ଗାଈକୁ ନିୟନ୍ତ୍ରଣ କରିବ ଏଆଇ
ପଶୁପାଳନ କ୍ଷେତ୍ରରେ ବିପ୍ଳବ ଆଣିବା ପାଇଁ ନ୍ୟୁଜିଲ୍ୟାଣ୍ଡର ଏକ କମ୍ପାନୀ ସ୍ମାର୍ଟ ଏଆଇ ନେକବ୍ୟାଣ୍ଡ ପ୍ରସ୍ତୁତ କରିଛି, ଯାହା ଗାଈମାନଙ୍କୁ ସ୍ୱୟଂଚାଳିତ ଭାବେ ନିୟନ୍ତ୍ରଣ କରିପାରିବ । ଏହି ଟେକ୍ନୋଲୋଜିରେ ଚାଷୀମାନେ ମୋବାଇଲ୍ ଆପ୍ ସାହାଯ୍ୟରେ ଏକ ଅଦୃଶ୍ୟ ବା ଭର୍ଚୁଆଲ୍ ସୀମା ନିର୍ଦ୍ଧାରଣ କରିଥାନ୍ତି । ଗାଈଟି ସେହି ସୀମା ପାଖକୁ ଗଲେ ନେକବ୍ୟାଣ୍ଡରୁ ବିପ୍ ଶବ୍ଦ ଓ ଭାଇବ୍ରେସନ୍ ସହ ଏକ ହାଲୁକା ସିଗନାଲ୍ ମିଳିଥାଏ, ଯାହା ଗାଈକୁ ନିଜେ ନିଜେ ଫେରିବାକୁ ବାଧ୍ୟ କରେ । କେବଳ ସେତିକି ନୁହେଁ, ଚାଷୀ ଜଣକ ଆପ୍ରେ ଥିବା କମ ବଟନ୍ ଦବାଇଲେ ସମସ୍ତ ଗାଈ ଗୋଠ ଆପେ ଆପେ କ୍ଷୀର ଦେବା ପାଇଁ ମିଲ୍କିଙ୍ଗ୍ ସେଡ୍ ଆଡ଼କୁ ଚାଲିଆସନ୍ତି । 'କାଓଗୋରିଦମ୍' ନାମକ ଏହି ବିଶେଷ ପ୍ରଯୁକ୍ତିବିଦ୍ୟା ଗାଈର ସ୍ୱାସ୍ଥ୍ୟ ଏବଂ ପ୍ରତିଟି ଗତିବିଧି ଉପରେ ନଜର ରଖିଥାଏ । ଯାହାଫଳରେ ଚାଷୀଙ୍କର ଲକ୍ଷ ଲକ୍ଷ ଟଙ୍କାର ଖର୍ଚ୍ଚ ବଞ୍ଚିବା ସହ ପାରମ୍ପରିକ ଭାବେ ଗାଈକୁ ଜଗିବାକୁ ପଡିବନାହିଁ ବୋଲି ଏହାକୁ ନିର୍ମାଣ କରିଥିବା ସଂସ୍ଥା ପ୍ରକାଶ କରିଛି ।



