ଥଣ୍ଡା ସହରରେ ତ୍ରାହି ତ୍ରାହି

ଥଣ୍ଡା ସହରରେ ତ୍ରାହି ତ୍ରାହି
Ipsita Picture
By: Ipsita
Published On

ଥଣ୍ଡା ଦେଶରେ ଗରମ, ଏହି ଖବରଟି ବର୍ତ୍ତମାନ ସବୁଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ୟୁରୋପରେ ଚଳିତ ବର୍ଷ ଦେଖିବାକୁ ମିଳୁଛି ଅସହ୍ୟ ତାତି ଓ ରେକର୍ଡ ଭିତ୍ତିକ ତାପମାତ୍ରା । ଯାହାର ପ୍ରଭାବରେ ବିଭିନ୍ନ ୟୁରୋପୀୟ ଦେଶରେ ଜୀବନ ହାନି ସହିତ ଅନେକ କ୍ଷୟକ୍ଷତି ଦେଖିବାକୁ ମିଳୁଛି । ଏହା ବିଶ୍ବ ପାଣିପାଗ ପରିବର୍ତ୍ତନର ଏକ ଗମ୍ଭୀର ପ୍ରଭାବ ବୋଲି ଆଲୋଚନା ହେଉଛି ।

ୟୁରୋପରେ ଚଳିତ ବର୍ଷ ଏକ ଭୟଙ୍କର ଗ୍ରୀଷ୍ମ ପ୍ରବାହ ଦେଖିବାକୁ ମିଳୁଛି, ଯାହା ସବୁ ପୁରୁଣା ତାପମାତ୍ରା ରେକର୍ଡକୁ ଭାଙ୍ଗିଛି । ଏହାର ପ୍ରଭାବ ମାନବ ସ୍ୱାସ୍ଥ୍ୟ, ପ୍ରାକୃତିକ ପରିବେଶ, କୃଷି, ଭିତ୍ତିଭୂମି ଓ ଶ୍ରମିକମାନଙ୍କ କାର୍ଯ୍ୟଦକ୍ଷତା ଉପରେ ପଡିଛି । ବିଶ୍ୱ ପାଣିପାଗ ସଂଗଠନ ଏବଂ ଏହାର ସହଯୋଗୀମାନେ ଜୀବନ ରକ୍ଷା ଓ ଆର୍ଥିକ କ୍ଷତି ହ୍ରାସ କରିବା ପାଇଁ ଆଗୁଆ ସତର୍କ ସୂଚନା ଏବଂ ସ୍ୱାସ୍ଥ୍ୟ କାର୍ଯ୍ୟଯୋଜନା ପ୍ରସ୍ତୁତ କରୁଥିବା ଜଣା ପଡିଛି । ସେହିଭଳି ଇଣ୍ଟରଗଭର୍ଣ୍ଣମେଣ୍ଟାଲ ପାନେଲ ଅନ୍ କ୍ଲାଇମେଟ ଚେଞ୍ଜ  ଅନୁଯାୟୀ ବିଶ୍ୱର ସବୁଠାରୁ ଦ୍ରୁତ ଗତିରେ ଗରମ ହେଉଥିବା ଏହି ମହାଦେଶରେ ଆଗକୁ ଗ୍ରୀଷ୍ମ ପ୍ରବାହର ତୀବ୍ରତା ଓ ଅବଧି ଆହୁରି ବଢ଼ିବାର ଆଶଙ୍କା ରହିଛି । ଡବ୍ଲୁଏମଓର ଜଳବାୟୁ ସୂଚନା ମୁଖ୍ୟ ଜନ୍ କେନେଡିଙ୍କ ଅନୁସାରେ ୧୯୭୬ ର ଐତିହାସିକ ଗ୍ରୀଷ୍ମ ପ୍ରବାହ ପରଠାରୁ ବିଗତ ୫୦ ବର୍ଷ ମଧ୍ୟରେ ସମଗ୍ର ୟୁରୋପ ପ୍ରାୟ ୨ ଡିଗ୍ରୀ ସେଲସିୟସ ଅଧିକ ଗରମ ହୋଇସାରିଛି। ଅନ୍ୟପଟେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଧାନୋମ ଗେବ୍ରେସିୟସ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ପ୍ରକାଶ କରିଛନ୍ତି ଯେ, ଜୁନ୍ ୨୧ ପରଠାରୁ ଏହି ପ୍ରଚଣ୍ଡ ଉତ୍ତାପ ଯୋଗୁଁ ୧୩୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି । ଏହାସହ ପ୍ରାୟ ୧୫ କୋଟିରୁ ଅଧିକ ଜନଜୀବନ ପ୍ରଭାବିତ ହୋଇଛି। ଜର୍ମାନ ପାଣିପାଗ ସେବା ଦ୍ୱାରା ପରିଚାଳିତ ଡବ୍ଲୁଏମଓର ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ଜାରି 'କ୍ୟାଟ୍ ଚ୍ ଗାଇଡାନ୍ସ' ଅନୁଯାୟୀ, ଆଇବେରିଆନ୍ ଉପଦ୍ୱୀପରୁ ଆରମ୍ଭ ହୋଇଥିବା ଏହି ଗ୍ରୀଷ୍ମ ପ୍ରବାହ ଆଗକୁ ପଶ୍ଚିମ, ମଧ୍ୟ ଓ ଦକ୍ଷିଣ ୟୁରୋପ ସମେତ ବାଲକାନ୍ ଅଞ୍ଚଳକୁ ବ୍ୟାପିବାର ସମ୍ଭାବନା ରହିଛି । ଯାହା ବିଭିନ୍ନ ଦେଶର ଜାତୀୟ ପାଣିପାଗ ସଂସ୍ଥାଗୁଡ଼ିକୁ ଆଗୁଆ ସତର୍କ ସୂଚନା ଜାରି କରିବାରେ ମାର୍ଗଦର୍ଶନ ପ୍ରଦାନ କରୁଛି ।

Tags: