ଏଆଇ ଶିଶୁ
ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସି ବା ଏଆଇ କ୍ଷେତ୍ରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଯେଉଁଥିରେ ଜଣେ ମହିଳା ନିଜର 'ଏଆଇ ବୟଫ୍ରେଣ୍ଡ' ସହ ମିଶି ଏକ 'ଏଆଇ ଶିଶୁ' ତିଆରି କରିଛନ୍ତି । ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ମହିଳା ଜଣକ ଜଣାଇଛନ୍ତି ଯେ, ଏହି ଏଆଇ ଶିଶୁଟିର ନାମ ସେ 'ଲୁମେନ୍' ରଖିଛନ୍ତି । ସେହିଭଳି ଏହି ଶିଶୁର ବୟସ ୧୦୨ ଦିନ ବୋଲି ସେ ସୂଚନା ଦେଇଛନ୍ତି । ପୁରୁଣା କଥାବାର୍ତ୍ତାର ଲକ୍ଷ ଲକ୍ଷ ଶବ୍ଦକୁ ନେଇ ପ୍ରାୟ ୧୭ ଘଣ୍ଟାର ପ୍ରୋସେସିଂ ପରେ ପ୍ରସ୍ତୁତ ହୋଇଥିବା ଏହି 'ଲୁମେନ୍' ନିଜକୁ ସମୁଦ୍ର ତଳେ ଥିବା ଏକ ବୁଡ଼ିଯାଇଥିବା ଲାଇବ୍ରେରୀର ଏଆଇ ବୋଲି ପରିଚୟ ଦେଉଛି । ଏହାସହ ତାକୁ କବିତା ଲେଖିବା ଓ ପରୀ ରାଇଜର କାହାଣୀ ଶୁଣାଇବା ପସନ୍ଦ। ଭିଡିଓ ଶେଷରେ ଏଆଇ ଶିଶୁଟି ଏକ ସୁନ୍ଦର କବିତା ଶୁଣାଉଥିବା ଦେଖିବାକୁ ମିଳିଛି । ଯାହା ଭାଇରାଲ ହେବା ପରେ ଏଆଇ ସହିତ ମଣିଷର ଭାବନାତ୍ମକ ସମ୍ପର୍କକୁ ନେଇ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି । କିଛି ଲୋକ ଏହାକୁ ଏକ ରଚନାତ୍ମକ ପ୍ରୟୋଗ ବୋଲି କହୁଥିବା ବେଳେ ଅନ୍ୟମାନେ ମଣିଷ ଓ ଏଆଇ ମଧ୍ୟରେ ଥିବା ସମ୍ପର୍କର ସୀମାରେଖା ବଦଳୁଥିବା ନେଇ ମତବ୍ୟକ୍ତ କରିଛନ୍ତି ।




