ଚିତଉ ପିଠା ଓ ଚିତାଲାଗି
ଯାତ୍ରାପର୍ବର ସହର ପୁରୀରେ ଅଧିକାଂଶ ସମୟରେ ଯାତ୍ରା ଉପଯାତ୍ରା ମାନ ଲାଗି ରହିଥାଏ । କେବଳ ଜଗନ୍ନାଥ ମନ୍ଦିରରେ ଅନେକ ଯାନିଯାତ୍ରା ପର୍ବପର୍ବାଣି ତିଥି,ବାରକୁ ନେଇ ପାଳିତ ହୋଇଥାଏ । ଠାକୁରଙ୍କର ପ୍ରଧାନ ବାରଟି ଯାତ୍ରା ହେଉଛି ଦୋଳ, ସ୍ନାନ, ଦମନକ ଚତୁର୍ଦ୍ଦଶୀ, ଅକ୍ଷୟ ତୃତୀୟା, ଦେବଶୟନ, ଦକ୍ଷିଣାୟନ, ଉତ୍ତରାୟଣ, ଗୁଣ୍ଡିଚା, ପାଶ୍ୱର୍ ପରିବର୍ତ୍ତନ, ଦେବୋ‹ାପନ, ଓଢ଼ଣ ଷଷ୍ଠୀ ଓ ପୁଷ୍ୟାଭିଷେକ । ଏହା ବ୍ୟତୀତ ଶ୍ରୀମନ୍ଦିରରେ ବର୍ଷ ତମାମ ପାଳିତ ହୁଏ ଅନେକ ଉପଯାତ୍ରା । […]
ଯାତ୍ରାପର୍ବର ସହର ପୁରୀରେ ଅଧିକାଂଶ ସମୟରେ ଯାତ୍ରା ଉପଯାତ୍ରା ମାନ ଲାଗି ରହିଥାଏ । କେବଳ ଜଗନ୍ନାଥ ମନ୍ଦିରରେ ଅନେକ ଯାନିଯାତ୍ରା ପର୍ବପର୍ବାଣି ତିଥି,ବାରକୁ ନେଇ ପାଳିତ ହୋଇଥାଏ । ଠାକୁରଙ୍କର ପ୍ରଧାନ ବାରଟି ଯାତ୍ରା ହେଉଛି ଦୋଳ, ସ୍ନାନ, ଦମନକ ଚତୁର୍ଦ୍ଦଶୀ, ଅକ୍ଷୟ ତୃତୀୟା, ଦେବଶୟନ, ଦକ୍ଷିଣାୟନ, ଉତ୍ତରାୟଣ, ଗୁଣ୍ଡିଚା, ପାଶ୍ୱର୍ ପରିବର୍ତ୍ତନ, ଦେବୋ‹ାପନ, ଓଢ଼ଣ ଷଷ୍ଠୀ ଓ ପୁଷ୍ୟାଭିଷେକ । ଏହା ବ୍ୟତୀତ ଶ୍ରୀମନ୍ଦିରରେ ବର୍ଷ ତମାମ ପାଳିତ ହୁଏ ଅନେକ ଉପଯାତ୍ରା । ତା’ ମଧ୍ୟରୁ ଶ୍ରାବଣ ମାସ ଅମାବାସ୍ୟା ଦିନ ପାଳିତ ହେଉଥିବା ଯାତ୍ରା ହେଉଛି ‘ଚିତାଲାଗି ଅମାବାସ୍ୟା’ ବା ‘ଲଲାଟ ଭୂଷଣ’ ଯାତ୍ରା । ଏହି ଅମାବାସ୍ୟା ତିଥିରେ ଠାକୁରମାନଙ୍କ ମସ୍ତକରେ ସୁବର୍ଣ୍ଣ ଚିତା ଲଗାଯାଉଥିବାରୁ ଏହା ଚିତାଲାଗି ଅମାବାସ୍ୟା ନାମରେ ନାମିତ । ଶ୍ରାବଣ ଅମାବସ୍ୟା ଦିନ ପ୍ରାତଃ ସମୟର ପୂଜା ପରେ ବିଶ୍ୱାବସୁ କୁଳର ସେବକମାନେ ମହାପ୍ରଭୁଙ୍କୁ ଚିତା ପିନ୍ଧାଇବା ପରମ୍ପରା ବାମଦେବ ସଂହିତାରେ ଉଲ୍ଲେଖ ରହିଛି । ଏହିଦିନ ଚିତଉ ପିଠା, ମିଠା, ନାନାଦି ବ୍ୟଞ୍ଜନ କ୍ଷୀରୀ ପୂଜା ପରେ ଶ୍ରୀଜିଉମାନଙ୍କୁ ସୁବର୍ଣ୍ଣ ଚିତା ପିନ୍ଧେଇବାର ପରମ୍ପରା ରହିଛି । କୁହାଯାଏ ଯେ ଏହିଦିନ ସାଗର ମନ‘ନ ସମୟରେ ଯେଉଁ ନାନା ରନି, ଐରାବତ ହାତୀ, ମୂଲ୍ୟବାନ ହୀରା, ମଣି, ମାଣିକ୍ୟ ଆବିର୍ଭୁତ ହୋଇଥିଲା, ତାହା ବିଷ୍ଣୁ ନାରାୟଣ ଗ୍ରହଣ କରିଥିଲେ ।
ଅନ୍ୟ ଏକ କିମ୍ବଦନ୍ତୀରୁ ଜଣାଯାଏ ଗୋବର୍ଦ୍ଧନ ପୀଠରେ ଆଦି ଶଙ୍କରାଚାର୍ଯ୍ୟଙ୍କ ସମୟରୁ ଏହି ଚିତାଲାଗି ଉତ୍ସବ ପାଳିତ ହୋଇ ଆସୁଅଛି । କାରଣ ଯଯାତିକେଶରୀଙ୍କ ସମୟରେ ଆଦି ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ କ୍ରମେ ଯଯାତିକେଶରୀ ସ୍ୱର୍ଣ୍ଣପୁରରୁ ପାତାଳି ଅବସ୍ଥାରେ ଉଦ୍ଧାର କରି ଚତୁର୍ଦ୍ଧାମୂରତିକୁ ଶଙ୍ଖନାଭି ମଣ୍ଡଳରେ ପ୍ରତିଷ୍ଠା କରାଇ ତାଙ୍କୁ ଏହି ଅମାବାସ୍ୟା ତିଥିରେ ରନିବେଦୀରେ ଠାକୁରମାନଙ୍କର ଅଭିଷେକ କରାଇ ସୁବର୍ଣ୍ଣ ହୀରା ଖଚିତ ରନିମାନ ପରିଧାନ କରାଇଥିଲେ । ସେହିଦିନ ଠାରୁ ଏହି ଉତ୍ସବ ଚିତାଲାଗି ନାମରେ ପରିଚିତ ହୋଇ ଆସୁଅଛି ।
ସାଧାରଣ ଭାବରେ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା ମସ୍ତକରେ ଯଥାକ୍ରମେ ଶେ୍ୱତହୀରା ଚିତା, ନୀଳମର୍କତମଣି ଚିତା ଓ ନାଲିମାଣିକ୍ୟ ଚିତା ଧାରଣ କରିଥାନ୍ତି । ଜ୍ୟେଷ୍ଠମାସ ପୂର୍ଣ୍ଣିମା ବା ଦେବସ୍ନାନ ପୂର୍ଣ୍ଣିମା ଦିନ ଠାକୁରମାନେ ସ୍ନାନଯାତ୍ରା ପରେ ସ୍ନାନବେଦୀରୁ ଅଣସର ପିଣ୍ଡିକୁ ଫେରିବା ପରେ ଦଇତାମାନେ, ଠାକୁରମାନେ ଲଗାଇଥିବା ଚିତାଗୁଡିକୁ ବାହାର କରି ଦେଉଳ କରଣଙ୍କୁ ଦେଇଥାନ୍ତି । ଦେଉଳକରଣ ଚାଙ୍ଗଡା ମେକାପ ଠାରୁ ଶ୍ରୀକପଡା ଆଣି ସେଥିରେ ଏହି ଚିତାଗୁଡିକୁ ବାନ୍ଧି ମଦନମୋହନ ମୁଦ ଦେଇ ଭଣ୍ଡାରମେକାପଙ୍କୁ ଦେବାପରେ ସେ ତାକୁ ଭଣ୍ଡାର ଘରେ ସାଇତି ରଖନ୍ତି । ରଥଯାତ୍ରା ଦିନ ରଥାରୁଢ଼ ଠାକୁରମାନେ ଏହି ଚିତାର ପ୍ରତୀକାତ୍ମକ ଭାବରେ ସୋଲ ଚିତା ଲଗାଇ ଶ୍ରୀଗୁଣ୍ଡିଚାକୁ ଯାତ୍ରା କରିଥାନ୍ତି । ବାହୁଡାରେ ଫେରି ଆସି ସୁନାବେଶ, ଅଧରପଣା ନୀତି ପରେ ନିଳାଦ୍ରୀ ବିଜେ କରିଥାନ୍ତି । ଜ୍ୟେଷ୍ଠ ପୂର୍ଣ୍ଣିମା ଠାରୁ ଶ୍ରାବଣ ଅମାବାସ୍ୟା ପର୍ଯ୍ୟନ୍ତ ଶ୍ରୀଜିଉମାନେ ସୋଲଚିତା ପରିଧାନ କରିଥାନ୍ତି । ଶ୍ରାବଣ ଅମାବାସ୍ୟା ଦିନ ବା ଚିତାଲାଗି ଅମାବାସ୍ୟା ଦିନ ଠାକୁରମାନଙ୍କୁ ଉକ୍ତ ଚିତାଗୁଡିକୁ ବିଧିପୂର୍ବକ ପୁନର୍ବାର ଲଗାଇ ଦିଆଯାଉଥିବାରୁ ଏହାକୁ ଚିତାଲାଗି ଅମାବାସ୍ୟା କୁହାଯାଏ ।
ଏହିଦିନ ପ୍ରଥମେ ସକାଳଧୂପ ବସିବା ସମୟରେ ଭଣ୍ଡାରମେକାପ ଭଣ୍ଡାର ଘରୁ ଚିତାଗୁଡିକୁ ଆଣି ଦେଉଳକରଣଙ୍କୁ ଦେଇଥାନ୍ତି । ଏହି ଚିତାଗୁଡିକୁ ପ୍ରଶାସନ ତରଫରୁ ବଣିଆକୁ ଦିଆଯାଏ । ବଣିଆ ଦେଉଳକରଣ ଓ ତଡାଉକରଣ ସମ୍ମୁଖରେ ଏହି ଚିତାଗୁଡିକୁ ସଫା କରିଥାନ୍ତି । ସକାଳଧୂପ ଓ ଭୋଗମଣ୍ଡପ ପୂଜା ସରିବାପରେ ପୁଷ୍ପାଳକ ସିଂହାସନ ଉପରକୁ ଚଢ଼ି ତିନିବାଡର ମଇଲମ କରିଥାନ୍ତି । ତିନିବାଡର ଝୋବାକଣwି ମାଳକୁ କାଢ଼ି ପାଳିଆ ମେକାପ ଭଣ୍ଡାର ମେକାପଙ୍କୁ ଦେଇଥାନ୍ତି । ତା’ପରେ ପୁଷ୍ପାଳକ ସେବକ ସିଂହାସନରୁ ଓହ୍ଲାଇ ଲକ୍ଷ୍ମୀ ଓ ସରସ୍ୱତୀଙ୍କୁ ନେଇ ଖଟଶେଯ ଘରେ ବିଜେ କରାଇଥାଆନ୍ତି ।
ଏ ସମସ୍ତ କର୍ମ ପରେ ଦଇତାପତିମାନେ ବେହରଣ ତଳେ ଗୋଡ ଧୋଇ ସିଂହାସନ ପାଖକୁ ଯାଇଥାନ୍ତି । ସିଂହାସନ ଉପରେ ପକାଯାଇଥିବା କାଠଘୋଡାରେ ଚଢ଼ି ଠାକୁରମାନଙ୍କୁ ସୁବର୍ଣ୍ଣ ଚିତାମାନ ଲାଗି କରାଇଥାଆନ୍ତି । ଏହି ଚିତା ଲାଗି ଝୁଣା ଓ ରାଶିତେଲ ମିଶ୍ରଣରେ ପ୍ରସ୍ତୁୂତ ସ୍ୱତନ୍ତ୍ର ଅଠା (ଓସୁଅଁ) କରାଯାଏ । ସେଥିରେ ପୂର୍ବରୁ ଲାଗିଥିବା ସୋଲ ଚିତାଗୁଡିକ କଢ଼ାଯାଇ ସୁବର୍ଣ୍ଣ ଚିତାମାନ ଲଗାଇ ପାଟରା ଦେଇଥିବା ପାଟଡୋରରେ ବାନ୍ଧି ତ୍ରିମୁଣ୍ଡି ତଳକୁ ଶ୍ରୀମୁଖ ଉପରକୁ ଲଲାଟରେ ଲାଗି କରାଇଥାଆନ୍ତି । ସୁବର୍ଣ୍ଣରେ ନିର୍ମିତ ଏହି ଚିତାଗୁଡିକରେ ହୀରା, ନୀଳା, ମାଣିକ୍ୟ ଓ ଅନ୍ୟାନ୍ୟ ରନିମାନ ସୁସଜ୍ଜିତ ରହିଥାଏ । ଶ୍ରୀଜଗନ୍ନାଥଙ୍କର ବ୍ରହ୍ମଜ୍ୟୋତି ହୀରା ଯାହା ଧଳା ରଙ୍ଗର, ଶ୍ରୀବଳଭଦ୍ରଙ୍କର ନୀଳା (ନୀଳ) ଓ ଦେବୀ ସୁଭଦ୍ରାଙ୍କର ଚିତାରେ ମାଣିକ୍ୟ (ଲାଲ) ରଙ୍ଗର ହୋଇଥାଏ । ଦଇତାମାନେ ସିଂହାସନରୁ ଓହ୍ଲାଇ ଆସିବାପରେ ପାଳିଆ ମେକାପ ସିଂହାସନ ଉପରକୁ ଉଠି ସିଂହାସନ ଧୂଆଧୋଇ କରିବାପରେ ତିନିଜଣ ପୂଜାପଣ୍ଡା ତିନିବାଡର ମହାସ୍ନାନ ବିଧି ପୂର୍ବକ ସମାପନ କରିଥାନ୍ତି । ଏହାପରେ ପାଣି ପଡି ଗମ୍ଭୀରା ଧୂଆଧୋଇ ହେଲେ ପାଳିଆ ଖୁଣ୍ଟିିଆ ଡାକିଗଲେ ପୁଷ୍ପାଳକ ଆସି ଠାକୁରଙ୍କ ମଇଲମ କରିଥାନ୍ତି । ତା’ପରେ ଖଟ ଶେଯ ଘରକୁ ଲକ୍ଷ୍ମୀ ଓ ସରସ୍ୱତୀଙ୍କୁ ହାତରେ ଅଣାଯାଇ ସିଂହାସନ ଉପରେ ବିଜେ କରାଯାଏ ।
ଠାକୁରମାନଙ୍କର ମଇଲମ, କର୍ପୁର ଲାଗି ଆଦି ସରିବା ପରେ ଭଣ୍ଡାର ମେକାପ ଠାରୁ ପାଳିଆ ମେକାପ ଛଅ ମୂର୍ତ୍ତି ତଡାଉ ନେଇ ପୁଷ୍ପାଳକଙ୍କୁ ଦେଲେ ସେ ତାହାକୁ ଠାକୁରମାନଙ୍କୁ ଲାଗି କରାଇବା ପରେ ମଧ୍ୟାହ୍ନ ଧୂପ ଓ ତିନିବାଡରେ ବନ୍ଦାପନା ଆଦି ନୀତି ହୋଇଥାଏ । ଏହିଦିନ ଠାକୁରଙ୍କୁୁ ଚିତଉ ପିଠା ଭୋଗ ହୋଇଥାଏ । ପ୍ରାୟ ଚାରିଘଣ୍ଟା ସମୟ ଲାଗିଥାଏ ଏସବୁ ଗୋପନୀୟ ନୀତିକାନ୍ତି ପାଇଁ । ତେଣୁ ମନ୍ଦିରର ସର୍ବସାଧାରଣ ଦର୍ଶନ ବନ୍ଦ ରୁହେ ଏହି ସମୟ ତକ । ଠାକୁରଙ୍କ ବନ୍ଦାପନା ନୀତି ପରେ ସର୍ବସାଧାରଣ ଦର୍ଶନ ପାଇଁ ଦ୍ୱାର ଖୋଲାହୁଏ ।
ସଂସ୍କୃତରେ ଗୋଟିଏ ଶ୍ଲୋକ ଅଛି ଯେ, ‘ଶ୍ରାବଣେ କୃଷ୍ଣପକ୍ଷେ ତୁ ଦର୍ଶନ ପ୍ରାନ୍ତେ ଶୁଭ ଦିନେ, ଲଲାଟ ଭୂଷଣଂ ଯାତ୍ରାଂ ଜଗନ୍ନାଥସ୍ୟ କାରୟେତ୍’ ଅର୍ଥାତ୍ ଶ୍ରାବଣ କୃଷ୍ଣପକ୍ଷରେ ଜଗନ୍ନାଥ ଦେବଙ୍କ ଲଲାଟ ଭୂଷଣ ଯାତ୍ରା କରାଯାଏ । କିମ୍ବଦନ୍ତୀରୁ ଜଣାଯାଏ ଯଯାତିକେଶରୀ ଠାକୁରମାନଙ୍କୁ ଆଣିବା ପରେ ଶଙ୍କରାଚାର୍ଯ୍ୟଙ୍କ ନିର୍ଦ୍ଦେଶ କ୍ରମେ ରତ୍ନ ବେଦୀରେ ସ୍ଥାପନ କରି ଶ୍ରାବଣ ଅମାବାସ୍ୟାରେ ଚିତାଲାଗି କରାଇଥିଲେ । ସେହି ଦିନଠାରୁ ଏହା ଚିତାଲାଗି ଅମାବାସ୍ୟା ନାମରେ ନାମିତ ହୋଇଥିଲା ।
ଅନ୍ୟ କେତେକଙ୍କ ମତରେ କୋଣାର୍କ ମନ୍ଦିରର ନିର୍ମାତା ଲାଙ୍ଗୁଳା ନରସିଂହଦେବ ଗୌଡ଼ ରାଜ୍ୟ ଜୟ କରିବା ପରେ, ନିଜର ମାନସିକ ପୂରଣ ପାଇଁ ତିନିଠାକୁରଙ୍କୁ ଏହିଦିନ ମୂଲ୍ୟବାନ ଚିତା ଲାଗି କରାଇଥିଲେ । ସ୍କନ୍ଦ ପୁରାଣ ଅନୁସାରେ ଠାକୁରଙ୍କୁ ଏହି ଦିନ ଚିତା ଲାଗି କରାନଗଲେ ଠାକୁରଙ୍କର ବର୍ଷକ ମଧ୍ୟରେ ପାଳିତ ହେଉଥିବା ଯାତ୍ରାରୁ ମିଳୁଥିବା ପୁଣ୍ୟ କ୍ଷୟପ୍ରାପ୍ତ ହୋଇଥାଏ । ଅନ୍ୟ ମତରେ କହିବାକୁ ଗଲେ ଠାକୁର ଲଗାଇଥିବା ଚିତାର ସୁରକ୍ଷା ଓ ରକ୍ଷଣାବେକ୍ଷଣ ନିମନ୍ତେ ଏପରି ଏକ ନୀତିର ପ୍ରଚଳନ କଥା ଅନୁମାନ କରାଯାଇପାରେ । ଏହି ଯାତ୍ରା ପ୍ରଭୁଙ୍କର ସୋନ୍ଦର୍ଯ୍ୟ ବଢ଼ାଏ । ପରବର୍ତ୍ତୀ ଦେବସ୍ନାନ ପୂର୍ଣ୍ଣିମା ଯାଏଁ ଲଲାଟରେ ସେମିତି ଝଟକୁଥାଏ । ମନ ଗାଇ ଉଠେ,‘ପ୍ରଭୁ କି ସୁନ୍ଦର ଦିଶ ବସି ରନି ସିଂହାସନ । ପାପୀମାନେ ତରିଗଲେ କରି ତୁମ୍ଭ ଦରଶନ I
ଏହିଦିନକୁ ଓଡିଶାର ଶ୍ରେଷ୍ଠ ସାମାଜିକ କୃଷିଭିତ୍ତିକ ପର୍ବ ବୋଲି ଅଭିହିତ କରାଯାଏ । ଦୀର୍ଘ ଚାରିମାସ ଗ୍ରାଷ୍ମ ପରେ ବର୍ଷା ଆସିଥାଏ ଧରାକୁ । ଆମର ଅଧିକାଂଶ ପର୍ବ କୃଷିଭିତ୍ତିକ, ଯଥା- ଅକ୍ଷୟ ତୃତୀୟା, ଗର୍ଭଣା ସଂକ୍ରାନ୍ତି, ନୂଆଖାଇ, ମାଣବସା ପ୍ରଭୃତି । ଶ୍ରାବଣରେ ବର୍ଷା ଅଧିକ ହେଉଥିବାରୁ କୃଷିର ପ୍ରାରମ୍ଭ କାର୍ଯ୍ୟ ଯଥା, ଧାନରୁଆ ବେଉଷଣ ଚାଲିଥାଏ । ଶ୍ରାବଣ ମାସରେ ଚାଷ ଜମିରେ ଜନ୍ମ ହୁଅନ୍ତି ଅସୁମାରି ଗେଣ୍ଡା। ମୃତ୍ତିକାର ଉପକାର ଗେଣ୍ଡା କଲେ ମଧ୍ୟ କ୍ଷେତରେ ଚାଷୀଙ୍କ ଗୋଡ଼ କାଟି ଦେଇଥାଏ। ଏଣୁ ଅରୁଆ ଚାଉଳରେ ଚିତଉ ପିଠା କରି ଚାଷୀ ଘରର ମାଆମାନେ ଧାନ ବିଲକୁ ଯାଇ ଗେଣ୍ଡେଇଶୁଣୀ ଉଦ୍ଦେଶ୍ୟରେ ପିଠା ମାଟିରେ ପୋତନ୍ତି। ଗେଣ୍ଡା ପୂଜା କରନ୍ତି। ବନ୍ୟା ଜଳରୁ ଫସଲ ସୁରକ୍ଷା ପାଇଁ ବରୁଣ ଦେବତାଙ୍କ ଉଦ୍ଦେଶ୍ୟରେ ପିଠା ଭସାଇଥାନ୍ତି। ସେହିଦିନ ଘରେ ମଧ୍ୟ ପିଠାପଣା ହୁଏ ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରାଯାଏ । କାରଣ ସେ ଅନ୍ନଦାତ୍ରୀ ।
ବାଲେଶ୍ୱର, ମୟୁରଭଞ୍ଜ ଓ କେନ୍ଦୁଝର ଅଞ୍ଚଳରେ ଏହି ପର୍ବ ଗେଣ୍ଡାକଟା ଅମାବାସ୍ୟା ବା ଗେଣ୍ଡେଇସୁଣୀ ପୂଜା ବୋଲି କହିଥାଆନ୍ତି । ଏହାର ବିଶେଷତ୍ୱ ହେଲା ଏହି ସମୟରେ ବିଲରେ ବର୍ଷାପାଣି ଜମି ରହିଥାଏ । ବନ୍ୟା ପ୍ରକୋପରୁ ରକ୍ଷା ପାଇବା ପାଇଁ ବରୁଣ ଦେବତାଙ୍କୁ ସନ୍ତୁଷ୍ଟ କରାଯାଇ ପୂଜାର୍ଚ୍ଚନା କରାଯାଇ ଚିତଉ ପିଠା ସମର୍ପଣ କରାଯାଏ ।
ଜଳଚର ଜୀବ ଯେପରି କାହାର କିଛି କ୍ଷତି ନ ଘଟାନ୍ତି, ସେଥିପାଇଁ ବିଲ, ନଈ, ନାଳ, ପୋଖରୀରେ ପିଠା ସମର୍ପଣ କରାଯାଏ । ଚିତାଲାଗି ପରେ ଶୁଭାରମ୍ଭ ହୁଏ ଅନ୍ୟ ସବୁ ପର୍ବପର୍ବାଣିର, ଯାହା ଆମ ସଂସ୍କୃତିର ବିଶେଷତ୍ୱ ଅଟେ ।




