ଅକ୍ଷୟ ତୃତୀୟା

ଅକ୍ଷୟ ତୃତୀୟା
Ipsita Picture
By: Ipsita
Published On

 

ଓଡ଼ିଶାର ସାମାଜିକ, ସାଂସ୍କୃତିକ ଏବଂ କୃଷି ଭିତ୍ତିକ ଜୀବନଧାରାରେ 'ଅକ୍ଷୟ ତୃତୀୟା' ଏକ ଅନନ୍ୟ ପର୍ବ। ବୈଶାଖ ଶୁକ୍ଳ ପକ୍ଷ ତୃତୀୟା ତିଥିରେ ପାଳିତ ହେଉଥିବା ଏହି ଦିନଟିକୁ ଓଡ଼ିଆ ପରମ୍ପରାରେ ସବୁଠାରୁ ଶୁଭ ମୁହୂର୍ତ୍ତ ଭାବେ ଗଣନା କରାଯାଏ । ଏହା କେବଳ ଏକ ଧାର୍ମିକ ପର୍ବ ନୁହେଁ, ବରଂ ଓଡ଼ିଶାର କୃଷି ସଭ୍ୟତା ଏବଂ ଜଗନ୍ନାଥ ସଂସ୍କୃତିର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଶାସ୍ତ୍ର ଅନୁସାରେ, ଏହି ଦିନ ଯାହା ବି କାର୍ଯ୍ୟ କରାଯାଏ ତାହା 'ଅକ୍ଷୟ' ହୋଇ ରହେ, ଅର୍ଥାତ୍ ତାହାର କେବେ କ୍ଷୟ ହୁଏ ନାହିଁ । ଏହି ଶୁଭ ଦିନରେ ସତ୍ୟ ଯୁଗର ଆରମ୍ଭ ହୋଇଥିଲା ଏବଂ ଭଗବାନ ବିଷ୍ଣୁଙ୍କ ପରଶୁରାମ ଅବତାର ମଧ୍ୟ ଏହି ତିଥିରେ ହୋଇଥିଲା ବୋଲି ବର୍ଣ୍ଣନା ରହିଛି । ଓଡ଼ିଶାରେ ଏହି ଦିନଟିକୁ ମୁଖ୍ୟତଃ 'ଅଖି ମୁଠି ଅନୁକୂଳ' ଏବଂ ଶ୍ରୀଜଗନ୍ନାଥଙ୍କ 'ରଥଯାତ୍ରାର ଶୁଭାରମ୍ଭ' ଭାବେ ପାଳନ କରାଯାଏ । ଏହାସହ ଏହି ଦିନେ ଲକ୍ଷ୍ମୀ ପୂଜାର ଆୟୋଜନ ମଧ୍ୟ ହୋଇଥାଏ । ସେହିଭଳି ବିଶ୍ବାସ ରହିଛି ଏହି ଦିନରେ ସୁନା କ୍ରୟ କଲେ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ, ଯେଉଁଥିପାଇଁ ସୁନା ଦୋକାନରେ ଲମ୍ବା ଲାଇନ ଦେଖିବାକୁ ମିଳିଥାଏ । ଅକ୍ଷୟ ତୃତୀୟା ଓଡ଼ିଶାର ପ୍ରତିଟି ଘରେ ଏକ ପବିତ୍ର ଦିନ। ଲୋକମାନେ ଏହି ଦିନରେ ନୂତନ ଗୃହ ନିର୍ମାଣ, ବିବାହ ପାଇଁ ନିର୍ବନ୍ଧ ଏବଂ ବ୍ୟବସାୟିକ ପ୍ରତିଷ୍ଠାନର ଶୁଭାରମ୍ଭ କରିଥାନ୍ତି ।

ଅଖି ମୁଠି ଅନୁକୂଳ

ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ ହୋଇଥିବାରୁ ଅକ୍ଷୟ ତୃତୀୟା ଚାଷୀମାନଙ୍କ ପାଇଁ ନୂତନ ବର୍ଷର ଆରମ୍ଭ । ଏହି ଦିନ ଚାଷୀ ନିଜ ବିଲକୁ ଯାଇ ଶୁଭ ମୁହୂର୍ତ୍ତରେ 'ଅଖି ମୁଠି' ଅନୁକୂଳ କରିଥାଏ । ଏହିଦିନ ଚାଷୀ ନୂଆ ଲୁଗା ପିନ୍ଧି, ହାତରେ ଲକ୍ଷ୍ମୀଙ୍କ ପ୍ରତୀକ ଭାବେ ଗୋଟିଏ ବେତ ବାଉଁଶ ଟୋକେଇରେ ବିହନ, ଚନ୍ଦନ, ସିନ୍ଦୂର ଏବଂ ଭୋଗ ନେଇ ବିଲକୁ ଯାଏ। କ୍ଷେତରେ ପୂଜାର୍ଚ୍ଚନା କରିବା ପରେ ଉତ୍ତର କିମ୍ବା ପୂର୍ବ ଦିଗକୁ ମୁହଁ କରି ପ୍ରଥମ ମୁଠା ବିହନ ବୁଣିଥାଏ । ଏହି ପରମ୍ପରା ଭଲ ଅମଳ ଏବଂ ସମୃଦ୍ଧିର କାମନା ନେଇ କରାଯାଇଥାଏ ।

ଜଗନ୍ନାଥ ମନ୍ଦିରରେ ବିଶେଷତ୍ୱ

ପ୍ରତିଟି ପର୍ବ ଭଳି ଅଖୟ ତୃତୀୟାରେ ମଧ୍ୟ ଶ୍ରୀଜଗନ୍ନାଥଙ୍କ ମନ୍ଦିର ବିଭିନ୍ନ ରୀତିନୀତି ସମ୍ପର୍ଣ୍ଣ ହୋଇଥାଏ । ଅକ୍ଷୟ ତୃତୀୟା ସହିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ସୁଗଭୀର ସମ୍ପର୍କ ରହିଛି । ଶ୍ରୀକ୍ଷେତ୍ରରେ ଏହି ଦିନ ଦୁଇଟି ମୁଖ୍ୟ ପର୍ବର ଶୁଭାରମ୍ଭ ହୁଏ  ରଥ ଅନୁକୂଳ  ବା ରଥ ନିର୍ମାଣର ଆରମ୍ଭ । ଏହି ପବିତ୍ର ତିଥିରେ ମହାପ୍ରଭୁଙ୍କ ତିନି ରଥର ନିର୍ମାଣ ପାଇଁ ପ୍ରଥମ କରି କାଠ ଅନୁକୂଳ କରାଯାଏ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀନଅର ସମ୍ମୁଖରେ ଶ୍ରୋତ୍ରିୟ ବ୍ରାହ୍ମଣଙ୍କ ଦ୍ୱାରା ଯଜ୍ଞ ଓ ପୂଜାର୍ଚ୍ଚନା କରାଯାଇ ରଥଖଳାରେ ରଥ ନିର୍ମାଣର ଶୁଭାରମ୍ଭ ହୁଏ । ବିଶ୍ୱକର୍ମା ମହାରଣାମାନେ ସୁନା କୁରାଢ଼ୀ ସ୍ପର୍ଶ କରି ରଥ କାଠକୁ କାଟିବା ଆରମ୍ଭ କରନ୍ତି ।

ଚନ୍ଦନ ଯାତ୍ରାର ଶୁଭାରମ୍ଭ

ଅକ୍ଷୟ ତୃତୀୟା ଠାରୁ ଶ୍ରୀଜଗନ୍ନାଥଙ୍କ ପ୍ରସିଦ୍ଧ 'ବାହାର ଚନ୍ଦନ ଯାତ୍ରା' ଆରମ୍ଭ ହୁଏ, ଯାହା ୨୧ ଦିନ ଧରି ଚାଲେ।ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଭୂଦେବୀ, ଶ୍ରୀଦେବୀ ଏବଂ ପାଞ୍ଚ ମହାଦେବ ବିମାନରେ ବସି ନରେନ୍ଦ୍ର ପୁଷ୍କରିଣୀକୁ ଯାଆନ୍ତି । ସେଠାରେ 'ନନ୍ଦା' ଏବଂ 'ଭଦ୍ରା' ନାମକ ଦୁଇଟି ସୁସଜ୍ଜିତ ନୌକାରେ ମହାପ୍ରଭୁ ଜଳକ୍ରୀଡ଼ା କରନ୍ତି । ଗ୍ରୀଷ୍ମ ତାପରୁ ରକ୍ଷା ପାଇବା ପାଇଁ ଶ୍ରୀବିଗ୍ରହମାନଙ୍କୁ ସର୍ବାଙ୍ଗରେ ସୁବାସିତ ଚନ୍ଦନ ପ୍ରଲେପ ଦିଆଯାଏ ।

Tags: