୩ ହଜାର ବର୍ଷ ପୁରୁଣା ପଥର
ମିଶରର ଉତ୍ତର-ପୂର୍ବ ସିନାଇ ଉପଦ୍ୱୀପ ନିକଟସ୍ଥ 'ଟେଲ୍ ଅବୁ ସେଇଫି' ପ୍ରତ୍ନତାତ୍ତ୍ୱିକ ସ୍ଥଳରୁ ପ୍ରାୟ ୩,୦୦୦ ବର୍ଷ ପୁରୁଣା ଏକ ବିଶାଳ ବାଲୁକା ପଥର ଆବିଷ୍କାର କରାଯାଇଛି । ଏହା ସ୍ଥାନୀୟ ବାସିନ୍ଦା ଓ ପ୍ରତ୍ନତତ୍ତ୍ୱବିତ୍ମାନଙ୍କୁ ଦୀର୍ଘ ଦିନରୁ ହଜିଯାଇଥିବା ପ୍ରାଚୀନ ସହର 'ମେସେନ୍' ସମ୍ପର୍କରେ ଏକ ବଡ଼ ସୁରାକ୍ ଦେଇଛି । ମିଶରର ପର୍ଯ୍ୟଟନ ଓ ପ୍ରାଚୀନ କୀର୍ତ୍ତିରାଜି ମନ୍ତ୍ରଣାଳୟ ଦ୍ୱାରା ଏହି ପଥର ସମ୍ପର୍କରେ ଅନେକ ତଥ୍ୟ ଦିଆଯାଇଛି । ସୂଚନାନୁଯାୟୀ, ଦୁଇ ଖଣ୍ଡରେ ଭଙ୍ଗା ଯାଇଥିବା ଏହି ପଥରଟିର ତିନୋଟି ପାଖରେ ମିଶରର ପ୍ରସିଦ୍ଧ ନିଉ କିଙ୍ଗଡମ୍ ସାମ୍ରାଜ୍ୟ (୧୫୭୦-୧୦୬୯ ଖ୍ରୀଷ୍ଟପୂର୍ବ)ର ବଳିଷ୍ଠ ଶାସକ ରାମସେସ୍-୨ଙ୍କ ଉପାଧି ଏବଂ ପ୍ରାଚୀନ ମିଶରୀୟ ଦେବତା ହୋରସ୍ଙ୍କୁ 'ମେସେନ୍ ସହରର ପ୍ରଭୁ' ଭାବେ ଉଲ୍ଲେଖ କରାଯାଇଥିବା ଶିଳାଲେଖ ରହିଛି । ପବିତ୍ର ବାଇବେଲ୍ର 'ଓଲ୍ଡ ଟେଷ୍ଟାମେଣ୍ଟ' (ବୁକ୍ ଅଫ୍ ଏକ୍ସୋଡସ୍)ରେ ବର୍ଣ୍ଣିତ ଇସ୍ରାଏଲୀୟମାନଙ୍କ ମିଶର ତ୍ୟାଗ ସମୟର ନିଷିଦ୍ଧ ସଂକ୍ଷିପ୍ତ ମାର୍ଗ "ୱେ ଅଫ୍ ଦି ଲ୍ୟାଣ୍ଡ୍ ଅଫ୍ ଦି ଫିଲିଷ୍ଟାଇନ୍ସ" ସହ ଏହି ସହର ପାଖ ଦେଇ ଯାଇଥିବା ପ୍ରସିଦ୍ଧ 'ହୋରସ୍ ସୈନ୍ୟ ମାର୍ଗ' ର ପ୍ରତ୍ୟକ୍ଷ ସମ୍ପର୍କ ରହିଥିବା ବିଶ୍ୱାସ କରାଯାଏ । ଏହି ସମ୍ପ୍ରତି ଖନନ ସମୟରେ ଇଟା ଓ ଦୁର୍ଗାକାର ପ୍ରାଚୀରରେ ଘେରା ଏକ ବିଶାଳ ମନ୍ଦିର ପରିସର, ଖାଦ୍ୟ ସଂରକ୍ଷଣ କୋଠରୀ ଏବଂ ସୈନ୍ୟବାହିନୀ ଚଳାଚଳ ପାଇଁ ବ୍ୟବହୃତ ଦୁଇଟି ପଥର ରାସ୍ତା ଆବିଷ୍କୃତ ହୋଇଛି । ଯାହା ପରବର୍ତ୍ତୀ ସମୟରେ ପାରସ୍ୟ, ପ୍ରୋଲେମିକ୍ ଓ ରୋମାନ୍ ଶାସକମାନଙ୍କ ନିୟନ୍ତ୍ରଣକୁ ମଧ୍ୟ ଆସିଥିଲା । ଯଦିଓ ଏହି ଶିଳାଲେଖ ପ୍ରତ୍ୟକ୍ଷ ଭାବେ ଟେଲ୍ ଅବୁ ସେଇଫି ହିଁ 'ମେସେନ୍' ସହର ବୋଲି ଚୂଡ଼ାନ୍ତ ପ୍ରମାଣ ଦେଇନାହିଁ, ତଥାପି ମିଶରୀୟ ସଂସ୍କୃତି ଅଧିକାରୀମାନଙ୍କ ମତରେ ଏହି ଐତିହାସିକ ପ୍ରମାଣଗୁଡ଼ିକ ସହରଟିର ପରିଚୟ ସ୍ପଷ୍ଟ କରିବାରେ ଏକ ମଜବୁତ୍ ଆଧାର ଠିଆ କରିଛି ଏବଂ ଏଥିପାଇଁ ଆଗକୁ ଗବେଷଣା ଜାରି ରହିବ ।




