୧୦ମାସରେ ୧୧ ଥର ଜନ୍ମଦିନ
ଆମେରିକାର ଫ୍ଲୋରିଡା ସହରରେ ମାଗଣା ଖାଦ୍ୟ ଏବଂ ଉପହାର ପାଇବା ପାଇଁ ଜଣେ ମହିଳାଙ୍କ ଅଜବ କାରନାମା ଏବେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଏଥିପାଇଁ ଶେଷରେ ତାଙ୍କୁ ଜେଲ୍ ମଧ୍ୟ ଯିବାକୁ ପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ, ଫ୍ଲୋରିଡାରେ ରହୁଥିବା ୨୭ ବର୍ଷୀୟା ଏଶଲେ ମୁନରୋ ନାମକ ଜଣେ ମହିଳା ବିଭିନ୍ନ ରେଷ୍ଟୁରାଣ୍ଟରୁ ମାଗଣା ଡେଜର୍ଟ, କମ୍ପ୍ଲିମେଣ୍ଟ୍ରୀ ଡ୍ରିଙ୍କ୍ ଏବଂ ରିହାତି କୁପନ୍ ହାସଲ କରିବା ଆଶାରେ ମାତ୍ର ୧୦ ମାସ ମଧ୍ୟରେ ୧୧ ଥର ନିଜର ଜନ୍ମଦିନ ପାଳନ କରିଛନ୍ତି । ପୋଲିସ ତଦନ୍ତରୁ ଜଣାପଡ଼ିଛି ଯେ, ଏଶଲେ ଏହି କାମକୁ ସୁଚାରୁରୂପେ କରିବା ପାଇଁ ଏକ ସ୍ପ୍ରେଡ୍ସିଟ୍ ତିଆରି କରି ସେଥିରେ ଭିନ୍ନ ଭିନ୍ନ ରେଷ୍ଟୁରାଣ୍ଟର ସମସ୍ତ ବିବରଣୀ ଲିପିବଦ୍ଧ କରି ରଖିଥିଲେ । ଏହି ଠକେଇ ମାଧ୍ୟମରେ ସେ ବିଭିନ୍ନ ହୋଟେଲରୁ ୪୭ଟି ମାଗଣା ଡେଜର୍ଟ, ୨୨ଟି କମ୍ପ୍ଲିମେଣ୍ଟ୍ରୀ ଡ୍ରିଙ୍କ୍ ଏବଂ ୯ଟି ବର୍ଥଡେ କୁପନ୍ ରିଡିମ୍ କରିବା ସହ ଏକ ସପ୍ତାହ ମଧ୍ୟରେ ଗୋଟିଏ ରେଷ୍ଟୁରାଣ୍ଟରେ ଦୁଇ ଦୁଇ ଥର ଜନ୍ମଦିନ ଗୀତ ମଧ୍ୟ ଶୁଣିଥିଲେ । ତେବେ ଏହି ମହିଳା ସେତେବେଳେ ଧରାପଡିଥିଲେ, ଯେତେବେଳେ ଏକ ରେଷ୍ଟୁରାଣ୍ଟର କର୍ମଚାରୀମାନେ ମାତ୍ର ୧୮ ଦିନ ପୂର୍ବରୁ ସେଠାରେ ଜନ୍ମଦିନ ପାଳିଥିବା ଏଶଲେଙ୍କୁ ଚିହ୍ନି ପକାଇଥିଲେ । ଏହାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଗିରଫ କରିଥିବା ଜଣାପଡିଛି ।




