ଟଏଲେଟ ସିଟରେ ବିଜ୍ଞାପନ
ଆମେରିକାର ଫିଲାଡେଲଫିଆରେ ରହୁଥିବା ନିକ୍ ଗ୍ରୀନାୱଲ୍ଟ ନାମକ ଜଣେ ବ୍ୟକ୍ତି ନିଜ ଶୌଚାଳୟର ଟଏଲେଟ୍ ସିଟ୍କୁ ବିଜ୍ଞାପନ ପାଇଁ ବ୍ୟବହାର କରୁଛନ୍ତି । ମଜାରେ ମଜାରେ ଆରମ୍ଭ ହୋଇଥିବା ଏହି ଅଭିନବ ଚିନ୍ତାଧାରା ମାଧ୍ୟମରେ ସେ ୧୦ ଲକ୍ଷ ଡଲାର ରୋଜଗାର କରିବାକୁ ଲକ୍ଷ୍ୟ ରଖିଥିବା ଜଣାପଡିଛି । ତାଙ୍କ ସହିତ ଅନେକ ବ୍ରାଣ୍ଡ ବର୍ତ୍ତମାନ ଏଥିରେ ସାମିଲ ହୋଇଛନ୍ତି । ଏହି ତାଲିକାରେ କ୍ଲୋରକ୍ସ, ମିରାଲାକ୍ସ ଏବଂ ମୁନ୍-ପେ ଭଳି ବଡ଼ ବଡ଼ ବ୍ରାଣ୍ଡଗୁଡ଼ିକ ସାମିଲ ହୋଇସାରିଛନ୍ତି । ନିକ୍ ନିଜର ଏହି ଟଏଲେଟ୍ ସିଟ୍ ବିଜ୍ଞାପନର ଭିଡିଓ ସୋସିଆଲ ମିଡିଆରେ ସେୟାର କରିବା ପରେ ତାହା ଭାଇରାଲ ହେବାରେ ଲାଗିଥିଲା । ଯେଉଁଥିରେ ଗୋଟିଏ ଭିଡିଓକୁ ୪ କୋଟିରୁ ଅଧିକ ଭିୟୁଜ୍ ମିଳିଛି । ଅଳ୍ପ ବଜେଟ୍ ମଧ୍ୟରେ ଲକ୍ଷ ଲକ୍ଷ ନୂଆ ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ଏହା ଏକ ପ୍ରଭାବଶାଳୀ ମାଧ୍ୟମ ବୋଲି ବିଜ୍ଞାପନଦାତାମାନେ ମତ ଦେବାରେ ଲାଗିଛନ୍ତି । ସୋସିଆଲ ମିଡିଆରେ ସମସ୍ତେ ତାଙ୍କର ଏହି ନୂଆ ତଥା ହଟକେ ଚିନ୍ତାଧାରାକୁ ପ୍ରଶଂସା କରିବାରେ ଲାଗିଛନ୍ତି ।




