୍ତି ଆଷାଢ଼ କୃଷ୍ଣ ଚତୁର୍ଥୀ ଦିନ । ତେବେ ସମସ୍ତ ଚିତ୍ରାୟିତ ଭିତରେ ଚକ୍ଷୁ ଡ଼ୋଳାଟି ବାକି ରହିଥାଏ । ଆଷାଢ଼ ଶୁକ୍ଳ ପ୍ରଥମୀରେ ବିଗ୍ରହମାନଙ୍କ ନେତ୍ର ଚିତ୍ରା ଯାଉଥିବାରୁ ସେହିତିଥିକୁ ନେତ୍ର ଉତ୍ସବ କୁହାଯାଏ । ଭକ୍ତମାନେ ତା’ପରେ ଦିଅଁ ଦର୍ଶନ କରୁଥିବାରୁ ଏହାକୁ ନବଯୌବନ ଦର୍ଶନ ଭାବେ ସମସ୍ତେ ଜାଣିଥାନ୍ତି । ଏହିପରି ସେବା ରୀତିନୀତି ଭିତରେ ମହାପ୍ରଭୁଙ୍କ ଅଣସର ନୀତି ସମ୍ପନ୍ନ ହୋଇଥାଏ ।




