ଗାଈପାଇଁ ୨୪ ଲକ୍ଷର ଗହଣା
ରାଜସ୍ଥାନର ଜାଲୋର ଅଞ୍ଚଳରେ ଏକ ବିରଳ ପଶୁପ୍ରେମର କାହାଣୀ ସାମ୍ନାକୁ ଆସିଛି । ଜଣେ ସ୍ଥାନୀୟ ବ୍ୟବସାୟୀ ନରେନ୍ଦ୍ର ପୁରୋହିତ ନିଜ ଗାଈ 'ରାଧା'କୁ କେବଳ ଏକ ପଶୁ ନୁହେଁ, ବରଂ ନିଜ ପରିବାରର ଜଣେ ମୁଖ୍ୟ ସଦସ୍ୟ ଭାବେ ମାନୁଛନ୍ତି । ରାଧା ପ୍ରତି ତାଙ୍କର ଏହି ଅତୁଟ ଶ୍ରଦ୍ଧା ଯୋଗୁଁ ସେ ଗାଈ ପାଇଁ ପ୍ରାୟ ୨୪ ଲକ୍ଷ ଟଙ୍କାର ସୁନା ଓ ରୂପାର ଆଭୂଷଣ ଗଢ଼ାଇଛନ୍ତି । ବିଶେଷ ପର୍ବପର୍ବାଣିରେ ତାକୁ ସେ ପ୍ରାୟ ୧୦ କିଲୋଗ୍ରାମ ରୂପାର ଗହଣାରେ ଅତି ସୁନ୍ଦର ଭାବେ ସଜାଇଥାନ୍ତି। କେବଳ ସେତିକି ନୁହେଁ, ଏବେ ରାଧାର ରହିବା ପାଇଁ ପ୍ରାୟ ୧ କୋଟି ଟଙ୍କା ବ୍ୟୟରେ ଏକ ଭବ୍ୟ ଦୁଇ ମହଲା ବିଶିଷ୍ଟ 'ରାଧା ମହଲ' ମଧ୍ୟ ନିର୍ମାଣ କରାଯାଉଛି । ଏହି ମହଲର ଗ୍ରାଉଣ୍ଡ ଫ୍ଲୋର୍ ସମ୍ପୂର୍ଣ୍ଣ ଭାବେ ରାଧାର ରହିବା, ବୁଲିବା ଏବଂ ଖାଇବା-ପିଇବା ପାଇଁ ନିର୍ଦ୍ଧାରିତ କରାଯାଇଥିବା ବେଳେ । ତାକୁ ଦେଖିବାକୁ ଆସୁଥିବା ଲୋକଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ସ୍ଥାନର ବ୍ୟବସ୍ଥା କରାଯାଉଛି । ନରେନ୍ଦ୍ରଙ୍କ କହିବା ଅନୁଯାୟୀ, ଦିନେ ସେ ମାସକୁ ମାତ୍ର ୧୫୦୦ ଟଙ୍କାର ସାଧାରଣ ଚାକିରି କରୁଥିଲେ, କିନ୍ତୁ ରାଧା ତାଙ୍କ ଘରକୁ ଆସିବା ପରେ ତାଙ୍କ ଭାଗ୍ୟ ସମ୍ପୂର୍ଣ୍ଣ ବଦଳି ଯାଇଥିଲା । ତାଙ୍କ ବ୍ୟବସାୟରେ ଅପୂର୍ବ ଉନ୍ନତି ଘଟିଥିଲା । ଆଜି ସେ ରେଳବାଇର ବଡ଼ ବଡ଼ ଠିକା ନେଉଥିବା ଏକ ସଫଳ କନ୍ଷ୍ଟ୍ରକ୍ସନ୍ କମ୍ପାନୀ ଚଳାଉଛନ୍ତି, ଯାହାକୁ ସେ ରାଧାର ଶୁଭ ଆଗମନର ସୁଫଳ ବୋଲି ମାନନ୍ତି । ଏହି କୃତଜ୍ଞତା ଓ ଗଭୀର ଧାର୍ମିକ ବିଶ୍ୱାସ ଯୋଗୁଁ ହିଁ ପୂରା ପରିବାର ପ୍ରତିଦିନ ରାଧାର ପୂଜାର୍ଚ୍ଚନା କରିବା ସହ ତା' ପାଇଁ ଏହି କୋଟି କୋଟି ଟଙ୍କାର ପ୍ରାସାଦ ନିର୍ମାଣ କରାଉଛନ୍ତି ।




