୭୫ କିଗ୍ରାର କୁକୁର
ରାଜନେତାଙ୍କ ବଦଳରେ ଦିଲ୍ଲୀର ସବୁଠାରୁ ମୋଟା କୁକୁର ଚୟନ କରିବା ପାଇଁ ଆୟୋଜିତ ‘ଫ୍ୟାଟ୍ ଡଗ୍ସ ଅଫ୍ ଦିଲ୍ଲୀ’ ପ୍ରତିଯୋଗିତାରେ ହାଉଜ୍ ଖାସର ‘ଗୋଲା’ ନାମ୍ନୀ ଏକ ମାଈ କୁକୁର ୬୬,୦୦୦ରୁ ଅଧିକ ଭୋଟ୍ ପାଇ ବିଜୟୀ ହୋଇଛ । ତେବେ ୭୫ କିଲୋଗ୍ରାମ ଓଜନର କୁକୁର ଗୋଲା ପ୍ରତିଯୋଗିତା ଚାଲିଥିବା ସମୟରେ ହିଁ ମୃତ୍ୟୁବରଣ କରିବାଭଳି ଦୁଃଖଦାୟକ ଘଟଣା ସାମନାକୁ ଆସିଛି । ଦିଲ୍ଲୀସାରାରୁ ୬୪ଟି ମୋଟା କୁକୁରଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାରେ ସମର୍ଥକମାନେ ସୋସିଆଲ ମିଡିଆରେ ରିଲ୍ସ, ମିମ୍ସ ଓ ପୋଷ୍ଟର ମାଧ୍ୟମରେ ଜୋରଦାର ପ୍ରଚାର କରିଥିଲେ । ସେପ୍ଟେମ୍ବର ୩୦ରେ ଅନୁଷ୍ଠିତ ଗ୍ରାଣ୍ଡ ଫାଇନାଲରେ ଗୋଲା ଏବଂ ସାକେତର ‘ଗୁଗୁ’ (ଯିଏ ୩୯,୦୦୦ରୁ ଅଧିକ ଭୋଟ୍ ପାଇଥିଲା) ମଧ୍ୟରେ କଡ଼ା ମୁକାବିଲା ହୋଇଥିଲ । ଏହି ନିର୍ବାଚନ ପାଇଁ ଦିଲ୍ଲୀର ବିଭିନ୍ନ କାଫେରେ ପୋଲିଂ ବୁଥ୍ କରାଯାଇଥିଲା । ପ୍ରତିଯୋଗିତା ଶେଷରେ ଆୟୋଜକମାନେ ସମସ୍ତ ଅଂଶଗ୍ରହଣକାରୀ କୁକୁରଙ୍କୁ ସିରାମିକ୍ ବାସନ, ଏକ ପ୍ରାଣୀ ଆଶ୍ରୟସ୍ଥଳୀକୁ ୫୦,୦୦୦ ଟଙ୍କାର ଦାନ ଏବଂ କୁକୁର ଖାଦ୍ୟ ଓ ସାମଗ୍ରୀ ପାଇଁ ଆର୍ଥିକ ସହାୟତା ଯୋଗାଇଦେବାକୁ ଘୋଷଣା କରିଛନ୍ତି ।




