ଭିନ୍ନ ଏକ ଅନ୍ତିମ ସଂସ୍କାର
ଆମେ ବିଭିନ୍ନ ପ୍ରକାରର ଅନ୍ତିମ ସଂସ୍କାର ପଦ୍ଧତି ବିଷୟରେ ଶୁଣିଛେ । କେତେକ ଲୋକ ନିଜ ପ୍ରିୟଜନଙ୍କ ମୃତୁ୍ୟ ପରେ ସେମାନଙ୍କର ମୃତଦେହକୁ ନିଆଁରେ ଦାହ କରିଥାଆନ୍ତି, ନଚେତ୍ କେହି କେହି ମାଟି ତଳେ ପୋତିଦିଅନ୍ତି । ବର୍ତ୍ତମାନର ଆଧୁନିକ ଟେକ୍ନୋଲୋଜି ଜରିଆରେ ମୃତଦେହର ଅନ୍ତିମ ସଂସ୍କାର କରାଯାଉଛି । ମାତ୍ର ଇଣ୍ଡୋନେସିଆରେ ଏକ ଜନଜାତି ଅଛନ୍ତି ଯେଉଁମାନେ ସେମାନଙ୍କର ପ୍ରିୟଜନମାନଙ୍କର କଦାପି ଅନ୍ତିମ ସଂସ୍କାର କରନ୍ତି ନାହିଁ । ଏହା ପରିବର୍ତ୍ତେ ଜୀବନ ସାରା ସେମାନଙ୍କର […]
ଆମେ ବିଭିନ୍ନ ପ୍ରକାରର ଅନ୍ତିମ ସଂସ୍କାର ପଦ୍ଧତି ବିଷୟରେ ଶୁଣିଛେ । କେତେକ ଲୋକ ନିଜ ପ୍ରିୟଜନଙ୍କ ମୃତୁ୍ୟ ପରେ ସେମାନଙ୍କର ମୃତଦେହକୁ ନିଆଁରେ ଦାହ କରିଥାଆନ୍ତି, ନଚେତ୍ କେହି କେହି ମାଟି ତଳେ ପୋତିଦିଅନ୍ତି । ବର୍ତ୍ତମାନର ଆଧୁନିକ ଟେକ୍ନୋଲୋଜି ଜରିଆରେ ମୃତଦେହର ଅନ୍ତିମ ସଂସ୍କାର କରାଯାଉଛି । ମାତ୍ର ଇଣ୍ଡୋନେସିଆରେ ଏକ ଜନଜାତି ଅଛନ୍ତି ଯେଉଁମାନେ ସେମାନଙ୍କର ପ୍ରିୟଜନମାନଙ୍କର କଦାପି ଅନ୍ତିମ ସଂସ୍କାର କରନ୍ତି ନାହିଁ । ଏହା ପରିବର୍ତ୍ତେ ଜୀବନ ସାରା ସେମାନଙ୍କର ମୃତଦେହକୁ ରଖି ଜୀବିତ ବ୍ୟକ୍ତି ଭଳି ଦେଖାରେଖା କରନ୍ତି । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ବି ଏହା ସତ । ଇଣ୍ଡୋନେସିଆର ସାଉଥ୍ ସୁଲାେୱସୀରେ ଏକ ପାହାଡିଆ ଅଞ୍ଚଳରେ ତୋରଜା ନାମକ ଏକ ଜନଜାତି ବସବାସ କରନ୍ତି । ଏହି ଜନଜାତିଙ୍କ ମଧ୍ୟରେ ଯଦି କାହାର ମୃତ୍ୟୁ ହୋଇଗଲା, ତେବେ ଏମାନେ ତାଙ୍କ ସଂସ୍କାର କରିବା ପରିବର୍ତ୍ତେ ତାଙ୍କ ମୃତଦେହର ଯନି ନିଅନ୍ତି । ଏହି ଜନଜାତିର ଲୋକଙ୍କ କହିବା ମୁତାବକ ମଣିଷ କିମ୍ବା ପଶୁ ହୁଅନ୍ତୁ, ପ୍ରତ୍ୟେକ ନିର୍ଜୀବ ପ୍ରାଣୀ ମଧ୍ୟରେ ଆତ୍ମା ରହିଥାଏ ଏବଂ ସେହି ଆତ୍ମାକୁ ସମ୍ମାନ ଦେବା ଉଚିତ୍ । ତେଣୁ ଲୋକଙ୍କ ମୃତୁ୍ୟ ପରେ ସେମାନେ ମୃତଦେହର ତୁରନ୍ତ ଅନ୍ତିମ ସଂସ୍କାର କରନ୍ତି ନାହିଁ । ଏହା ବଦଳରେ ସେମାନେ ଉତ୍ସବର ଆୟୋଜନ କରନ୍ତି । ଏନେଇ ଏକ ସଭା ଡକାଇ ଅନ୍ତିମ ସଂସ୍କାର କରିବା ପାଇଁ ପାଣ୍ଠି ସଂଗ୍ରହ କରନ୍ତି ଏବଂ ପର୍ଯ୍ୟାପ୍ତ ପରିମାଣର ପାଣ୍ଠି ସଂଗ୍ରହ କରାଯିବା ପରେ ଅନ୍ତିମ ସଂସ୍କାର କରିଥାଆନ୍ତି । ଏଥିପାଇଁ କେତେକ କ୍ଷେତ୍ରରେ ସପ୍ତାହ, ମାସ କିମ୍ବା ଅନେକ ବର୍ଷ ମଧ୍ୟ ବିତିଯାଏ । ଏହି ବ୍ୟବଧାନରେ ସେମାନେ ମୃତକଙ୍କୁ ଜୀବିତ ବୋଲି ମନେ କରି ସେମାନଙ୍କ ବିଶେଷ ଯନି ନିଅନ୍ତି । ଏପରି ସ୍ଥଳେ ମୃତଦେହରେ ଲେପ ଲଗାଯାଏ ଏବଂ ଅନ୍ୟାନ୍ୟ ରସାୟନିକ ପଦାର୍ଥ ବ୍ୟବହାର କରି ମୃତଦେହକୁ ସଢିବାରୁ ରକ୍ଷା କରାଯାଏ । ତେଣୁ ଘରେ ଏକ ବିଶେଷ କୋଠରୀ ପ୍ରସ୍ତୁତ କରି ତାଙ୍କୁ ରଖାଯାଏ । ସେହିପରି ପ୍ରତିଦିନ ମୃତଦେହକୁ ଗାଧୋଇଦେବା ସହିତ ତାଙ୍କ ପୋଷାକ ବଦଳାଯାଏ ଏବଂ ଖାଦ୍ୟ ମଧ୍ୟ ଖାଇବାକୁ ଦିଆଯାଏ । ଏ ସମ୍ବନ୍ଧିତ ଯେଉଁ ଉତ୍ସବ ହୁଏ, ସେଥିରେ ଲୋକଙ୍କୁ ଦୁଃଖୀ ବଦଳରେ ଅଧିକ ଉତ୍ସାହିତ ହୋଇ ନାଚଗୀତ କରୁଥିବାର ଦେଖାଯାଏ । ଏହି ଉତ୍ସବରେ ମଇଁଷି ଠାରୁ ଆରମ୍ଭ କରି ଘୁଷୁରୀକୁ ବଳି ଦିଆଯାଏ । ନାମୀଦାମୀ ଲୋକଙ୍କ ମୃତ୍ୟୁ ରେ ଶତାଧିକ ଆକାରରେ ପଶୁ ବଳି ଦିଆଯାଏ ବୋଲି କୁହାଯାଇଛି । ଏହି ଉତ୍ସବ ପରେ ଶେଷରେ ଅନ୍ତିମ ସଂସ୍କାର କରାଯାଏ । ତେବେ ଏହି ଅନ୍ତିମ ସଂସ୍କାର ପ୍ରକ୍ରିୟା ମଧ୍ୟ ଭିନ୍ନ ଥାଏ । ଏମାନଙ୍କୁ ମାଟି ତଳେ ପୋତାଯିବା କିମ୍ବା ଜଳାଯାଏ ନାହିଁ, ବରଂ ଏମାନଙ୍କ ଶରୀରକୁ ପାହାଡରେ କବର ତିଆରି କରି ରଖାଯାଏ । କେତେକ ସ୍ଥାନରେ ଗଛ ଭିତରେ ମଧ୍ୟ ସେମାନଙ୍କୁ ସମାଧି ଦିଆଯାଏ । ଏପରି ଭାବେ ଗଛରେ ଶବଗୁଡିକୁ ସିଧା ଛିଡା ହୋଇ ସମାଧି ଦିଆଯାଏ ଏବଂ ବାହାରେ ଗୋଟିଏ କବାଟ ତିଆରି କରାଯାଏ । ଏହାପରେ ପ୍ରତିବର୍ଷ ସେମାନଙ୍କ ମୃତଦେହକୁ ସମାଧିସ୍ଥଳରୁ କଢାଯାଏ ଏବଂ ସଫା କରାଯିବା ସହ ନୂଆ ପୋଷାକ ପିନ୍ଧାଇ ସମଗ୍ର ଗାଁ ରେ ବୁଲାଯାଏ । ଏହି ଜନଜାତିର ଏଭଳି ଅଜବ ପରମ୍ପରାକୁ ମା’ନେନେ ବୋଲି କୁହାଯାଏ ।




