ରାସ୍ତା ନଥିବା ଗାଁ
ସାରା ବିଶ୍ୱରେ ଅନେକ ଆଶ୍ଚର୍ଯ୍ୟଜନକ ଗାଁ ରହିଛି, କିନ୍ତୁ ଇରାନର ‘ମସୁଲେହ’ ଗାଁ ସବୁଠାରୁ ନିଆରା, କାରଣ ଏଠାରେ ଗୋଟିଏ ହେଲେ ବି ରାସ୍ତା ନାହିଁ । ଇରାନର ଗିଲାନ୍ ପ୍ରାନ୍ତର ଏକ ପାହାଡ଼ିଆ ଢାଲୁ ଅଞ୍ଚଳରେ ଅବସ୍ଥିତ ଏହି ଗାଁର ଘରଗୁଡ଼ିକ ସିଡ଼ି ସଦୃଶ ଧାଡ଼ି ହୋଇ ରହିଛି । ଯେଉଁଠି ତଳେ ଥିବା ଘରର ଛାତ, ତା’ ଉପର ଘର ପାଇଁ ଅଗଣା ଏବଂ ଯାତାୟାତର ରାସ୍ତା ପାଲଟିଯାଏ । ଏହି କାରଣରୁ ଏଠାରେ କୌଣସି କାର୍ କିମ୍ବା ବାଇକ୍ ଚାଲେନାହିଁ, ବରଂ ଲୋକମାନେ ଏକାଠି ଗୋଟିଏ ଘରର ଛାତରୁ ଅନ୍ୟ ଘରର ଛାତ ଦେଇ ସାରା ଗାଁରେ ପାଦରେ ଚାଲି ଚାଲି ଯାତାୟାତ କରିଥାନ୍ତି । ଶତାବ୍ଦୀ ପୁରୁଣା ଇତିହାସ ବହନ କରୁଥିବା ଏହି ଗାଁର ସମସ୍ତ ଘର ପଥର ଓ ମାଟିରେ ନିର୍ମିତ । ଯାହା ସ୍ଥାନୀୟ ଲୋକଙ୍କୁ ପ୍ରବଳ ଶୀତ ଏବଂ ବର୍ଷାରୁ ରକ୍ଷା କରିଥାଏ । ଏହାର ଏହି ଅଦ୍ଭୁତ ବୈଶିଷ୍ଟ୍ୟ ଯୋଗୁଁ ଇରାନ ସରକାର ‘ମସୁଲେହ’କୁ ଏକ ଜାତୀୟ ଐତିହ୍ୟ ଭାବେ ଘୋଷଣା କରିବା ସହ ଏଠାରେ ପର୍ଯ୍ୟଟନର ସୁବିଧା ସୁଯୋଗ ବଢ଼ାଇଛନ୍ତି । ହେଲେ ଗାଁର ପାରମ୍ପରିକ ଗଠନଶୈଳୀକୁ ସମ୍ପୂର୍ଣ୍ଣ ସୁରକ୍ଷିତ ରଖାଯାଇଛି । ବର୍ତ୍ତମାନ ସୁଦ୍ଧା ନିଜର ପୁରୁଣା ପରିଚୟ ବଜାୟ ରଖିଥିବା ଏହି ଗାଁର ବାସିନ୍ଦାମାନେ ମୁଖ୍ୟତଃ ସ୍ଥାନୀୟ ହସ୍ତଶିଳ୍ପ , କୃଷି ଏବଂ ପର୍ଯ୍ୟଟନ ମାଧ୍ୟମରେ ନିଜର ଜୀବିକା ନିର୍ବାହ କରୁଛନ୍ତି ।




