ଭିଡିଓ ଗେମ ଖେଳିବାକୁ ଏକକୋଟି ଦରମା

ଭିଡିଓ ଗେମ ଖେଳିବାକୁ ଏକକୋଟି ଦରମା
Ipsita Picture
By: Ipsita
Published On


ସାଧାରଣତଃ ଭିଡିଓ ଗେମ ଖେଳିବାକୁ ସମସ୍ତେ ମନା କରନ୍ତି, କାରଣ ଏଥିରେ ସମୟ ନଷ୍ଟ ହୋଇଥାଏ ବୋଲି ଭାବନା ରହିଛି । ହେଲେ ଧୀରେଧୀରେ ଏହି ଭାବନା ପରିବର୍ତ୍ତନ ହେଉଛି, ଏଭଳି ଅନେକ ଉଦାହରଣ ଦେଖିବାକୁ ମିଳୁଛି ଯାହା ଭିଡିଓ ଗେମକୁ ଭଲ ବୋଲି ପ୍ରମାଣିତ କରୁଛି । ନିକଟରେ  ଆମେରିକାର ଏକ ପ୍ରେଡିକ୍ସନ୍ ମାର୍କେଟ୍ କମ୍ପାନୀ 'କାଲ୍‌ସି' ଆଗାମୀ ଭିଡିଓ ଗେମ୍ 'ଗ୍ରାଣ୍ଡ୍‌ ଥେଫ୍ଟ ଅଟୋ ୬' (ଜିଟିଏ ୬) ଖେଳିବା ପାଇଁ ଜଣେ ବ୍ୟକ୍ତିଙ୍କୁ ବାର୍ଷିକ ପ୍ରାୟ ୧ କୋଟି ଟଙ୍କା ବେତନ ପ୍ରଦାନ କରିବାକୁ ଘୋଷଣା କରିଛି । 'ଜିଟିଏ ଭିଆଇ ରିସର୍ଚ୍ଚର' ଶୀର୍ଷକ ଏହି ଚାକିରି ପାଇଁ କମ୍ପାନୀ ଲିଙ୍କଡଇନ୍‌ରେ ବିଜ୍ଞାପନ ପ୍ରକାଶ କରିଥିବା ବେଳେ ପ୍ରକଳ୍ପ ସମାପ୍ତ ହେବା ପରେ ମନୋନୀତ ପ୍ରାର୍ଥୀଙ୍କୁ ପ୍ରାୟ ୧୪ ଲକ୍ଷ ଟଙ୍କାର ଅତିରିକ୍ତ ବୋନସ୍ ମଧ୍ୟ ମିଳିବ । ଜିଟିଏ ୬ ଲଞ୍ଚ ହେବା ଦିନ ଅର୍ଥାତ୍ ନଭେମ୍ବର ୧୯ ତାରିଖ ମଧ୍ୟରାତ୍ରିରୁ ଏହି ଚାକିରି ଆରମ୍ଭ ହେବ। ମନୋନୀତ ପ୍ରାର୍ଥୀଙ୍କୁ ଗେମ୍‌ର କାଳ୍ପନିକ ଅର୍ଥନୀତି ଅଧ୍ୟୟନ କରିବାକୁ ପଡ଼ିବ ଏବଂ ପ୍ରକୃତ ଦୁନିଆର ଆଚରଣ ଉପରେ ଏହାର ପ୍ରଭାବ ବିଶ୍ଳେଷଣ କରିବାକୁ ହେବ। ସେମାନଙ୍କୁ ପ୍ରତିଦିନ ଅତିକମରେ ୧୦ ଘଣ୍ଟା ଗେମ୍ ଖେଳିବାକୁ ପଡ଼ିବ ଏବଂ କ୍ୟାମେରା ଅନ୍ ରଖି ୟୁଟ୍ୟୁବରେ ସେମାନଙ୍କର ସମସ୍ତ ଗେମପ୍ଲେ ଲାଇଭ୍‌ଷ୍ଟ୍ରିମ୍ କରିବାକୁ ପଡ଼ିବ । ଏହା ବ୍ୟତୀତ ଲଞ୍ଚ ଦିନ କେତେ ଜଣ ବ୍ୟକ୍ତି ଅସୁସ୍ଥତା କିମ୍ବା  ଜରୁରୀକାଳୀନ ପରିସ୍ଥିତି ଦର୍ଶାଇ ଛୁଟିରେ ରହୁଛନ୍ତି, ତାହା ଆକଳନ କରିବା ଏବଂ ଗେମ୍ ରିଲିଜ୍ ହେବା ପରେ ଫୁଡ୍ ଡେଲିଭରି ଅର୍ଡରର ବୃଦ୍ଧିକୁ ଟ୍ରାକ୍ କରିବା ପାଇଁ ମଧ୍ୟ ଗବେଷକଙ୍କୁ ଅପେକ୍ଷା କରାଯାଇଛି । ୧୮ ବର୍ଷ କିମ୍ବା ତଦୂର୍ଦ୍ଧ୍ୱ ବୟସ୍କ ଆମେରିକୀୟ ନାଗରିକଙ୍କ ପାଇଁ ଉଦ୍ଦିଷ୍ଟ ଏହି ରିମୋଟ୍ ପଦବୀ ପାଇଁ ଆବେଦନକାରୀଙ୍କର ଅତିକମରେ ୧୦ ବର୍ଷର ଗେମିଂ ଅଭିଜ୍ଞତା ଏବଂ ୩ ବର୍ଷର ଲାଇଭ୍‌ଷ୍ଟ୍ରିମିଂ ଅଭିଜ୍ଞତା ରହିବା ଜରୁରୀ । ସେମାନଙ୍କର ନିଜର ଗେମିଂ ସେଟଅପ୍ ସହିତ ଏକ ନିର୍ଭରଯୋଗ୍ୟ ଇଣ୍ଟରନେଟ୍ ସଂଯୋଗ ମଧ୍ୟ ଥିବା ଆବଶ୍ୟକ ।

Tags: