ଗାଳି ମୁକ୍ତ ଗାଁ
ସାଧାରଣତଃ ଗାଁମାନଙ୍କରେ ଝଗଡା ହେବା ସମମୟରେ ଲୋକମାନେ ଗାଳିଦେବା ଆରମ୍ଭ କରିଥାଆନ୍ତି । ତେବେ ମଧ୍ୟପ୍ରଦେଶର ବୁରହାନପୁର ଜିଲ୍ଲାରେ ଅବସ୍ଥିତ ବୋରସର ଗାଁ କିନ୍ତୁ ଅନ୍ୟ ଗାଁଠାରୁ ଅଲଗା । ଏହି ଗାଁ ଏବେ 'ଗାଳି ମୁକ୍ତ ଗାଁ' ଭାବେ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛି । ଯେଉଁଠାରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଠୋର ଦଣ୍ଡର ବ୍ୟବସ୍ଥା କରାଯାଇଛି। ପ୍ରାୟ ୬ ହଜାର ଜନସଂଖ୍ୟା ବିଶିଷ୍ଟ ଏହି ଗାଁରେ ଯଦି କେହି ଗାଳିଗୁଲଜ କରନ୍ତି, ତେବେ ତାଙ୍କୁ ୫୦୦ ଟଙ୍କା ଜୋରିମାନା ଦେବାକୁ ପଡ଼ିବା ସହ ଗାଁରେ ଏକ ଘଣ୍ଟା ପର୍ଯ୍ୟନ୍ତ ଝାଡ଼ୁ ମାରି ସଫା କରିବାକୁ ପଡ଼ିଥାଏ । ଗ୍ରାମ ପଞ୍ଚାୟତର ସରପଞ୍ଚ ଅନ୍ତରସିଂହ, ଉପସରପଞ୍ଚ ବିନୋଦ ଶିନ୍ଦେ ଏବଂ ଅଭିନେତା ଅଶ୍ୱିନ ପାଟିଲଙ୍କ ମିଳିତ ପ୍ରୟାସରେ ଗାଁକୁ ସାମାଜିକ କୁସଂସ୍କାରରୁ ମୁକ୍ତ କରିବା ପାଇଁ ଅଭିଯାନ ଆରମ୍ଭ ହୋଇଛି । ଏହି ନିୟମକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ଗାଁର ବିଭିନ୍ନ ସ୍ଥାନରେ ନୋଟିସ ବୋର୍ଡ ଲଗାଯାଇଥିବା ବେଳେ ଗ୍ରାମବାସୀଙ୍କ ସୁବିଧା ପାଇଁ ୪ଟି ସ୍ଥାନରେ ଫ୍ରି ୱାଇ-ଫାଇ ଏବଂ ଏକ ଲାଇବ୍ରେରୀ ମଧ୍ୟ ପ୍ରତିଷ୍ଠା କରାଯାଇଛି । ଗାଁର ପରିବେଶକୁ ସୁଧାରିବା ସହ ଶୃଙ୍ଖଳିତ ଜୀବନଶୈଳୀ ଆପଣାଇବା ପାଇଁ ଗ୍ରାମବାସୀଙ୍କର ଏହି ନିଆରା ପଦକ୍ଷେପ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।



