ଆଡପ ମଣ୍ଡପ

ଆଡପ ମଣ୍ଡପ
Ipsita Picture
By: Ipsita
Published On

 

ରତ୍ନବେଦିରୁ ବିଦାୟନେଇ ପ୍ରଭୁ ବିଜେ କରନ୍ତି ଆଡପ ମଣ୍ଡପରେ, ଯାହାର ମହିମା ଅନନ୍ୟ । ଏହାର ମାହାତ୍ମ୍ୟ ଖୁବ ଅଧିକ । ବିଶ୍ବାସ ରହିଛି ଆଡପ ଦର୍ଶନକଲେ ଭକ୍ତଙ୍କର କୋଟି ପାପ କ୍ଷୟ ହୋଇଥାଏ । ସେଥିପାଇଁ ଆଡପ ଦର୍ଶନ ପାଇଁ ଲୋକଙ୍କ ଭିତରେ ରହିଥାଏ ଗଭୀର ଆକର୍ଷଣ ।

ଶ୍ରୀଜଗନ୍ନାଥ ମହାପ୍ରଭୁ ହେଉଛନ୍ତି ଶ୍ରୀକ୍ଷେତ୍ର ବା ଶଙ୍ଖକ୍ଷେତ୍ରର ଅଧିଷ୍ଠିତ ଦାରୁ ଦେବତା । ତେବେ କୋଟି କୈବଲ୍ୟନାଥ ଶ୍ରୀଜଗନ୍ନାଥ ମହାପ୍ରଭୁ ଓଡ଼ିଶାର ଇଷ୍ଟଦେବ ହୋଇ ମଧ୍ୟ ଜଣେ ଅବତାରୀ ପୁରୁଷ। ଯିଏ ସକଳ ପ୍ରକାର ବିଘ୍ନର ନାଶକାରକ ଏବଂ ସୃଷ୍ଟିରକ୍ଷା ଲାଗି ଦାରୁବ୍ରହ୍ମ ରୂପେ ବା ଦାରୁ ବିଗ୍ରହଧାରୀ ରୂପେ ଶ୍ରୀପୁରୁଷୋତ୍ତମ କ୍ଷେତ୍ରରେ ବିରାଜିତ ଓ ସର୍ବପୂଜିତ। ଶଙ୍ଖକ୍ଷେତ୍ର ଭାରତବର୍ଷରେ ଅବସ୍ଥିତ ଚାରିଧାମ ମଧ୍ୟରୁ ଅନ୍ୟତମ ଓ ଶ୍ରେଷ୍ଠଧାମ ରୂପେ ଜଗତଖ୍ୟାତ । ଜଗନ୍ନାଥଙ୍କ ଶ୍ରୀମନ୍ଦିର ବ୍ୟତିତ ଶ୍ରୀପୁରୁଷୋତ୍ତମ କ୍ଷେତ୍ରରେ ଅନେକ ପବିତ୍ର ସ୍ଥାନ ରହିଛି ଯାହାର ମହିମା ଅନନ୍ୟ । ଏଠାରେ ପଞ୍ଚକୋଶ ଯୋଜନ ବ୍ୟାପୀ ଶ୍ରୀକ୍ଷେତ୍ରରେ ଆନୁମାନିକ ଶହେରୁ ଅଧିକ ମଣ୍ଡପ, ମଠ ଓ  ମନ୍ଦିର ରହିଛି ।  ତେବେ ଏହି ସମସ୍ତଙ୍କ ପୂଜା ରୀତିନୀତି ଶ୍ରୀମନ୍ଦିର ସହିତ ଜଡିତ । ପୁରାଣ ବର୍ଣ୍ଣିତ ଷୋଡ଼ଶ ମଣ୍ଡପଗୁଡ଼ିକର ନାମ ହେଲା ଯଥା- ରତ୍ନ ମଣ୍ଡପ, ଦେବସଭା ମଣ୍ଡପ, ଭୋଗ ମଣ୍ଡପ, ଚାହାଣୀ ମଣ୍ଡପ, ନିର୍ମାଲ୍ୟ ମଣ୍ଡପ, ସ୍ନାନ ମଣ୍ଡପ, ମାଜଣା ମଣ୍ଡପ, ଅବିଢ଼ା ମଣ୍ଡପ, ଦୋଳ ମଣ୍ଡପ, ନାଟ ମଣ୍ଡପ, ରାହାସ ମଣ୍ଡପ, ଗୁଣ୍ଡିଚା ମଣ୍ଡପ ବା ଆଡ଼ପ ମଣ୍ଡପ, ବିବାହ ମଣ୍ଡପ, ବକୁଳ ମଣ୍ଡପ, ମୁକ୍ତି ମଣ୍ଡପ, ଜଳକ୍ରୀଡ଼ା ମଣ୍ଡପ, ଯଜ୍ଞ ମଣ୍ଡପ ଇତ୍ୟାଦି ଇତ୍ୟାଦି ।  ଆଡ଼ପ ମଣ୍ଡପ ବା ଗୁଣ୍ଡିଚା ମଣ୍ଡପ ଷୋଡ଼ଶ ମଣ୍ଡପ ମଧ୍ୟରୁ ଶ୍ରେଷ୍ଠ ମଣ୍ଡପ। ମଣ୍ଡପମାନଙ୍କର କାର୍ଯ୍ୟକାରିତାକୁ ବିଶ୍ଳେଷଣ କଲେ ଜଣାପଡ଼େ ଯେ, ଆଡ଼ପ ମଣ୍ଡପ ବା ଗୁଣ୍ଡିଚା ମଣ୍ଡପର ପବିତ୍ରତା ରତ୍ନ ମଣ୍ଡପଠାରୁ କୌଣସି ଗୁଣରେ କମ୍ ନୁହେଁ । ବରଂ ଏହି ମଣ୍ଡପର ମାହାତ୍ମ୍ୟ ବିଭିନ୍ନ ପୁରାଣ ଓ ଶାସ୍ତ୍ରରେ ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇ କୁହାଯାଇଛି ଯେ, ଏହି ମଣ୍ଡପର ପବିତ୍ରତା ରତ୍ନ ମଣ୍ଡପ ଅପେକ୍ଷା ଶହେ ଗୁଣ ଅଧିକ ପ୍ରଭାବଶାଳୀ । ମୂଳତଃ ଆଡ଼ପ ମଣ୍ଡପକୁ ଯଜ୍ଞ ବା ଯଜ୍ଞବେଦୀ, ମହାବେଦୀ, ଗୁଣ୍ଡିଚା ମଣ୍ଡପ, ରାସ ମଣ୍ଡପ  ଆଦି ନାମରେ ସମ୍ଭୋଧନ କରାଯାଇଥାଏ । ପୌରାଣିକ କଥାବସ୍ତୁକୁ ଆଧାର କରି ଉଲ୍ଲେଖ ଅଛି ଯେ, ଶ୍ରୀକ୍ଷେତ୍ରରେ ଅବସ୍ଥିତ ଗୁଣ୍ଡିଚା ମଣ୍ଡପ ବା ଆଡ଼ପ ମଣ୍ଡପକୁ ପରମ ବୈଷ୍ଣବ ମହାରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ମହାରାଣୀ ଗୁଣ୍ଡିଚାଙ୍କ ନାମରେ ନାମିତ କରାଯାଇଛି । ଏହାଛଡ଼ା ଖ୍ରୀଷ୍ଟୀୟ ଦ୍ୱାଦଶ ଶତାବ୍ଦୀରେ ଆଡ଼ପ ମଣ୍ଡପ ବା ଗୁଣ୍ଡିଚା ମଣ୍ଡପ ଦାରୁନିର୍ମିତ ଥିଲା । ପରବର୍ତ୍ତୀ ସମୟରେ ଐତିହାସିକ ଦୃଷ୍ଟିକୋଣରୁ ବିଚାରାତ୍ମକ ଯେ, ଖ୍ରୀଷ୍ଟୀୟ ଦ୍ୱାଦଶ ଶତାବ୍ଦୀରୁ ଚତୁର୍ଦ୍ଦଶ ଶତାବ୍ଦୀର ମଧ୍ୟବର୍ତ୍ତୀ ମଧ୍ୟ ଯେତେବେଳେ ଚୋଡ଼ଗଙ୍ଗଦେବଙ୍କ ରାଜା ନରସିଂହ ଦେବ- ୨ୟ ରାଜୁତି କରୁଥିଲେ, ସେତେବେଳେ ସେ କାଷ୍ଠ ନିର୍ମିତ ମଣ୍ଡପକୁ ପରିବର୍ତ୍ତନ କରି ପଥର ମଣ୍ଡପ ନିର୍ମାଣ କରିଥିଲେ । ସଂପ୍ରତି ଗୁଣ୍ଡିଚା ଘର ଗର୍ଭଗୃହରେ ବର୍ତ୍ତମାନ ଯେଉଁ ସ୍ଥାପିତ ମଣ୍ଡପଟି ଅଛି ତାହା କଳା ମୁଗୁନି ପ୍ରସ୍ତରରେ ନିର୍ମାଣ କରାଯାଇଛି ଏବଂ ଏହାର ଉଚ୍ଚତା ୪ଫୁଟ ଏବଂ ଲମ୍ବ ୧୯ ଫୁଟ ଅଟେ । ଏହି ମଣ୍ଡପର ପ୍ରମୁଖ ବିଶେଷତା ହେଲା ବଡ଼ଦାଣ୍ଡରୁ ଦାରୁ ଦିଅଁ ରଥରୁ ଓହ୍ଲାଇ ପ୍ରଥମେ ଯେଉଁ ମଣ୍ଡପକୁ ବିଜେ କରନ୍ତି ତାହାକୁ ଆଡ଼ପ ମଣ୍ଡପ କୁହାଯାଏ। ଏହାଛଡ଼ା ଏହି ମଣ୍ଡପର ପଶ୍ଚାତ୍ ଭାଗରେ ଅବସ୍ଥିତ ଶ୍ରୀ ନୃସିଂହ ଦେବତାଙ୍କୁ ମହାରାଜା ଇନ୍ଦ୍ରଦ୍ୟୁମ୍ନ ପ୍ରତିଷ୍ଠା କରିଥିଲେ । ତତ୍ ସହିତ ସେ ଏଠାରେ ଅଶ୍ୱମେଧ ଯଜ୍ଞ ମଧ୍ୟ ଅନୁଷ୍ଠିତ କରିଥିବାର ପ୍ରମାଣ ମିଳେ। ଏହି କାରଣରୁ ଗୁଣ୍ଡିଚା ମଣ୍ଡପ ବା ଆଡ଼ପ ମଣ୍ଡପକୁ ନୃସିଂହକ୍ଷେତ୍ର କୁହାଯାଏ। ପୁନଶ୍ଚ ଏହି ଯଜ୍ଞସ୍ଥଳର ଦକ୍ଷିଣ ପଟକୁ ଆଡ଼େଇ ମଣ୍ଡପଟି ଅବସ୍ଥିତ ଥିବାରୁ ଏହାର ନାମକରଣ ଆଡ଼ପ ମଣ୍ଡପ କରାଯାଇଛି। ଏହି ମଣ୍ଡପର ଅବସ୍ଥିତ ପ୍ରାୟତଃ ଶ୍ରୀମନ୍ଦିର ଅନୁରୂପ କହିଲେ ଠିକ୍ ହେବ । କାହିଁକିନା ଗୁଣ୍ଡିଚା ମଣ୍ଡପକୁ ଦୁଇଟି ପ୍ରାଚୀର ଘେରି ରହିଛି ଏବଂ ଏହାର ପରିସୀମା ପ୍ରାୟ ୪ ଏକର ପରିମିତ କ୍ଷେତ୍ର ଉପରେ ବ୍ୟାପ୍ତ । ପୁନଶ୍ଚ ଗୁଣ୍ଡିଚା ମଣ୍ଡପରେ ଶ୍ରୀମନ୍ଦିର ପରି ଗର୍ଭଗୃହ, ଜଗମୋହନ, ନାଟ ମଣ୍ଡପ ଓ ଭୋଗ ମଣ୍ଡପ ରହିଛି। ଏହାର ଉତ୍ତର ପୂର୍ବ ଦିଗରେ ନୀଳ କଣ୍ଠେଶ୍ୱର ମନ୍ଦିର ଅବସ୍ଥିତ । ତଦ୍ସହିତ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ମଧ୍ୟ। ପ୍ରତିବର୍ଷ ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ରତ୍ନ ମଣ୍ଡପରେ ବିରାଜିତ ଚତୁର୍ଦ୍ଧାମୂର୍ତ୍ତିଙ୍କର ଘୋଷଯାତ୍ରା ବା ଗୁଣ୍ଡିଚା ଯାତ୍ରା ଅବସରରେ ଶ୍ରୀମନ୍ଦିରରୁ ଗୁଣ୍ଡିଚା ମଣ୍ଡପ ବା ଆଡ଼ପ ମଣ୍ଡପରେ ବିଜେ କରନ୍ତି । ପ୍ରାୟତଃ ବର୍ଷସାରା ଜନଗହଳିଶୂନ୍ୟ ଥିବା ଆଡ଼ପ ମଣ୍ଡପ କେବଳ ରଥଯାତ୍ରା ବେଳେ ଦୀର୍ଘ ସପ୍ତାହ ବ୍ୟାପୀ ଲୋକାରଣ୍ୟ ରହିଥାଏ । ବର୍ଷକୁ ଥରେ ମାତ୍ର ଦାରୁ ବିଗ୍ରହମାନେ ରଥରେ ବିଜେ କରି ମାଉସୀ ମାଆ ମନ୍ଦିର ବା ଆଡ଼ପ ମଣ୍ଡପକୁ ଆସିଥାନ୍ତି । ଏହି ଶୁଭଅବସରରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ହରିବୋଲ ହୁଳହୁଳି ଧ୍ୱନିରେ ବଡ଼ଦାଣ୍ଡ ପ୍ରକମ୍ପିତ କରି, ଗୁଣ୍ଡିଚା ମନ୍ଦିରରେ ସମାବେଶ ହୋଇଥାନ୍ତି ଏବଂ ଏଠାରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ପୂଜାବିଧୂ ଅତ୍ୟନ୍ତ ନିଷ୍ଠାର ସହ ସମ୍ପନ୍ନ ହେବାପରେ ଜଗନ୍ନାଥପ୍ରେମୀ ଭକ୍ତମାନେ ତିନି ରଥକୁ ଶରଧାବାଲି ପର୍ଯ୍ୟନ୍ତ ଟାଣି ଟାଣି ନେଇଯାଇଥାନ୍ତି। ପରେ ଦାରୁ ବିଗ୍ରହମାନେ ଶରଧାବାଲିରୁ ରଥରୁ ଓହ୍ଲାଇ ସିଧାସଳଖ ଆଡ଼ପ ମଣ୍ଡପକୁ ବିଜେ କରିଥାନ୍ତି । ଏଥିପାଇଁ ବର୍ଷସାରା ଶ୍ରଦ୍ଧାଳୁଶୂନ୍ୟ ଗୁଣ୍ଡିଚା ମଣ୍ଡପ ରଥଯାତ୍ରାରୁ ବାହୁଡ଼ା ପର୍ଯ୍ୟନ୍ତ ଲୋକାରଣ୍ୟ ରହିଥାଏ ।

Tags: