ଶୁଣାଯାଉନି ଗମ୍ଭୀର ସ୍ବର
ଚୀନର ଶିୟାମେନ୍ ସହରରେ ଜଣେ ମହିଳା ସକାଳୁ ଉଠିବା ପରେ ହଠାତ୍ ତାଙ୍କୁ ନିଜ ବୟଫ୍ରେଣ୍ଡ୍ଙ୍କ ସ୍ୱର ଶୁଣାଯିବା ବନ୍ଦ ହୋଇଯାଇଥିଲା । ତେବେ ଏହା ପଛରେ ଏକ ବିରଳ ରୋଗ ରହିଥିବା ଜଣାପଡ଼ିଛି । ଚିକିତ୍ସା ବିଜ୍ଞାନରେ ଏହି ରୋଗକୁ 'ରିଭର୍ସ ସ୍ଲୋପ୍ ହିଅରିଂ ଲସ୍' କୁହାଯାଏ, ଯେଉଁଥିରେ ପୀଡ଼ିତ ବ୍ୟକ୍ତିଙ୍କୁ କମ୍ ଫ୍ରିକ୍ୱେନ୍ସି ଥିବା ଭାରୀ ତଥା ଗମ୍ଭୀର ସ୍ୱର ଶୁଣାଯାଏ ନାହିଁ । ସେହିଭଳି ସୂଚନା ଅନୁସାରେ ଅଧିକାଂଶ ପୁରୁଷଙ୍କ ସ୍ୱର ଏହି ରେଞ୍ଜ୍ରେ ଥିବାରୁ ମହିଳା ଜଣଙ୍କୁ ପୁରୁଷଙ୍କ ସ୍ବର ଶୁଣିବାରେ ସମସ୍ୟା ହୋଇଥିଲା । ସାଧାରଣତଃ ଶ୍ରବଣ ଶକ୍ତି ହ୍ରାସ ପାଇଲେ ଲୋକଙ୍କୁ ପ୍ରଥମେ ତୀକ୍ଷ୍ଣ ବା ଉଚ୍ଚ ସ୍ୱର ଶୁଣାଯିବା ବନ୍ଦ ହୋଇଥାଏ, ମାତ୍ର 'ଅଡିଓଗ୍ରାମ୍' ଟେଷ୍ଟ୍ ଦ୍ୱାରା ଚିହ୍ନଟ ହେଉଥିବା ଏହି ରୋଗରେ ଏହାର ଓଲଟା ପ୍ରଭାବ ଦେଖାଯାଉଥିବାରୁ ଏହାକୁ ରିଭର୍ସ ସ୍ଲୋପ୍ କୁହାଯାଏ । ଏହି ରୋଗରେ ଭାରୀ ସ୍ୱର ଧୀରେ ଧୀରେ ଶୁଣାଯିବା ବନ୍ଦ ହେଉଥିବାରୁ ଲୋକେ ଏହାକୁ ସହଜରେ ଜାଣିପାରନ୍ତି ନାହିଁ ଏବଂ ଏହି କାରଣରୁ ଏହାକୁ ବେଶ୍ ବିପଜ୍ଜନକ ରୋଗ ଭାବେ ପରିଗଣିତ କରାଯାଇଥାଏ ।




