ନିଜ ଛବି ଚିହ୍ନୁଥିବା ପଶୁ
ମଣିଷ ପାଇଁ ଆଇନା ବା ଦର୍ପଣରେ ନିଜକୁ ଚିହ୍ନିବା ଏକ ଅତି ସ୍ୱାଭାବିକ ପ୍ରକ୍ରିୟା ହୋଇଥିବା ବେଳେ ପ୍ରାଣୀ ଜଗତରେ ଏହି ସାମର୍ଥ୍ୟ ଅତ୍ୟନ୍ତ ବିରଳ । ଏଥିପାଇଁ ଏକ ପ୍ରକାରର ପରୀକ୍ଷା କରାଯାଇଥାଏ, ଏହି ପରୀକ୍ଷାରେ ଜୀବର ଶରୀରରେ ଏଭଳି ଏକ ସ୍ଥାନରେ ଚିହ୍ନ ଦିଆଯାଏ ଯାହାକୁ ସେ କେବଳ ଆଇନାରେ ହିଁ ଦେଖିପାରିବ । ପରେ ଯଦି ପ୍ରାଣୀଟି ନିଜ ପ୍ରତିବିମ୍ବକୁ ଦେଖି ସେହି ଚିହ୍ନକୁ ଛୁଇଁବାକୁ ବା ପରୀକ୍ଷା କରିବାକୁ ଚେଷ୍ଟା କରେ, ତେବେ ସେ ନିଜକୁ ଚିହ୍ନିପାରୁଛି ବୋଲି ଧରାଯାଏ । ନିକଟରେ ବୈଜ୍ଞାନିକମାନଙ୍କ ଦୃଷ୍ଟି ଆକର୍ଷଣ କରିଥିବା 'ବେଲୁଗା ହ୍ୱେଲ୍' ସାମୁଦ୍ରିକ ସ୍ତନ୍ୟପାୟୀ ଜୀବମାନେ ଆଇନା ସାମ୍ନାରେ ସାଧାରଣ ବସ୍ତୁ ତୁଳନାରେ ସମ୍ପୂର୍ଣ୍ଣ ଭିନ୍ନ ପ୍ରତିକ୍ରିୟା ପ୍ରକାଶ କରି ନିଜର ବୁଦ୍ଧିମତାର ପ୍ରମାଣ ଦେଇଛନ୍ତି । ଏହି କ୍ରମରେ 'ସିମ୍ପାଞ୍ଜି' ମାନେ ପ୍ରଥମ ପ୍ରାଣୀ ଭାବେ ଏହି ଦର୍ପଣ ପରୀକ୍ଷାରେ ସଫଳ ହୋଇଥିଲେ ଏବଂ ସେମାନେ ଆଇନା ସାହାଯ୍ୟରେ ଶରୀରର ସେହି ଅଂଶଗୁଡ଼ିକୁ ନିରୀକ୍ଷଣ କରୁଥିବାର ଦେଖାଯାଇଥିଲା ଯାହାକୁ ସେମାନେ ସାଧାରଣତଃ ଦେଖିପାରନ୍ତି ନାହିଁ । ସେହିପରି ପୃଥିବୀର ଅନ୍ୟତମ ବୁଦ୍ଧିମାନ ଜୀବ 'ଡଲଫିନ୍' ମାନେ ଆଇନାରେ ନିଜ ଶରୀରରେ ଲାଗିଥିବା ଚିହ୍ନକୁ ଦେଖି ଅଧିକ ସମୟ ପର୍ଯ୍ୟନ୍ତ ତାହାର ଅନୁଧ୍ୟାନ କରୁଥିବାରୁ ସେମାନେ ମଧ୍ୟ ଏହି ପ୍ରତିବିମ୍ବକୁ ନିଜର ବୋଲି ବୁଝିପାରୁଥିବା ସ୍ପଷ୍ଟ ହୋଇଛି । ଏହା ସହିତ ନିଜର ଭାବନାତ୍ମକ ବୁଦ୍ଧି ଏବଂ ପ୍ରଖର ସ୍ମରଣ ଶକ୍ତି ପାଇଁ ଜଣାଶୁଣା 'ଏସୀୟ ହାତୀ' ମାନେ ଦର୍ପଣ ପରୀକ୍ଷା ସମୟରେ ଆଇନାରେ ନିଜର ପ୍ରତିବିମ୍ବ ଦେଖିବା ପରେ ନିଜ ଶୁଣ୍ଢ ସାହାଯ୍ୟରେ ମୁଣ୍ଡରେ ଥିବା ଚିହ୍ନକୁ ପରୀକ୍ଷା କରୁଥିବାର ଦେଖାଯାଇଛି । ଏହିଭଳି ଆହୁରି ମଧ୍ୟ ପଶୁ ରହିଛନ୍ତି ଯେଉଁମାନେ ନିଜକୁ ଦର୍ପଣରେ ଦେଖି ଚିହ୍ନିବାରେ ସକ୍ଷମ ।




