୨,୦୦୦ ବର୍ଷର ଖଣ୍ଡା
ସୁଇଜରଲ୍ୟାଣ୍ଡର ଲେକ୍ ନେଉଚାଟେଲ୍ ଗର୍ଭରୁ ରୋମାନ ସାମ୍ରାଜ୍ୟ ସମୟର ଏକ ବିଶାଳ ପ୍ରତ୍ନତାତ୍ତ୍ୱିକ ସମ୍ପଦ ଆବିଷ୍କୃତ ହୋଇଛି । ଏହି ସାମଗ୍ରୀଟି ପ୍ରାୟ ୨,୦୦୦ ବର୍ଷ ପୂର୍ବର ଜୀବନଶୈଳୀ ଓ ବାଣିଜ୍ୟ କାରବାର ସମ୍ପର୍କରେ ଅନେକ ତଥ୍ୟ ପ୍ରଦାନ କରିଛି । ୨୦୨୪ ଶେଷ ଆଡ଼କୁ ଡ୍ରୋନ୍ ଏବଂ ସୋନାର ମ୍ୟାପିଂ ସାହାଯ୍ୟରେ ଚିହ୍ନଟ ହୋଇଥିବା ଏହି ସ୍ଥାନରୁ ଅକ୍ଟୋପସ ଫାଉଣ୍ଡେସନ ଏବଂ ପ୍ରତ୍ନତତ୍ତ୍ୱ ବିଭାଗ ମିଳିତ ଭାବେ ପ୍ରାୟ ୧,୨୦୦ଟି ପ୍ରାଚୀନ ସାମଗ୍ରୀ ଉଦ୍ଧାର କରିଛନ୍ତି । ଏହି ସଂଗ୍ରହ ମଧ୍ୟରେ ସୁଇସ୍ ପାର୍ବତ୍ୟାଞ୍ଚଳର ମାଟିପାତ୍ର, ସ୍ପେନରୁ ଜଲପାଇ ତେଲ ଆଣିବା ପାଇଁ ବ୍ୟବହୃତ ହେଉଥିବା ବିଶେଷ ପାତ୍ର, ଅସ୍ତ୍ରଶସ୍ତ୍ର, ଧାତବ କୋଦାଳ ଏବଂ ଘୋଡ଼ାଟଣା ଗାଡ଼ିର ଚକ ଭଳି ଗୁରୁତ୍ୱପୂର୍ଣ୍ଣ ବସ୍ତୁ ରହିଛି । ବିଶେଷଜ୍ଞଙ୍କ ଅନୁଯାୟୀ, ଖ୍ରୀଷ୍ଟାବ୍ଦ ୧୬ ରୁ ୪୫ ମଧ୍ୟରେ ଏହି ସମସ୍ତ ସାମଗ୍ରୀ ଜଳପଥ ଦେଇ ରୋମାନ ସେନା ଛାଉଣୀ 'ଭିଣ୍ଡୋନିସା'କୁ ପଠାଯାଉଥିଲା, ଯାହା ସେ ସମୟର ସୁଦୂର ପ୍ରସାରୀ ବାଣିଜ୍ୟିକ ସମ୍ପର୍କକୁ ପ୍ରମାଣିତ କରୁଛି । ଉଦ୍ଧାର ହୋଇଥିବା ସାମଗ୍ରୀଗୁଡ଼ିକ ମଧ୍ୟରେ ଏକ ଚମଡ଼ା ଆବରଣ ଭିତରେ ଥିବା ଖଣ୍ଡା ଓ ରୋମାନ ଶୈଳୀର ଅଳଙ୍କାର ଅତ୍ୟନ୍ତ ସୁରକ୍ଷିତ ଅବସ୍ଥାରେ ମିଳିଛି, ଯାହାକୁ ଏବେ ବିଶେଷ ବୈଜ୍ଞାନିକ ପଦ୍ଧତିରେ ସଂରକ୍ଷିତ କରାଯାଉଛି ।



