ରାଗି ଠେକୁଆ
ଆଗକାଳରେ ଛୋଟପିଲାଙ୍କୁ ଗପ ମାଧ୍ୟମରେ ଜୀବନର ଅନେକ ଶିକ୍ଷା ଦିଆଯାଇଥାଏ । ଏହି ଗପ ଗୁଡିକରେ ସେମାନଙ୍କୁ ଧୈର୍ଯ୍ୟ, କ୍ରୋଧ ଓ ଶାନ୍ତି ବିଷୟରେ ଅନେକ କଥା ବୁଝା ଯାଇଥାଏ । ସେହିଭଳି ଏକ ଗଳ୍ପ ହେଲା ରାଗି ଠେକୁଆ । ଗପ ମାଧ୍ୟରେ କ୍ରୋଧକୁ ନେଇ ଖୁବ ଭଲଭାବେ ବୁଝା ଯାଇଛି ।
ଏକ ଘଞ୍ଚ ସୁନ୍ଦର ଜଙ୍ଗଲରେ ଗୁଲୁ ନାମକ ଏକ କୁନି ଠେକୁଆ ରହୁଥିଲା । ସେ ଖୁବ୍ ଚଞ୍ଚଳ, ସଫା ମନର ଆଉ ସବୁବେଳେ ଅନ୍ୟମାନଙ୍କୁ ସାହାଯ୍ୟ କରିବାକୁ ପ୍ରସ୍ତୁତ ଥିଲା । କିନ୍ତୁ ତା’ର ଏକ ବଡ଼ ଦୋଷ ଥିଲା ଯେ ସେ ବହୁତ ଶୀଘ୍ର ରାଗି ଯାଉଥିଲା ଆଉ କାହାରି କଥା ଧୈର୍ଯ୍ୟର ସହ ଶୁଣୁନଥିଲା । ଦିନେ ଗୁଲୁ ଜଙ୍ଗଲର ନଈକୂଳରେ ବୁଲୁଥିବା ସମୟରେ ଏକ ବଡ଼ ଚେରି ଗଛ ଦେଖିଲା । ଯେଉଁଥିରେ ପେନ୍ଥା ପେନ୍ଥା ନାଲି ଟୁକୁଟୁକୁ ମିଠା ଚେରି ଫଳ ପାଚିଥିଲା । ଗୁଲୁ ଖୁସି ହୋଇ ସେଥିରୁ କିଛି ଫଳ ତୋଳି ନିଜ ବାସ୍କେଟରେ ରଖିଲା ଏବଂ ଭାବିଲା ଯେ ଘରକୁ ଯାଇ ସେ ଏହାକୁ ମନଭରି ଖାଇବ । କିନ୍ତୁ ଠିକ୍ ସେତିକି ବେଳେ ଜଙ୍ଗଲର ବୁଢ଼ା ଭାଲୁ ମିଠୁ ସେଠାକୁ ଆସିଲା । ମିଠୁ ଭାଲୁ ଗୁଲୁକୁ କହିଲା, "ଆରେ ଗୁଲୁ! ତୁମେ ଏହି ଫଳଗୁଡ଼ିକୁ ଏବେ ଖାଅ ନାହିଁ, ମୋ କଥା ଟିକେ ଶୁଣ... । କିନ୍ତୁ ଗୁଲୁ ତା’ର ପୂରା କଥା ଶୁଣିବା ପୂର୍ବରୁ ହିଁ ରାଗିଯାଇ ପାଟି କଲା, "ମୁଁ ଜାଣିଛି ତୁମେ ଜଙ୍ଗଲର ସବୁଠାରୁ ପେଟୁ ଭାଲୁ, ତୁମେ ମୋ ଫଳଗୁଡ଼ିକୁ ନିଜେ ଖାଇବାକୁ ଚାହୁଁଛ । ସେଥିପାଇଁ ମୋତେ ମନା କରୁଛ! ମୁଁ ତୁମକୁ ଗୋଟିଏ ବି ଫଳ ଦେବିନାହିଁ ।" ଏହା କହି ଗୁଲୁ ମିଠୁ ଭାଲୁର କୌଣସି ଅନୁରୋଧ ନଶୁଣି ଦୌଡ଼ି ଦୌଡ଼ି ନିଜ ଘରକୁ ପଳାଇଲା ଏବଂ କବାଟ ବନ୍ଦ କରି ସେହି ଚେରିଗୁଡ଼ିକୁ ଗୋଟି ଗୋଟି କରି ଖାଇବାକୁ ଲାଗିଲା । ଫଳଗୁଡ଼ିକ ଖାଇବାର କିଛି ସମୟ ପରେ ଗୁଲୁର ପେଟ ଭୀଷଣ ଜୋରରେ କାଟିବାକୁ ଲାଗିଲା । ସେ ଯନ୍ତ୍ରଣାରେ ଏପଟ ସେପଟ ହୋଇ କାନ୍ଦିବାକୁ ଲାଗିଲା ଏବଂ କାହାରିକୁ ସାହାଯ୍ୟ ପାଇଁ ଡାକିବାକୁ ବି ତା’ ପାଖରେ ବଳ ନଥିଲା । ଠିକ୍ ସେତିକି ବେଳେ ବାହାରୁ କବାଟ ବାଡ଼େଇବା ଶବ୍ଦ ଶୁଣାଗଲା ଆଉ ମିଠୁ ଭାଲୁ ନିଜ ହାତରେ କିଛି ଜଙ୍ଗଲୀ ଗଛର ଔଷଧୀୟ ପତ୍ର ଓ ଚେର ଧରି ଭିତରକୁ ଆସିଲା । ମିଠୁ ଭାଲୁ ଗୁଲୁର ଏହି ଅବସ୍ଥା ଦେଖି ତୁରନ୍ତ ତାକୁ ସେହି ଔଷଧ ପିଆଇ ଦେଲା, ଯାହାଫଳରେ କିଛି ସମୟ ପରେ ଗୁଲୁର ପେଟ କାଟିବା ସମ୍ପୂର୍ଣ୍ଣ ଭଲ ହୋଇଗଲା । ସୁସ୍ଥ ହେବା ପରେ ମିଠୁ ଭାଲୁ ଗୁଲୁକୁ ବୁଝାଇ କହିଲା, "ମୁଁ ସେତେବେଳେ ତୁମକୁ ଏହା ହିଁ କହିବାକୁ ଚାହୁଁଥିଲି ଯେ, ଏହି ଚେରି ଗଛ ଉପରେ ଆଜି ସକାଳେ ଏକ ବିଷାକ୍ତ କୀଟ ବୁଲୁଥିଲା । ତେଣୁ ଫଳଗୁଡ଼ିକୁ ନଈ ପାଣିରେ ଭଲଭାବେ ନଧୋଇ ଖାଇଲେ ପେଟ ଖରାପ ହେବ। କିନ୍ତୁ ତୁମେ ତ ରାଗରେ ମୋ କଥା ଶୁଣିଲ ହିଁ ନାହିଁ। ଗୁଲୁ ନିଜର ଭୁଲ୍ ବୁଝିପାରିଲା ଯେ ରାଗ ଏବଂ ଅଧୈର୍ଯ୍ୟ କାରଣରୁ ସେ କେବଳ ନିଜର କ୍ଷତି କରିନି, ବରଂ ଜଣେ ଭଲ ସାଙ୍ଗକୁ ମଧ୍ୟ ସନ୍ଦେହ କରି ଅପମାନିତ କରିଛି । ସେ ମିଠୁ ଭାଲୁକୁ କାନ୍ଦି କାନ୍ଦି ନିଜର ବ୍ୟବହାର ପାଇଁ କ୍ଷମା ମାଗିଲା ଏବଂ ପ୍ରତିଜ୍ଞା କଲା ଯେ ସେ ଜୀବନରେ କେବେ ବି ରାଗିବ ନାହିଁ ଏବଂ ସବୁବେଳେ ଅନ୍ୟର କଥାକୁ ଧୈର୍ଯ୍ୟର ସହ ପୂରା ଶୁଣିବ ।




