ମହାକାଶରେ ନୂଆ ମାଇଲ ଷ୍ଟୋନ 

ମହାକାଶରେ ନୂଆ ମାଇଲ ଷ୍ଟୋନ 
Ipsita Picture
By: Ipsita
Published On

 

୧୯୭୭ ମସିହାରେ ପ୍ରେରିତ ନାସାର ମହାକାଶ ଯାନ 'ଭଏଗର ୧'  ଆସନ୍ତା ବୁଧବାର, ନଭେମ୍ବର ୧୮ ତାରିଖରେ ପୃଥିବୀଠାରୁ 'ଏକ ଆଲୋକ-ଦିବସ' ଅର୍ଥାତ୍ ପ୍ରାୟ ୨୬ ବିଲିୟନ କିଲୋମିଟର ଦୂରତାରେ ପହଞ୍ଚିବାରେ ପ୍ରଥମ ମାନବ ନିର୍ମିତ ବସ୍ତୁ ଭାବେ ଇତିହାସ ରଚିବାକୁ ଯାଉଛି । ପ୍ରାୟ ୫୦ ବର୍ଷ ଧରି ଅନ୍ତରୀକ୍ଷରେ ନିରନ୍ତର ଯାତ୍ରା କରୁଥିବା ଏହି ଯାନଟି ୧୯୮୦ ମସିହାରେ ଶନି ଗ୍ରହର ମାଧ୍ୟାକର୍ଷଣ ସହାୟତାରେ ଘଣ୍ଟାପ୍ରତି ୩୭,୭୬୩ ମାଇଲ୍ ବେଗ ହାସଲ କରିଥିଲା । ୨୮ ବର୍ଷ ପୂର୍ବେ ଏହା 'ପାୟୋନିଅର ୧୦'କୁ ଅତିକ୍ରମ କରି ସବୁଠାରୁ ଦୂରକୁ ଯାଇଥିବା ମହାକାଶ ଯାନର ମାନ୍ୟତା ପାଇଥିଲା । ବର୍ତ୍ତମାନ ଏତେ ଦୂରତାରୁ ପୃଥିବୀରୁ ପଠାଯାଉଥିବା କୌଣସି ସଙ୍କେତ ଯାନ ନିକଟରେ ପହଞ୍ଚିବାକୁ ପୂରା ଗୋଟିଏ ଦିନ ସମୟ ଲାଗିବ। ଏହି ଐତିହାସିକ ମାଇଲଖୁଣ୍ଟର ପୂର୍ବ ସନ୍ଧ୍ୟାରେ ନାସା ପକ୍ଷରୁ ବିଶ୍ୱବାସୀଙ୍କୁ "ସାଇନ୍ ବ୍ରାଇଟ୍ ଫର୍ ଭଏଜର୍ସ ଲାଇଟ୍-ଡେ" ଅଭିଯାନରେ ସାମିଲ ହେବାକୁ ଆହ୍ୱାନ କରାଯାଇଛି । ଯେଉଁଥିରେ ଲୋକମାନେ ଏକ ସ୍ୱତନ୍ତ୍ର ୱେବସାଇଟ୍ ମାଧ୍ୟମରେ ନିଜ ସ୍ମାର୍ଟଫୋନ୍ ଓ ଟାବଲେଟ୍‌ର ଫ୍ଲାସ୍ ଲାଇଟ୍ ବ୍ୟବହାର କରି ମୋର୍ସ କୋଡ୍ ଜରିଆରେ ଭଏଗରର କଲ୍ ସାଇନ୍ 'ଭିଜିଆର' ସଙ୍କେତ ପ୍ରଦର୍ଶନ କରିପାରିବେ । ମୂଳତଃ ମାତ୍ର ଚାରି ବର୍ଷ କାର୍ଯ୍ୟ କରିବା ପାଇଁ ନିର୍ମିତ ହୋଇଥିବା ଭଏଗର ୧, ଭଏଗର ୨ ପରେ ଉତକ୍ଷେପଣ ହୋଇଥିଲେ ମଧ୍ୟ ଦ୍ରୁତ ଗତି ଯୋଗୁଁ ୧୯୭୭ ଡିସେମ୍ବର ୧୫ରେ ତାହାକୁ ଅତିକ୍ରମ କରି ସୌରଜଗତର ସୀମା ବା 'ହେଲିଓସ୍ପିୟର' ପାର ହୋଇଥିଲା । ବର୍ତ୍ତମାନ ଏହା 'ଏକ୍ସ-ବ୍ୟାଣ୍ଡ'  ଟ୍ରାନ୍ସମିଟର ବ୍ୟବହାର କରି ସେକେଣ୍ଡ ପ୍ରତି ମାତ୍ର ୧୬୦ ବିଟ୍ସ ବେଗରେ ତଥ୍ୟ ପଠାଉଥିବା ବେଳେ ଶକ୍ତି କ୍ଷୟ କାରଣରୁ ୨୦୩୦ ଦଶକରେ ଏହାର ବୈଜ୍ଞାନିକ ଯନ୍ତ୍ରପାତି ବନ୍ଦ ହୋଇଯିବ । ୨୦୩୬ ମସିହା ସୁଦ୍ଧା ପୃଥିବୀ ସହ ଏହାର ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯିବ ବୋଲି ଆକଳନ କରାଯାଇଛି ।

Tags: