ମାଛଙ୍କୁ ସୁରକ୍ଷା ଦେଉଛି ରୋବଟ
ନରୱେର ସାଲମନ୍ ମାଛ ଚାଷୀମାନେ ଦେଶର ଉପକୂଳବର୍ତ୍ତୀ ଅଞ୍ଚଳରେ ମାଛମାନଙ୍କୁ କ୍ଷତି ପହଞ୍ଚାଉଥିବା 'ସି ଲାଇସ୍' ବା ସାମୁଦ୍ରିକ ଉକୁଣୀ ମାରିବା ପାଇଁ ଏକ ଅଭିନବ ପଦକ୍ଷେପ ନେଇଛନ୍ତି । ସେମାନେ ଲେଜର ଏବଂ ଏଆଇ ପରିଚାଳିତ ବୁଡ଼ାଜାହାଜ ରୋବଟକୁ ଏଥିପାଇଁ ବ୍ୟବହାର କରୁଛନ୍ତି । ଓସଲୋ-ଭିତ୍ତିକ 'ଷ୍ଟିଙ୍ଗରେ ମେରାଇନ୍ ସଲ୍ୟୁସନ୍ସ'ର ବାର୍ଷିକ ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ୩,୫୦୦ରୁ ଅଧିକ ୟୁନିଟ୍ କାର୍ଯ୍ୟକ୍ଷମ ହୋଇ ୧୧୨ ନିୟୁତରୁ ଅଧିକ ମାଛଙ୍କୁ ସୁରକ୍ଷା ଦେଉଛି । ଗତ ଏକ ବର୍ଷ ମଧ୍ୟରେ ୧,୦୦୦ରୁ ଅଧିକ ସ୍ଥାନରେ ଏହାର ନିୟୋଜନ ସହ ଏହା ଏହି ଅଞ୍ଚଳର ଅନ୍ୟତମ ବୃହତ୍ତମ ବାଣିଜ୍ୟିକ ଏଆଇ ପ୍ରୟୋଗ ପାଲଟିଛି । ଏହି ପ୍ରଯୁକ୍ତିବିଦ୍ୟା ମାଛମାନଙ୍କୁ ରାସାୟନିକ ସ୍ନାନ କରାଇବା ପରିବର୍ତ୍ତେ ଏଆଇ ମାଧ୍ୟମରେ ଉକୁଣୀ ଚିହ୍ନଟ କରି ଲେଜର ଦ୍ୱାରା ନଷ୍ଟ କରିଥାଏ । ଯାହାଦ୍ୱାରା ମାଛଙ୍କ ବୃଦ୍ଧି ଓ ସ୍ୱାସ୍ଥ୍ୟରେ ଉନ୍ନତି ଘଟିବା ସହ ମୃତ୍ୟୁହାର ହ୍ରାସ ପାଇଥାଏ । ପରିବେଶ ଓ ଖାଦ୍ୟ ଉତ୍ପାଦନରେ ବିଷାକ୍ତ ପଦାର୍ଥର ବିପଦ ଦୂର ହୋଇଥାଏ । ଷ୍ଟିଙ୍ଗରେ ସିଇଓ ଜନ୍ ଆର୍ନେ ବ୍ରେଭିକଙ୍କ କହିବାନୁସାରେ, ଏହି ରୋବଟ୍ଗୁଡ଼ିକ ବର୍ତ୍ତମାନ ନରୱେର ପ୍ରାୟ ୨୦ରୁ ୨୫ ପ୍ରତିଶତ ଚାଷ କରାଯାଉଥିବା ସାଲମନ୍ ମାଛଙ୍କୁ ସୁରକ୍ଷା ଦେଉଛନ୍ତି । କମ୍ପାନୀ ଉପକୂଳରୁ ଦିନରାତି ପ୍ରାୟ ୧୫,୦୦୦ କ୍ୟାମେରାର ଡାଟା ଲାଇଭଷ୍ଟ୍ରିମ୍ କରି ସିଷ୍ଟମରେ ନିରନ୍ତର ଉନ୍ନତି ଆଣୁଛି । ତେବେ ପ୍ରାରମ୍ଭିକ ଖର୍ଚ୍ଚ ଅଧିକ ହେବା ଏବଂ ଅନ୍ଧାରିଆ କୋଣ କିମ୍ବା ସୀମା ବାହାରେ ଉକୁଣୀ ଲୁଚି ରହିବାର ସମ୍ଭାବନା ଥିବାରୁ ଏହା ମୁଖ୍ୟତଃ ଏକ ପ୍ରତିରୋଧକ ବ୍ୟବସ୍ଥା ଭାବେ ସର୍ବୋତ୍ତମ କାର୍ଯ୍ୟ କରିଥାଏ ବୋଲି ଜଣାପଡ଼ିଛି ।




