୯ କୋଟିର ଜାକେଟ
ଦୁନିଆର ସବୁଠାରୁ ପ୍ରସିଦ୍ଧ ଜାହାଜ 'ଟାଇଟାନିକ୍' ସହ ଜଡ଼ିତ ସାମଗ୍ରୀ ଗୁଡିକର ନିଲାମୀ ମୂଲ୍ୟ ଆଜି ବି ଆକାଶଛୁଆଁ ହୋଇ ରହିଛି। ଯାହାର ପ୍ରମାଣ ସ୍ୱରୂପ ନିକଟରେ ବ୍ରିଟେନରେ ଅନୁଷ୍ଠିତ ଏକ ନିଲାମୀରେ ମିଳିଛି । ଏହି ଦୁର୍ଘଟଣାରୁ ବଞ୍ଚିଥିବା ମହିଳା ଲୌରା ମାବେଲ୍ ଫ୍ରାଙ୍କାଟେଲିଙ୍କ ଲାଇଫ୍ ଜାକେଟ ପ୍ରାୟ ୯ କୋଟି ଟଙ୍କାରେ ବିକ୍ରି ହୋଇଛି। ଏହି ଜାକେଟଟି କୌଣସି ସାଧାରଣ ପୋଷାକ ନୁହେଁ, ବରଂ ଏହା ସେହି ଭୟଙ୍କର ରାତିର ମୂକ ସାକ୍ଷୀ ଯେଉଁଥିରେ ଲୌରା ଏବଂ ତାଙ୍କ ସହ ବଞ୍ଚିଥିବା ଅନ୍ୟ ଲୋକମାନଙ୍କର ସ୍ୱାକ୍ଷର ରହିଛି। ଯାହା ଏହାକୁ ଅତି ସ୍ୱତନ୍ତ୍ର ଓ ଐତିହାସିକ କରିଛି ତେଣୁ ଏହାର ମୂଲ୍ୟ ଏତେ ଅଧିକ। ଲୌରା ସେହି ସମୟର ଜଣେ ପ୍ରସିଦ୍ଧ ଫ୍ୟାଶନ ଡିଜାଇନରଙ୍କ ସହ କାମ କରୁଥିଲେ ଏବଂ ସେ ଲାଇଫ୍ ବୋଟ୍ ନମ୍ବର-୧ ରେ ବସିଥିଲେ, ଯେଉଁଥିରେ ୪୦ ଜଣଙ୍କ ସ୍ଥାନ ଥିଲେ ମଧ୍ୟ ମାତ୍ର ୧୨ ଜଣ ଲୋକ ବସିଥିଲେ । ଏହି ନିଲାମୀରେ କେବଳ ଏହି ଜାକେଟ ନୁହେଁ ବରଂ ସେହି ଲାଇଫ୍ ବୋଟର ଏକ ସିଟ୍ କୁଶନ ମଧ୍ୟ ପ୍ରାୟ ୫ କୋଟି ଟଙ୍କାରେ ନିଲାମ ହୋଇଛି । ଟାଇଟାନିକ୍ ଦୁର୍ଘଟଣାର ଦଶନ୍ଧି ଦଶନ୍ଧି ପରେ ମଧ୍ୟ ଏହି ଜିନିଷଗୁଡ଼ିକ ପ୍ରତି ଲୋକଙ୍କ ଆଗ୍ରହ ରହିଥିବା ଏହି ନିଲାମୀରୁ ଜଣା ପଡିଛି ।



