ପୋଷାକ ସଫା କରିବାକୁ ୯୦ ଲକ୍ଷ ଦରମା
ବ୍ରିଟେନର ବିଳାସପୂର୍ଣ୍ଣ ପତ୍ରିକା 'ଦି ଲେଡି'ରେ ପ୍ରକାଶିତ ଏକ ନିଯୁକ୍ତି ବିଜ୍ଞାପନ ଅନୁଯାୟୀ, ଜଣେ ଆନ୍ତର୍ଜାତୀୟ ବ୍ୟବସାୟୀ ତଥା ରେସିଂ ଡ୍ରାଇଭର ତାଙ୍କ ସହାୟକଙ୍କୁ ବାର୍ଷିକ ୯୦ ଲକ୍ଷ ଟଙ୍କାର ଦରମା ଦେବାକୁ ପ୍ରସ୍ତାବ ଦେଇଛନ୍ତି । ଯାହା ଶୁଣି ଲୋକେ ଆଶ୍ଚର୍ଯ୍ୟ ଚକିତ ହୋଇଛନ୍ତି । ଏହି ଚାକିରିରେ ନିଯୁକ୍ତ ବ୍ୟକ୍ତିଙ୍କୁ ମାଲିକଙ୍କ ଡିଜାଇନର ପ୍ୟାଣ୍ଟ ଓ ଅନ୍ୟାନ୍ୟ ପୋଷାକ ଧୋଇବା, ଇସ୍ତ୍ରୀ କରିବା, ତାଙ୍କର ବିଳାସପୂର୍ଣ୍ଣ କାର ଚଲାଇବା, ଜିନିଷପତ୍ର ପ୍ୟାକ୍ ଓ ଅନପ୍ୟାକ୍ କରିବା, ପାର୍ଟିଗୁଡ଼ିକରେ ଖାଦ୍ୟପେୟ ପରିବେଷଣ କରିବା ସହ ଘରର ଦେଖାରେଖା କରିବାକୁ ପଡ଼ିବ। ଲଣ୍ଡନର ମେଫେୟାର ଅଞ୍ଚଳରେ ରହିଥିବା ଏହି ନିଯୁକ୍ତିରେ ମାଲିକ ବର୍ଷକୁ ମାତ୍ର ୯୦ ଦିନ ଲଣ୍ଡନରେ ରହୁଥିବା ବେଳେ ବାକି ସମୟ ବିଶ୍ୱର ବିଭିନ୍ନ ସ୍ଥାନ ଭ୍ରମଣ କରୁଥିବାରୁ, କର୍ମଚାରୀଙ୍କୁ ମଧ୍ୟ ତାଙ୍କ ସହିତ ବିଦେଶ ଯାତ୍ରା କରିବାକୁ ପଡ଼ିବ । ତେବେ ଏହି ଚାକିରିକୁ ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ହେଉଥିବାର ଦେଖିବାକୁ ମିଳୁଛି ।




