ସ୍ୱାସ୍ଥ୍ୟ ପାଇଁ ଭଲ ମାଠିଆ ପାଣି
ଖରାଦିନେ ପାଣି ଥଣ୍ଡା ରଖିବା ପାଇଁ ସାଧାରଣତଃ ଫ୍ରିଜ ବ୍ୟବହାର କରାଯାଇଥାଏ । ହେଲେ ଫ୍ରିଜର ଥଣ୍ଡା ପାଣି ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ତେଣୁ ସର୍ବଦା ପ୍ରାକୃତିକ ଥଣ୍ଡା ପାଣି ବ୍ୟବହାର ପାଇଁ ସମସ୍ତେ ଚେଷ୍ଟିତ ଥାଆନ୍ତି । ଯଦି ପ୍ରାକୃତିକ ଉପାୟରେ ପାଣିକୁ ଥଣ୍ଡା ରଖିବାକୁ ଚାହୁଁଛନ୍ତି, ତେବେ ମାଠିଆ ଏକ ଭଲ ବିକଳ୍ପ । ମାଠିଆ ପାଣିର ଅନେକ ଲାଭ ଥିବା ସହିତ ସ୍ୱାସ୍ଥ୍ୟକର ମଧ୍ୟ ହୋଇଥାଏ । ମାଠିଆରେ ପାଣି ରଖି ପିଇବା ଦ୍ୱାରା ଆମର ହଜମ ଶକ୍ତି ବଢିଥାଏ । ଶରୀର ହଜମ ଶକ୍ତିକୁ ପ୍ରାକୃତିକ ଉପାୟରେ ବଢାଇବା ପାଇଁ ଏହା ବିଶେଷ ଭାବେ ସହାୟକ ହୋଇଥାଏ । ସେହିଭଳି ମାଠିଆରେ ପାଣି ରହିଲେ ଏହା ପ୍ରାକୃତିକ ଉପାୟରେ ଥଣ୍ଡା ରହିଥାଏ । ଯାହାଫଳରେ ଏହାକୁ ପିଇବା ବେଳେ ଏହା ଆମ ତଣ୍ଟିର ମଧ୍ୟ କୌଣସି କ୍ଷତି କରି ନଥାଏ । ଏହାସହ ଖରା ଦିନେ ମାଠିଆ ପାଣି ପିଇଲେ ଅଂଶୁଘାତରୁ ମଧ୍ୟ ରକ୍ଷା ମିଳିଥାଏ ବୋଲି ବିଶେଷଜ୍ଞମାନେ ମତ ଦିଅନ୍ତି । ତେଣୁ ଫ୍ରିଜର ଥଣ୍ଡା ପାଣି ବଦଳରେ ସର୍ବଦା ମାଠିଆର ପ୍ରାକୃତିକ ଥଣ୍ଡା ପାଣି ବ୍ୟବହାର କରନ୍ତୁ ।



