ପ୍ରକୃତି ଓ ଆରାମର ସମନ୍ବୟ

ପ୍ରକୃତି ଓ ଆରାମର ସମନ୍ବୟ
Ipsita Picture
By: Ipsita
Published On

 

ତାମିଲନାଡୁର ପ୍ରାକୃତିକ ପରିବେଶ ପୃଷ୍ଠଭୂମିରେ ଏକ ସ୍ଥାପତ୍ୟ କଳାର ଅନନ୍ୟ ନିଦର୍ଶନ ଭାବେ ଛିଡା ହୋଇଛି 'ଚୁଝି'। ସ୍ଥାୟୀ ସ୍ଥାପତ୍ୟ ଶୈଳୀ ଏବଂ ଅଭିଜ୍ଞ ଜ୍ଞାନକୌଶଳର ମିଶ୍ରଣରେ ନିର୍ମିତ ଏହି  ସୁନ୍ଦର ଘର ବାସ୍ତବରେ ଏକ ମାଷ୍ଟରପିସ୍, ଯାହା ବର୍ତ୍ତମାନ ଖୁବ ଚର୍ଚ୍ଚା ସାଉଁଟିବାରେ ଲାଗିଛି ।

ସୂଚନା ଅନୁସାରେ ତାମିଲନାଡୁରେ ରହିଛି ଏହି ଘରଟି, ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି କମ୍ୟୁନିଟିର ଚାରିପାଖ ପରିଧିରେ କିଛି ଅଦରକାରୀ ତଥା ଅସ୍ପଷ୍ଟ ଜମି ରହିଥିଲା, ଯାହାକୁ ନେଇ ଏହାର ମାଲିକ ଚିନ୍ତାରେ ଥିଲେ । ସେହିଭଳି ଏହି ପ୍ଲଟଗୁଡ଼ିକ ଅତ୍ୟନ୍ତ ଢାଲୁ ଓ ପଥରୁଆ ଭୂମି, ବିଶାଳ ଗଛ ଏବଂ ଘଞ୍ଚ ଜଙ୍ଗଲ ଦ୍ୱାରା ଆଚ୍ଛାଦିତ ହୋଇ ରହିଥିଲା । ଯାହାଫଳରେ ଲୋକମାନେ ସେଠାରେ ଘର କରିବାକୁ ଆଦୌ ଆଗ୍ରହ ପ୍ରକାଶ କରୁନଥିଲେ ।

କ୍ୟାମୋଫ୍ଲାଜର ଯାଦୁ

ଯେଉଁ ସ୍ଥାନକୁ ପୂର୍ବରୁ ସ୍ଥାନୀୟ ଲୋକମାନେ ଏକ 'ଖରାପ ସ୍ଥାନ' ଏବଂ 'ନିର୍ମାଣ ପାଇଁ ଅନୁପଯୁକ୍ତ' ବୋଲି ଭାବୁଥିଲେ, ତାହା ଆଜି ଅତିଥିମାନଙ୍କୁ ସ୍ୱାଗତ କରୁଛି । ଏହା ଦୁଇଟି ଶୋଇବା ଘର ବିଶିଷ୍ଟ ଏକ ସୁନ୍ଦର ପ୍ଲଟ୍ରେ ପରିଣତ ହୋଇଛି । ଆର୍କିଟେକ୍ଟ ଜଗତରେ 'କ୍ୟାମୋଫ୍ଲାଜିଂ'ର ଯାଦୁ ଏଠାରେ କାର୍ଯ୍ୟ କରିଛି ।  'ଚୁଝି' ତାର ଚାରିପାଖ ପରିବେଶ ସହିତ ଏଭଳି ଭାବେ ମିଶିଯାଇଛି, ସତେ ଯେମିତି ଏହା ସେଠାରେ ଥିବା ତେନ୍ତୁଳି ଗଛଗୁଡ଼ିକ ସହିତ ଛନ୍ଦାଛନ୍ଦି ହୋଇ ରହିଛି। ଖୁବ ସୁନ୍ଦର ଭାବେ ଗଚ ଭିତରେ ଏହି ଘରଟିକୁ ନିର୍ମାଣ କରାଯାଇଛି, ଯାହା ପ୍ରକୃତିକୁ ରକ୍ଷା କରୁଛି । ମାଲାୟାଲମ୍ ଭାଷାରେ 'ଚୁଝି'ର ଅର୍ଥ ହେଉଛି 'ଘୂର୍ଣ୍ଣିବଳୟ' ।" ଘରର ଛାତରେ ଥିବା ବକ୍ରତା ବା ଘୂର୍ଣ୍ଣନରୁ ହିଁ ଏହି ଘରର ନାମକରଣ କରାଯାଇଛି। ଏହାର ଜିଜାଇନରୁ ଏହି ଘରର ନାମ ଏହା ରଖାଯାଇଛି । ଏଗୁଡ଼ିକ ହେଉଛି ପ୍ରିକାଷ୍ଟ ପୋର୍ଡ ଡେବ୍ରିସ୍ ଆର୍ଥ କମ୍ପୋଜିଟ୍ ବୋତଲ ବିମ୍ , ଯାହା ୪୦୦୦ଟି ବର୍ଜ୍ୟ ପ୍ଲାଷ୍ଟିକ୍ ବୋତଲ ବ୍ୟବହାର କରି ପ୍ରସ୍ତୁତ କରାଯାଇଛି। ସବୁଠାରୁ ଚର୍ଚ୍ଚାରେ ଏହି ବିମ ଗୁଡିକ ରହିଛି । ଏହି ଅନନ୍ୟ ଡିଜାଇନ୍ ପଛର ଏକ କୌତୁହଳପୂର୍ଣ୍ଣ କାହାଣୀ ରହିଛି । ସେଠାରେ ପ୍ରତି ସମୟରେ ବିବାହ ଏବଂ ଅନ୍ୟାନ୍ୟ ଉତ୍ସବର ଆୟୋଜନ କରାଯାଉଥିଲା । ତେଣୁ ସ୍ୱାଭାବିକ ଭାବେ ଏଠାରେ ପ୍ଲାଷ୍ଟିକ୍ ବୋତଲ ପ୍ରଚୁର ପରିମାଣରେ ମିଳୁଥିଲା । ତେଣୁ ଘର ନିର୍ମାଣ କରିଥିବା ସଂସ୍ଥା ଏଗୁଡିକୁ ବ୍ୟବହାର କରିବା ପାଇଁ ଉପାୟ ପାଞ୍ଚିଥିଲେ ।  ପ୍ରତି ସପ୍ତାହରେ ଟିମ୍ ଏହି ବୋତଲଗୁଡ଼ିକୁ ସଂଗ୍ରହ କରୁଥିଲେ, ସେଗୁଡ଼ିକୁ ମାଟିରେ ଭର୍ତ୍ତି କରୁଥିଲେ ଏବଂ କାଷ୍ଟିଂ କରୁଥିଲେ। ଏହାପରେ ଏହି ବୋତଲଗୁଡ଼ିକ ମଧ୍ୟ ଦେଇ ରଡ୍  ଚଲାଯାଇ ସ୍ୱିର୍ଲ୍ସ ବା ଘୂର୍ଣ୍ଣନ ତିଆରି କରାଯାଇଥିଲା । ଯାହା ପରେ ଛାତ ତିଆରି କରିବାରେ ବ୍ୟବହାର କରାଯାଇଥିଲା। ସେହିଭଳି କିଭଳି ପାଖରେ ଥିବା ପ୍ରକୃତିକୁ କୌଣସି କ୍ଷତି ପହଞ୍ଚା ନଯାଇ ଏହାକୁ ତିଆରି କରିହେବ ସେଥିପ୍ରତି ସେମାନେ ଖୁବ ଧ୍ୟାନ ଦେଇଥିଲେ । ଏହି ଘରର ବକ୍ରତାଗୁଡ଼ିକ କାନ୍ଥ ଭାବରେ ଆରମ୍ଭ ହୋଇ ସମ୍ପୂର୍ଣ୍ଣ ଉପରକୁ ସ୍ପାଇରାଲ୍ ବା ଚକ୍ରାକାର ହୋଇ ଛାତ ଗଠନ କରେ। ତିନୋଟି ଗଛ ମଝିରେ ଅବସ୍ଥିତ ଏହି ଘରଟିକୁ ଏକ କାଚର ଛାତ ସହିତ ଡିଜାଇନ୍ କରାଯାଇଛି, ଯାହା ଆପଣଙ୍କୁ ଗଛର ଛାତ୍ରଛାୟା ତଳେ ରହିବାର ଅନୁଭୂତି ଦେଇଥାଏ ।

ପ୍ରକୃତି କୋଳରେ ଆରାମ

 କ୍ଷୁଦ୍ର ଜଙ୍ଗଲ ମଧ୍ୟରେ ଲୁଚି ରହିଥିବା ଏହି ଘରଟି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାରେ ସକ୍ଷମ । "ଏହି ଘରର ଛାତଟି ଗଛ ଚାରିପାଖରେ ବସିବା ସ୍ଥାନ ଭାବରେ ମଧ୍ୟ କାର୍ଯ୍ୟ କରେ। ସାଧାରଣତଃ ଯେତେବେଳେ ବି ଆମେ ଗଛ ବିଷୟରେ ଚିନ୍ତା କରୁ, ଆମେ ସେମାନେ ପ୍ରଦାନ କରୁଥିବା ଛାଇ ବିଷୟରେ ଭାବୁ ଏବଂ ସେଗୁଡ଼ିକ ତଳେ ବସିବାକୁ ଭଲ ପାଉ, ସେହିପରି ଗଛର ପତ୍ରଗୁଡ଼ିକର ନିକଟତର ହେବାକୁ ଚାହୁଁ । ଏହି ଘରେ ପର୍ଯ୍ୟଟକମାନେ ଏହି ସମସ୍ତ ସୁବିଧା ପାଇପାରିବେ ।  ଏହା ବିଭିନ୍ନ ଋତୁ ଏବଂ ଜଳବାୟୁରେ ଘରକୁ ସର୍ବୋତ୍ତମ ଭାବେ କାର୍ଯ୍ୟକ୍ଷମ ରଖିବାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ନିର୍ମାଣରେ ବ୍ୟବହୃତ ଷ୍ଟିଲ୍ ମେଶ୍  କ୍ରସ୍ ଭେଣ୍ଟିଲେସନ୍ ବା ବାୟୁ ଚଳାଚଳ ନିଶ୍ଚିତ କରୁଥିବାବେଳେ, ମାଟିର ଇନସୁଲେସନ୍  ଶୀତଦିନେ ଘରକୁ ଗରମ ରଖିବା ନିଶ୍ଚିତ କରେ । ସମ୍ପୂର୍ଣ୍ଣ ନିର୍ମାଣରେ ଥିବା ଏୟାର ଗ୍ୟାପ୍ ଗୁଡ଼ିକ ଘରକୁ ଭଲ ଭାବେ ବାୟୁ ଚଳାଚଳ ଜରିଆରେ ମୁକ୍ତ ରଖେ । ଏହାର ମାଟି କାନ୍ଥରେ ମାତ୍ର ୫ ପ୍ରତିଶତ ସିମେଣ୍ଟ ରହିଛି ଏବଂ ଚଟାଣ ପୁରୁଣା କାଠର ପୁନରୁଦ୍ଧାର କରାଯାଇଥିବା ଖଣ୍ଡଗୁଡ଼ିକୁ ଏକାଠି ଯୋଡ଼ି ପ୍ରସ୍ତୁତ କରାଯାଇଛି । ଏହି ସ୍ଥାପତ୍ୟ ଚମତ୍କାରିତା ପଛରେ ଥିବା ଟିମ୍ କୁହନ୍ତି ଯେ ଏହା ଯେତିକି ଚ୍ୟାଲେଞ୍ଜିଂ ଥିଲା, ସେତିକି ଉତ୍ସାହଜନକ ମଧ୍ୟ ଥିଲା । ଏହାର ମୂଳ ଉଦ୍ଦେଶ୍ୟ ଥିଲା ଗଛର ପ୍ରାକୃତିକ ପରିବେଶ ବ୍ୟବସ୍ଥା ଏବଂ ଚାରିପାଖକୁ ଘର ଉପରେ ଯେଭଳି ଅଛି ସେଭଳି ରହିବାକୁ ଦେବା, ଯାହାଦ୍ୱାରା  ଆରାମ ସହିତ ପ୍ରକୃତିକୁ କୌଣସି କ୍ଷତି ପହଞ୍ଚିବ ନାହିଁ ।

Tags: